ଭୁବନେଶ୍ବରରୁ ବାଘ ଛାଲ ଜବତ, ଘରୋଇ ବିଶ୍ବବିଦ୍ୟାଳୟ ଡ୍ରାଇଭର ଗିରଫ

Advertisment

ରହସ୍ୟରେ ବାବୁ

ରହସ୍ୟରେ ବାବୁ

ଭୁବନେଶ୍ବରରୁ ବାଘ ଛାଲ ଜବତ, ଘରୋଇ ବିଶ୍ବବିଦ୍ୟାଳୟ ଡ୍ରାଇଭର ଗିରଫ

ଭୁବନେଶ୍ବର: ଭୁବନେଶ୍ବରରୁ ଜବତ ହୋଇଛି କଲରାପତରିଆ ବାଘ ଛାଲ। ଆଜି ସକାଳୁ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌କୁ ଏହି ସଫଳତା ମିଳିଛି। ବାଇକ୍‌ ଡିକିରେ ନେଇ ଗ୍ରାହକଙ୍କ ପାଖକୁ ଯିବା ବେଳେ ବରମୁଣ୍ଡା କାଳୀମନ୍ଦିର ନିକଟରୁ ବେପାରୀକୁ ଏସ୍‌ଟିଏଫ୍‌ର ଏକ ଟିମ୍‌ ଗିରଫ କରିଛି। ଅଭିଯୁକ୍ତ ହେଲା, ମୟୂରଭଞ୍ଜ କରଞ୍ଜିଆ ରଡ଼ଙ୍ଗ ଗ୍ରାମର ପ୍ରଶାନ୍ତ କୁମାର ନାୟକ। ସେ ଏଠାରେ ଏକ ଘରୋଇ ବିଶ୍ବବିଦ୍ୟାଳୟରେ ଗାଡ଼ି ଚାଳକ ଭାବେ କାମ କରେ। ଜବତ ବାଘଛାଲକୁ ‌ଅଢ଼େଇ ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ସେ ଭୁବନେଶ୍ବର ଆଣିଥିବା ସୂଚନା ମିଳିଛି। ଜବତ ବାଘଛାଲ ବାବଦରେ ସମ୍ପୂର୍ଣ୍ଣ ବିବରଣୀ ପାଇଁ ଏହାକୁ ଖୁବ୍‌ଶୀଘ୍ର ଡେରାଡୁନ୍‌ସ୍ଥିତ ୱାଇଲ୍ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆକୁ ପଠାଯିବ ବୋଲି ଏସ୍‌ଟିଏଫ୍‌ କହିଛି। ତେବେ ସେ କାହାକୁ ବିକିବା ପାଇଁ ନେଉଥିଲା? ଗ୍ରାହକ କାହିଁକି ଧରାପଡ଼ିଲେନି? ଅଭିଯୁକ୍ତ ବେପାରୀ ନା ଶିକାରୀ? ପୂର୍ବରୁ ଏଭଳି ବେପାର କରିଛି ନା ପ୍ରଥମ ଅପରାଧ? ସେ ନେଇ ଏସ୍‌ଟିଏଫ୍‌ କୌଣସି ସୂଚନା ଦେଇନାହିଁ। ଏନେଇ ଏସ୍‌ଟିଏଫ୍‌ ଅଧିକ ତଦନ୍ତ ଚଳାଇଛି। ଏଥିରେ କେଉଁମାନେ ସମ୍ପୃକ୍ତ, ସେ ନେଇ ଖୋଳତାଡ଼ ଚାଲିଛି ବୋଲି ଏସ୍‌ଟିଏଫ୍‌ କହିଛି।

ଅନ୍ୟପଟେ ଅଜିତ ବାବୁଙ୍କ ପାଇଁ ଛାଲ ଆଣିଥିଲି, ବିକ୍ରି ପାଇଁ ନୁହେଁ ବୋଲି ଗଣମାଧ୍ୟମକୁ କହିଛି ଅଭିଯୁକ୍ତ। କିଏ ଏହି ଅଜିତ ବାବୁ? ହାତରୁ ଟଙ୍କା ଖର୍ଚ୍ଚ କରି କାହିଁକି ଅଭିଯୁକ୍ତ ତାଙ୍କୁ ସନ୍ତୁଷ୍ଟ କରିବାକୁ ବସିଥିଲା? ଅଜିତ ବାବୁ କାହିଁକି ବାଘଛାଲ ମଗାଇଥିଲେ? ନିଜେ ବ୍ୟବହାର କରିଥା’ନ୍ତେ ନା ସେ ବଡ଼ ବେପାରୀ? ଅଜିତ ବାବୁଙ୍କୁ ନେଇ ଏଭଳି ଅନେକ ପ୍ରଶ୍ନ ଉଠିଛି। ତେବେ ଅଜିତ ବାବୁଙ୍କ ବିଷୟରେ ତଦନ୍ତ ଜାରି ରହିଛି ବୋଲି ଏସ୍‌ଟିଏଫ୍‌ କହିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ମୁତାବକ, ଶିମିଳିପାଳରୁ ଏହି କଲରାପତରିଆ ବାଘ ଶିକାର କରାଯାଇଛି। ଛାଲରେ ଗୁଳି ଦାଗ ନଥିବାରୁ ବିଷ ଦେଇ ବାଘକୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ପ୍ରାୟ ବର୍ଷେ ତଳେ ହତ୍ୟା ହୋଇଛି। ବାଘର ବୟସ ୨ରୁ ୩ବର୍ଷ ହେବ ବୋଲି ବିଭାଗ ଅନୁମାନ କରୁଛି। ଅଭିଯୁକ୍ତଙ୍କ ଘର ମୟୂରଭଞ୍ଜ ହେଇଥିବାରୁ ସେଠାରୁ ଛାଲ ଆଣି ସେ ଏଠା‌ରେ ବେପାର କରୁଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe