ନାଟ୍ୟଚକ୍ର, ସବୁ ନାଟ୍ୟସଂସ୍ଥା ସୋ’ ପାଇଁ ଟିକେଟ୍‌ ବ୍ୟବସ୍ଥା କରନ୍ତୁ

Advertisment
ନାଟ୍ୟଚକ୍ର, ସବୁ ନାଟ୍ୟସଂସ୍ଥା ସୋ’ ପାଇଁ ଟିକେଟ୍‌ ବ୍ୟବସ୍ଥା କରନ୍ତୁ

ଭୁବନେଶ୍ବର: ଆଗରୁ ନିର୍ମିତ ହେଉଥିବା ଓଡ଼ିଆ ଚଳଚ୍ଚିତ୍ର ଆମ ସାହିତ୍ୟ ଓ ସମାଜ ସହ ସମ୍ପର୍କିତ ଥିଲା। ଏଇ ଧାରାରେ ନିର୍ମିତ ଚଳଚ୍ଚିତ୍ର ମାଣିକ ଯୋଡ଼ି, ଅମଡ଼ା ବାଟ, ମଲା ଜହ୍ନ, ଭାଇ ଭାଉଜ ହିଟ୍‌ ବି ହୋଇଥିଲା। ମାତ୍ର ଏବେ ଚଳଚ୍ଚିତ୍ର ନକଲ ହେଉଥିବାରୁ ତା’ର ଗୁରୁତ୍ବ କମିଯାଉଛି। ଏହା କହିଛନ୍ତି ବିଶିଷ୍ଟ ଅଭିନେତା, ନାଟ୍ୟ ନିର୍ଦେଶକ ଅଜିତ ଦାସ। ନାଟ୍ୟାନୁଷ୍ଠାନ ‘ଶତାବ୍ଦୀର କଳାକାର’ ପକ୍ଷରୁ ବିଜୁ ନାଟ୍ୟ କେନ୍ଦ୍ରରେ ଆୟୋଜିତ ‘ନାଟ୍ୟଚକ୍ର‌’ରେ ଏକ ସାକ୍ଷାତ ଆଲୋଚନାରେ ଅଂଶଗ୍ରହଣ କରି ସେ ଏହା କହିଛନ୍ତି।

ଶ୍ରୀ ଦାସ କହିଲେ, ନାଟକ ସୃଷ୍ଟି କରାଯାଏ ନାହିଁ। ବରଂ ନାଟ୍ୟକାର ତାଙ୍କ ଅଭିଜ୍ଞତାକୁ ଆଧାର କରି ନାଟକ ଲେଖନ୍ତି। ତାଙ୍କର ଦୂରଦୃଷ୍ଟି ଓ ଶବ୍ଦ ଉପରେ ମଧ୍ୟ ଆ‌ୟତ୍ତ ଥିବା ଦରକାର। ନାଟକ ପାଇଁ ଭିତ୍ତିଭୂମି ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ରଖି କହିଲେ, ନାଟକ ପରିବେଷଣ ପାଇଁ ପ୍ରେକ୍ଷାଳୟର ଅଭାବ ରହିଛି। ଏଥିପାଇଁ ସରକାରୀ ସ୍ତରରୁ ଉଦ୍ୟମ ହେବା ସହ ନାଟ୍ୟ ସଂସ୍ଥାକୁ ସରକାରୀ ପ୍ରୋତ୍ସାହନ ମିଳିବା ଆବଶ୍ୟକ। ପ୍ରତ୍ୟେକ ନାଟ୍ୟସଂସ୍ଥା ‌ନାଟକ ସୋ’ ପାଇଁ ଟିକେଟ୍‌ ମଧ୍ୟ କରିବା ଉଚିତ୍‌ ବୋଲି ସେ କହିଛନ୍ତି। ଓଡ଼ିଆ ନାଟକର ମାନ ସମ୍ପର୍କରେ ପ୍ରମାଣ ଦେବାକୁ ଯାଇ ସେ କହିଲେ, ନିକଟରେ ଜାତୀୟ ନାଟ୍ୟ ବିଦ୍ୟାଳୟ ପକ୍ଷରୁ ପ୍ରଦର୍ଶନ ପାଇଁ ଯେଉଁ ୨ଟି ଓଡ଼ିଆ ନାଟକ ଚୟନ କରାଯାଇଛି ତାହା ପ୍ରଥମ ପର୍ଯ୍ୟାୟରେ ଆସିଥିବା ୯ଶହ ନାଟକ ମଧ୍ୟରୁ ଯୋଗ୍ୟ ବିବେଚିତ ହୋଇଛି। ୨୯ ରାଜ୍ୟରୁ ବଛା ଯାଇଥିବା ୫୬ ନାଟକ ମଧ୍ୟରୁ ଓଡ଼ିଶାର ୨ଟି ନାଟକ ମନୋନୀତ ହେବା ହିଁ ଓଡ଼ିଆ ନାଟକର ଗୁଣବତ୍ତାକୁ ପ୍ରମାଣିତ କରୁଛି ବୋଲି ସେ କହଥିଲେ। ପ୍ରାରମ୍ଭରେ ଆୟୋଜିତ ଉଦ୍‌ଘାଟନୀ ସଭାରେ ‘ଶତାବ୍ଦୀର କଳାକାର’ର ସଭାପତି ତଥା ବିଶିଷ୍ଟ କଥାକାର ଗୌରହରି ଦାସ, ସମ୍ପାଦକ ଧୀର ମଲ୍ଲିକ, ଦର୍ପନାରାୟଣ ସେଠୀ, ସୁବୋଧ ପଟ୍ଟନାୟକ, ହରେନ୍‌ ସାହୁ, ଲାଲା ବୀରେନ୍‌ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe