ତୀର୍ଥେଶ୍ବର ମନ୍ଦିର ଉପରେ ବଢ଼ୁଛି ବରଗଛ

ନଳା ପାଇଁ ପରିବେଶ ପ୍ରଦୂଷିତ

ତୀର୍ଥେଶ୍ବର ମନ୍ଦିର ଉପରେ ବଢ଼ୁଛି ବରଗଛ

ପୁରୁଣା ଭୁବନେଶ୍ବର : ଏକାମ୍ର କ୍ଷେତ୍ରର ଅନ୍ୟତମ ପ୍ରସିଦ୍ଧ ଶିବ ମନ୍ଦିର ତୀର୍ଥେଶ୍ବର ମନ୍ଦିରର ବହୁ ଅବ୍ୟବସ୍ଥା ଭିତରେ ରହିଛି। ମନ୍ଦିର ଉପରେ ଏକ ବର ଗଛ ବଢ଼ିବଢ଼ି ୧୨ ଫୁଟ୍‌ ଉଚ୍ଚତା ବିଶିଷ୍ଟ ହେଲାଣି। ଫଳରେ ଆଗକୁ ଏହା ମନ୍ଦିର ପ୍ରତି ବଡ଼ ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି। ବରଗଛ ପାଇଁ ମନ୍ଦିରରେ ଫାଟ ସୃଷ୍ଟି ହୋଇଛି ଓ ବର୍ଷା ହେଲେ ପାଣି ଗଳୁଛି ବୋଲି ଅଭିଯୋଗ ହେଉଛି। ସେହିଭଳି ମନ୍ଦିର ନଳା ପୋତି ହୋଇପଡ଼ିଥିବାରୁ ମନ୍ଦିର ସମ୍ମୁଖରେ ନର୍ଦ୍ଦମା ଭଳି ପଚା ପାଣି ଜମି ରହୁଛି। ଫଳରେ ଶ୍ରଦ୍ଧାଳୁମାନଙ୍କ ମନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତୁରନ୍ତ ଏହି ସବୁ ସମସ୍ୟା ସମାଧାନ କରିବାକୁ ଦାବି କରାଯାଇଛି।

ସୂଚନାଯୋଗ୍ୟ, ୮ବର୍ଷ ପୂର୍ବେ ତୀର୍ଥେଶ୍ବର ମନ୍ଦିରରେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା। ମନ୍ଦିରରେ ଉଠିଥିବା ଗଛ ସବୁ କଟାଯାଇଥିଲା ଓ ନଳା ପୁନରୁଦ୍ଧାର ହୋଇଥିଲା। ଏମିତିକି ମନ୍ଦିରରେ ଉଠିଥିବା ଗଛର ଚେର ସବୁକୁ ଓପାଡ଼ି ଦିଆଯାଇଥିଲା। ତେବେ କାମ ଠିକଣା ଭାବେ ହୋଇନଥିବାରୁ ଏବେ ପୁଣି ବରଗଛ ଉଠିଲାଣି ଓ ନଳା ବି ପୋତି ହୋଇଗଲାଣି। ଫଳରେ ନଳା ପାଣି ନିଷ୍କାସନ ହୋଇ ନପାରି ପାଲଟା ମନ୍ଦିର ପରିସରକୁ ପ୍ରବେଶ କରୁଛି। ମନ୍ଦିର ଆଗରେ ବର୍ଷ ସାରା ପାଣି ଜମି ରହୁଛି। ନିକଟରେ ଡ୍ରେନ୍‌ ନଥିବାରୁ ମନ୍ଦିର ଆଗରେ ପାଇପ୍‌ ପାଣି ଜମି ରହୁଛି। ଏନେଇ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ଅଧୀକ୍ଷକ ଅଶ୍ବିନୀ ଶତପଥୀ କିଛି କହିବାକୁ ନାରାଜ।

ସୂଚନାଯୋଗ୍ୟ ପ୍ରତିବର୍ଷ ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଏହି ମନ୍ଦିରକୁ ଆସି ଦୟଣା ଲାଗି ହୋଇଥା’ନ୍ତି। ସେହିଭଳି ଏକାମ୍ର ଚନ୍ଦ୍ରିକା ପୁରାଣ ଅନୁଯାୟୀ, ବିନ୍ଦୁସାଗରରେ ସ୍ନାନ କରି ତୀର୍ଥେଶ୍ବର ମହା‌ଦେବଙ୍କୁ ଦର୍ଶନ କରିବା ପରେ ଦେବୀ ପାଦହରା ପୁଷ୍କରିଣୀରେ ଗୋଡ଼ ହାତ ଧୋଇ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କଲେ ବହୁ ପୁଣ୍ୟ ମିଳେ। ତେଣୁ ତୀର୍ଥ ଭ୍ରମଣରେ ଆସୁଥିବା ଶ୍ରଦ୍ଧାଳୁମାନେ ଏହି ମନ୍ଦିରକୁ ଆସିଥାନ୍ତି। କିନ୍ତୁ ଏବେ ମନ୍ଦିରର ପରିବେଶ ପାଇଁ ଭକ୍ତମାନଙ୍କ ଭାବାବେଗ ଉପରେ ପ୍ରଭାବ ପଡ଼ୁଛି ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe