ଆଖିବୁଜିଲା ବାଘଛୁଆ ବଂଶୀ: ନନ୍ଦନକାନନରେ ବିଷାଦର ଛାୟା, ଅନ୍ୟ ୫ ଶାବକଙ୍କ ଉପରେ କଡ଼ା ନଜର

Advertisment
ଆଖିବୁଜିଲା ବାଘଛୁଆ ବଂଶୀ: ନନ୍ଦନକାନନରେ ବିଷାଦର ଛାୟା, ଅନ୍ୟ ୫ ଶାବକଙ୍କ ଉପରେ କଡ଼ା ନଜର

ବାରଙ୍ଗ/ତ୍ରିଶୁଳିଆ: ବେଶ୍ ସୁସ୍ଥ ଥିଲା ୯ ମାସର ବାଘ ଛୁଆ ବଂଶୀ। ମା’ ବିଜୟା ସହ ଖୁଆଡ଼ରୁ ସଫାରିକୁ ଯାଉଥିଲା ଓ ଖେଳିବୁଲି ପୁଣି ଫେରିଆସୁଥିଲା। ତା’ଠାରେ କୌଣସି ପ୍ରକାର ଅସୁସ୍ଥତାର ଲକ୍ଷଣ ଦେଖାଯାଉନଥିଲା। ମାତ୍ର ଆଜି ସକାଳେ ଖୁଆଡ଼ରେ ତା’ ମୃତଦେହ ପଡ଼ିଥିବା‌ ଦେଖିବାକୁ ମିଳିଥିଲା। ବଂଶୀର ମୃତ୍ୟୁ ଖବର ଆଜି ସମଗ୍ର ନନ୍ଦନକାନନରେ ବିଷାଦର ଛାୟା ଖେଳାଇ ଦେଇଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ବଂଶୀ ସେପ୍‌ଟିସେମିଆରେ ଆକ୍ରାନ୍ତ ବୋଲି ଜଣାପଡ଼ିଛି। ତେଣୁ ଚିନ୍ତାରେ ପଡ଼ିଯାଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। କାରଣ ବଂଶୀ ସମବୟସ୍କ ଅନ୍ୟ ୫ଟି ବାଘ ଛୁଆଙ୍କ ପ୍ରତି ବିପଦ ଥିବା ଆଶଙ୍କା କରାଯାଉଛି।

ଗତକାଲି ଧଳାବାଘୁଣୀ ମା’ ବିଜୟା ସହ ସଫାରିରୁ ଫେରିଥିଲା ବଂଶୀ। ବିଜୟା ସହ ୩ ଛୁଆ ରକି, ରାକେଶ ଓ ବଂଶୀ ୩୨ ନମ୍ବର ଖୁଆଡ଼କୁ ଫେରିଥିଲେ। ଗତ ଦୁଇ ଦିନ ହେଲା ରକି ସଫାରିରେ ରହିଯାଇଥିଲା ଓ ଖୁଆଡ଼କୁ ଫେରିନଥିଲା। ମାତ୍ର କାଲି ମା’ ଓ ଦୁଇ ଭାଇଙ୍କ ସହ ପୁଣି ରକି ଖୁଆଡ଼କୁ ଫେରିଥିଲା। ସବୁ କିଛି ଠିକ୍‌ଠାକ୍ ଥିଲା। ଆଜି ସକାଳୁ ଜନ୍ତୁରକ୍ଷକମାନେ ବଂଶୀର ମୃତଦେହ ଦେଖି ବିସ୍ମିତ ହୋଇଯାଇଥିଲେ। ମା’ ବିଜୟା ବଂଶୀର ମୃତଦେହ ପାଖରେ ଜଗି ବସିଥିଲା ଓ ବେଶ୍ ଗୁମ୍‌ସୁମ୍‌ ଥିଲା। ସେହିଭଳି ରକି ଓ ରାକେଶ ମା’ କୋଳରେ ବସି ଜୁକୁଜୁକୁ ହୋଇ କେବଳ ବଂଶୀର ମୃତଦେହକୁ ଚାହୁଁଥିଲେ। ତୁରନ୍ତ ନନ୍ଦନକାନନ କର୍ତ୍ତୃପକ୍ଷ ବଂଶୀର ମୃତଦେହକୁ ଓୟୁଏଟିକୁ ପଠାଇଥିଲେ। ପ୍ରଫେସର ସୁଶେଣ ପଣ୍ଡା ଶବ ବ୍ୟବଚ୍ଛେଦ କରିଥିଲେ। ପ୍ରଫେସର ପଣ୍ଡା କହିଛନ୍ତି ଯେ ବାଘ ଛୁଆଟିର ପାକସ୍ଥଳୀ, ଅନ୍ତଃନଳୀରେ ସଂକ୍ରମଣ ହେତୁ ରକ୍ତସ୍ରାବ ହୋଇଛି। ଏହା ସେପ୍‌ଟିସେମିଆର ଲକ୍ଷଣ। ତେଣୁ ଏହି ରିପୋର୍ଟକୁ ନେଇ ଏବେ ନନ୍ଦନକାନନ କର୍ତ୍ତୃପକ୍ଷ ବାକି ୫ ବାଘ ଛୁଆଙ୍କ ଉପରେ ସ୍ବତନ୍ତ୍ର ନଜର ରଖିବାକୁ ନିଷ୍ପତ୍ତି ନେଇଛନ୍ତି। କାରଣ ସେମାନଙ୍କୁ ସଂକ୍ରମଣର ଭୟ ରହିଛି।

ସୂଚନାଯୋଗ୍ୟ, ଧଳା ବାଘୁଣୀ ‘ବିଜୟା’ ଓ ସାଧାରଣ ନାଲି ରଙ୍ଗର ମହାବଳ ବାଘ ‘ସେଫ୍’ର ମିଳନରୁ ୨୦୨୧ ଅପ୍ରେଲ ୧୪ରେ ତିନି ସାଧାରଣ ନାଲି ରଙ୍ଗର ରକି, ବଂଶୀ ଓ ରାକେଶ ଜନ୍ମ ନେଇଥିଲେ। ଗତ ଡିସେମ୍ବର ୨୯ ତାରିଖରେ ନନ୍ଦନକାନନ ପ୍ରତିଷ୍ଠା ଦିବସ ଅବସରରେ ଏହି ବାଘ ଛୁଆମାନଙ୍କ ନାମକରଣ କରାଯାଇଥିଲା। ସେହିଭଳି ସେଦିନ ବାଘୁଣୀ ‘ମେଘା’ର ୧୦ ମାସର ୩ ଛୁଆ ସୋହିନୀ, ଅଭୟ ଓ ବିବେକଙ୍କ ନାମକରଣ ମଧ୍ୟ କରାଯାଇଥିଲା। ଏହା ପରେ ସେମାନଙ୍କୁ ଖୁଆଡ଼ରୁ ମା’ ସହ ସଫାରି ବୁଲିବାକୁ ଛଡ଼ାଯାଇଥିଲା। ସେହିଦିନରୁ ଏହି ୬ ବାଘ ଛୁଆ ପର୍ଯ୍ୟଟକମାନଙ୍କ ମନ କିଣୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe