ଚନ୍ଦକା ଅଭୟାରଣ୍ୟରେ କର୍ମଚାରୀ ମରୁଡ଼ି, କାଠ ମାଫିଆ ଓ ଶିକାରୀ ସକ୍ରିୟ

Advertisment
ଚନ୍ଦକା ଅଭୟାରଣ୍ୟରେ କର୍ମଚାରୀ ମରୁଡ଼ି, କାଠ ମାଫିଆ ଓ ଶିକାରୀ ସକ୍ରିୟ

ମେଣ୍ଢାଶାଳ: ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟରେ କର୍ମଚାରୀ ଅଭାବ ଦେଖା ଦେଇଥିବାରୁ ପଶୁପକ୍ଷୀ ଶିକାରୀ ଓ କାଠମାଫିଆମାନେ ସକ୍ରିୟ ହୋଇ ପଡ଼ିଛନ୍ତି। ତେଣୁ ଧୀରେ ଧୀରେ ଚନ୍ଦକା ଜଙ୍ଗଲ ଲୋପ ପାଇବାକୁ ବସିଲାଣି। ଏହି କାରଣରୁ ବନ୍ୟପ୍ରାଣୀ ପରିଚାଳନା କ୍ଷେତ୍ରରେ ସବୁଠାରୁ ଅଧିକ ଚିନ୍ତା ବଢ଼ାଇଛି। ଜଙ୍ଗଲ ଏବଂ ବନ୍ୟପ୍ରାଣୀ ପରିଚାଳନା ମୁଖ୍ୟତଃ କ୍ଷେତ୍ରସ୍ତରରେ କର୍ମଚାରୀ, ଫରେଷ୍ଟ ଗାର୍ଡ ଓ ଫରେଷ୍ଟରମାନେ ସମ୍ପାଦନା କରିଥାନ୍ତି। ଏହି କର୍ମଚାରୀମାନଙ୍କ ଅଭାବ କାରଣରୁ ଚନ୍ଦକା ହାତୀମାନେ ସହର ମୁଁହା ହେଲେଣି। ତେଣୁ ଚନ୍ଦକା ଜଙ୍ଗଲ ସୁରକ୍ଷା ଏବେ ବନ ବିଭାଗ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ବୋଲି କୁହାଯାଉଛି।

୧୯୮୨ ମସିହାରେ ଚନ୍ଦକା-ଡମପଡ଼ା ଜଙ୍ଗଲକୁ ହସ୍ତୀ ଅଭୟାରଣ୍ୟ ଘୋଷଣା କରାଯାଇଥିଲା। ଏହି ଅଭୟାରଣ୍ୟ‌କୁ ୪ଟି ଡିଭିଜନରେ ବିଭକ୍ତ କରାଯାଇଛି। ଚନ୍ଦକା, ଡମପଡ଼ା, ଭୁବନେଶ୍ୱର ଓ ମିନିଚିନ୍‌ପାଟଣା ରେଞ୍ଜ୍‌କୁ ନେଇ ଚନ୍ଦକା ବନଖଣ୍ଡ ଗଠିତ ହୋଇଛି। ଚନ୍ଦକା ଡିଭିଜନରେ ୫୦ ଜଣ ଫରେଷ୍ଟଗାର୍ଡ ରହିବା ନିୟମ ରହିଛି। କିନ୍ତୁ ଏବେ ମାତ୍ର ୧୫ ଜଣ ଅଛନ୍ତି। ସେହିପରି ୨୪ ଫରେଷ୍ଟରଙ୍କ ମଧ୍ୟରୁ ମାତ୍ର ୨୦ ଜଣ ଅଛନ୍ତି। ୨୪ ଘଣ୍ଟିଆ କାର୍ଯ୍ୟ ପାଇଁ ଏବଂ ସବୁ କଣ୍ଟୋଲ୍‌ ରୁମ୍‌ ପାଇଁ ଗାର୍ଡ ଓ ଫରେଷ୍ଟରଙ୍କ ଆବଶ୍ୟକତା ରହିଛି। ଅଫିସ୍‌ କାର୍ଯ୍ୟରେ ଫରେଷ୍ଟରମାନେ ନିୟୋଜିତ ରହୁଥିବାରୁ କ୍ଷେତ୍ରସ୍ତରରେ କର୍ମଚାରୀ ଅଭାବ ଅଧିକ ପରିଲକ୍ଷିତ ହେଉଛି।

ତେବେ ଅଧିକ ଚିନ୍ତା ବଢ଼ାଇଛି ଏହି ଅଭୟାରଣ୍ୟ ମଧ୍ୟରେ ଥିବା ୫ଟି ଗାଁ। ଏହି ଲୋକମାନେ କାଠମାଫିଆଙ୍କ ସହିତ ମିଶି ଜଙ୍ଗଲରେ କାଠ କାଟୁଛନ୍ତି ଓ ଅବାଧରେ ପଶୁ ଶିକାର କରୁଛନ୍ତି। ଗୁଳି କରି, ଫାଶ ଓ ଜାଲ ବସାଇ ହରିଣ, ବାର୍‌ହା, ଠେକୁଆ, ଗୁଣ୍ଡୁରୀ ଚଢ଼େଇ, ବଣ କୁକୁଡ଼ା ଆଦି ଶିକାର କରୁଛନ୍ତି। ଗତ ୩ ତାରିଖରେ ବନ ବିଭାଗ ଜଣେ ଶିକାରୀକୁ ଗିରଫ କରିଥିଲା ଓ ତା’ ନିକଟରୁ ସଦ୍ୟ ଶିକାର ହୋଇଥିବା ହରିଣର ଚମଡ଼ା ଜବତ କରାଯାଇଥିଲା। ସେହିପରି ୧୬ ତାରିଖରେ ଜଣେ ଶିକାରୀକୁ ବନ୍ଧୁକ ସହିତ କାବୁ କରାଯାଇଥିଲା। କର୍ମଚାରୀ ସଂଖ୍ୟା ହ୍ରାସ ପାଇଥିବାରୁ ଦୁର୍ବଳ ପାଟ୍ରୋଲିଂର ସୁଯୋଗ ନେଇ ପଶୁ ଶିକାରୀମାନେ ଏହି ଅଭୟାରଣ୍ୟକୁ ସେମାନଙ୍କ ଆଡ଼ା କରି ସାରିଲେଣି। ତୁରନ୍ତ କର୍ମଚାରୀ ସଂଖ୍ୟା ବୃଦ୍ଧି ନ ହେଲେ ଏହି ଜଙ୍ଗଲକୁ କାଟି ପଦା କରିଦେବେ ବୋଲି ଅଭିଯୋଗ ହେଉଛି। ତେବେ ଚନ୍ଦକା-ଡମପଡ଼ା ଡିଭିଜନ ଅଧିକାରୀ କେଦାରନାଥ ସ୍ୱାଇଁ କହିଛନ୍ତି ଯେ ଆସନ୍ତା ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ କୌଣସି ପ୍ରକାର ନିଯୁକ୍ତି ନାହିଁ ବୋଲି ସରକାର ସୂଚନା ଦେଇଛନ୍ତି। ତେଣୁ ଯେତିକି କର୍ମଚାରୀ ଅଛନ୍ତି ସେମାନଙ୍କୁ ନେଇ କାର୍ଯ୍ୟ ସମ୍ପାଦନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe