ପଳାଶପଲ୍ଲୀରେ କଲରାପତରିଆ!

ପଳାଶପଲ୍ଲୀରେ କଲରାପତରିଆ!

ପୁରୁଣାଭୁବନେଶ୍ବର : ରାଜଧାନୀରେ ପଶିଛି କଲରାପତରିଆ ବାଘ। ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ବାହାରି ପଳାଶପଲ୍ଲୀ ଅଞ୍ଚଳରେ କେଉଁଠାରେ ଛପି ରହିଥିବା ଅନୁମାନ କରାଯାଉଛି। ସିସିଟିଭି ଫୁଟେଜ୍‌ରୁ ଏହି ଦୃଶ୍ୟ ସ୍ପଷ୍ଟ ହେବା ପରେ ସମଗ୍ର ଅଞ୍ଚଳରେ ବାଘ ଆତଙ୍କ ଖେଳିଯାଇଛି। ବିଶେଷକରି ନବୀନ ନିବାସ ଅଞ୍ଚଳରେ ବାଘଟି ଛପି ରହିଥିବା ଅନୁମାନ କରାଯାଉଥିବାରୁ ଘଟଣାଟି ଅତି ସମ୍ବେଦନଶୀଳ ହୋଇପଡ଼ିଛି। ଖବର ପାଇ ବନ ବିଭାଗ ବାଘକୁ ଠାବ କରିବା ପାଇଁ ଲାଗି ପଡ଼ିଥିଲେ ହେଁ ଟେର୍ ପାଇନାହିଁ।

ସୂଚନାନୁସାରେ ବିମାନବନ୍ଦର ପା‌ଚେରି କଡ଼କୁ ଲାଗି ଭିଆଇପି ଅଞ୍ଚଳର ପ୍ଲଟ ଏଚ୍ଆଇଜି-ସି-୭/୧(ସରୋଜିନୀ ନିବାସ)ରେ ବ୍ରିକ୍‌ସେଡ୍‌ ବିଲ୍‌ଡକନ୍ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ସଂସ୍ଥା ରହିଛି। ସୁରକ୍ଷାକର୍ମୀ ବାଙ୍କନିଧି ସେନାପତି ଗତକାଲି ସେଠାରେ ରାତି ଡ୍ୟୁଟି କରୁଥିଲେ। ରାତି ପ୍ରାୟ ୧୧.୧୫ ମିନିଟ୍‌ ବେଳେ ସେ ହଠାତ୍ ଦେଖିଲେ ଯେ ଏକ ବାଘ ବିମାନ ବନ୍ଦର ପାଚେରି ଉପରେ ବସିଛି। ବାଘଟି ତାଙ୍କ ଅଫିସ୍ ପୋର୍ଟି‌କୋକୁ ଡେଇଁବାକୁ ଉଦ୍ୟତ ହେଉଛି। ବାଙ୍କନିଧି ପାଟି କରିବା ଆଗରୁ ବାଘଟି ତଳକୁ ଡେଇଁ ପଡ଼ିଲା ଓ ଅଗଣାରେ ଚାଲି ଚାଲି ଘରର ପଛ ପଟକୁ ଚାଲିଗଲା। ଭୟରେ ବାଙ୍କନିଧି ପାଟି କରିପାରିଲେ ନାହିଁ। କିନ୍ତୁ ସେ ଲକ୍ଷ୍ୟ କଲେ ଯେ ବାଘଟି ତାଙ୍କ କାର୍ଯ୍ୟାଳୟର ଲନ୍‌ ପାର୍ ହେବା ପରେ ପଛ ପାଚେରି ଡେଇଁ ପଡ଼ିଲା। ତା ପରେ ସେ ଆଉ ଅନ୍ଧାରରେ ବାଘକୁ ଦେଖି ପାରିଲେ ନାହିଁ। ତାଙ୍କ ସୂଚନାନୁସାରେ ବାଘଟିର ଲମ୍ବ ପ୍ରାୟ ସାଢ଼େ ୪ଫୁଟ୍‌ ଓ ଉଚ୍ଚତା ପ୍ରାୟ ଅଢ଼େଇ ଫୁଟ୍‌ ହେବ। ତେଣୁ ବାଘଟିର ବୟସ ୩/୪ ବର୍ଷ ହେବ ବୋଲି ସେ ଅନୁମାନ କରିଛନ୍ତି। ଆଜି ସକାଳୁ ସେ କାର୍ଯ୍ୟାଳୟରେ ଜଣାଇବା ପରେ କର୍ମଚାରୀମାନେ ସିସିଟିଭି ଯାଞ୍ଚ କରିଥିଲେ। ସତକୁ ସତ ବାଘଟି ପାଚେରି ଡେଇଁବା ଓ ପୋର୍ଟିକୋରେ ଚାଲିବା ପର୍ଯ୍ୟନ୍ତ ସବୁ କିଛି ସିସିଟିଭି ଫୁଟେଜ୍ ରେ ରହିଛି। ବାଘଟି କଲରାପତରିଆ ବୋଲି ସ୍ପଷ୍ଟ ବାରି ହୋଇ ପଡ଼ୁଛି। କର୍ମଚାରୀମାନେ ଏହି ଖବର ବନ ବିଭାଗକୁ ଜଣାଇବା ପରେ ରାଜଧାନୀରେ ଏହା ପ୍ରଚାରିତ ହୋଇଯାଇଥିଲା। ଆଜି ସନ୍ଧ୍ୟାରେ ସହର ବନଖଣ୍ଡର କର୍ମଚାରୀମାନେ ଘଟଣାସ୍ଥଳ ବୁଲି ବାଘକୁ ଠାବ କରିବା ପାଇଁ ଉଦ୍ୟମ କରିଥିଲେ। ସମଗ୍ର ପଳାଶପଲ୍ଲୀରେ ଥିବା ପାର୍କ, ପରିତ୍ୟକ୍ତ ଘର, ବଣବୁଦାଗୁଡ଼ିକୁ ବନ କର୍ମଚାରୀମାନେ ଖେଦି ଯାଇଥିଲେ। ମାତ୍ର ବାଘର ପତ୍ତା ମିଳି ନଥିଲା।

ବାଘଟି ବିମାନବନ୍ଦର ଭିତରୁ ଆସିଥିବାରୁ ସେହିଠାରେ କେଉଁ ବଣବୁଦାରେ ନିଜ ବାସସ୍ଥାନ କରିଥିବା ସନ୍ଦେହ କରାଯାଉଛି। ସିସିଟିଭି ଫୁଟେଜ୍ ମିଛ ହୋଇ ନଥିବାରୁ ବାଘଟି ନୂଆ କରି ଆସିଛି ଓ କେଉଁଠାରେ ନିଶ୍ଚୟ ରହିଛି ବୋଲି ଚର୍ଚା ହେଉଛି। ସୂଚନାଯୋଗ୍ୟ ଯେ ଗତ ବର୍ଷ ସୁନ୍ଦରପଦା ଓରକଳ ଅଞ୍ଚଳରେ ନଈକୂଳରେ ସ୍ଥାନୀୟ ଲୋକେ ଏକ ବାଘକୁ ଦେଖିଥିଲେ। କ୍ୟାମେରାରେ ତା’ର ଫଟୋ ମଧ୍ୟ ଉଠାଇଥିଲେ। କିନ୍ତୁ ଦୂରୁ ତାହା ଖୁବ୍‌ ଛୋଟ ଦେଖାଯାଇଥିବାରୁ ସେତେବେଳେ ଏହାକୁ ଏକ ବଣଭୁଅାଁ ବୋଲି ବନ ବିଭାଗ ସଫେଇ ଦେଇଥିଲା। ମାତ୍ର ଆଜିର ଘଟଣା ପରେ କିଛି ବନ କର୍ମଚାରୀ ସେହି ବନ୍ୟ ଜନ୍ତୁଟିକୁ ସତ ବାଘ ବୋଲି ଅନୁମାନ କରୁଛନ୍ତି। ତେଣୁ ବନ ବିଭାଗ ତନ୍ନ ତନ୍ନ କରି ଖୋଜିଲେ, ନିଶ୍ଚୟ ବାଘ ଠାବ ହେବ ବୋଲି ସ୍ଥାନୀୟ ଲୋକେ ଆଶାବାଦୀ ଅଛନ୍ତି। ତେବେ ସିଟି ଡିଏଫ୍‌ଓ ଅଶୋକ ମିଶ୍ର କହିଛନ୍ତି, ଆସନ୍ତା କାଲି ବିମାନବନ୍ଦର ଭିତରେ ସର୍ଚ କରାଯିବ। ଏହାପରେ ବାଘ ଅଛି କି ନାହିଁ ସେ ସଂପର୍କରେ ସ୍ପଷ୍ଟ ସୂଚନା ମିଳି ପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe