ସାବାଡ଼ ହେବେ ମଦୁଆ ଚାଳକ, ଜୋରଦାର ହେବ ଚଢ଼ଉ

Advertisment
ସାବାଡ଼ ହେବେ ମଦୁଆ ଚାଳକ, ଜୋରଦାର ହେବ ଚଢ଼ଉ

anidjarlevine.com

ଭୁବନେଶ୍ବର: ରାଜ୍ୟ ସଡ଼କ ନିରାପତ୍ତା ପରିଷଦର ପ୍ରଥମ ବୈଠକରେ ମଦୁଆ ଚାଳକଙ୍କ ପାଇଁ ଅଧିକ ଦୁର୍ଘଟଣା ଘଟୁଥିବା ନେଇ ଉଦ୍‌ବେଗ ପ୍ରକାଶ ପାଇବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କଡ଼ା ନିର୍ଦ୍ଦେଶ ଆସିଛି। କମିସନରେଟ୍‌ ପୁଲିସ ସହ ଆଲୋଚନା କରି ଏହାକୁ ଏକ ଅଭିଯାନ ଭାବେ ଆରମ୍ଭ କରିବାକୁ ପରିବହନ ବିଭାଗ ଯୋଜନା କରିଛି। ଏଥିପାଇଁ ଖୁବ୍‌ଶୀଘ୍ର ସହର ସାରା ବିଭିନ୍ନ ଜାଗା‌‌ରେ ମଦୁଆ ଚାଳକଙ୍କ ସ୍ଥିତି ଯାଞ୍ଚ କରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଦୀପ ମହାନ୍ତି ସୂଚନା ଦେଇଛନ୍ତି। ପରିବହନ ବିଭାଗର କର୍ମଚାରୀ ଅଭାବ ଥିଲେ ହେଁ କମିସନରେଟ୍‌ ପୁଲିସ ସହଯୋଗରେ ଏହି ଅଭିଯାନ ହେବାକୁ ଥିବାରୁ କୌଣସି ସମସ୍ୟା ହେବ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ପୁଲିସ ପକ୍ଷରୁ ହୋଇଥିବା ସର୍ବେକ୍ଷଣ ମୁତାବକ, ୭୦ ପ୍ରତିଶତରୁ ଅଧିକ ଦୁର୍ଘଟଣା‌ ମଦ୍ୟପ ଚାଳକଙ୍କ ଯୋଗୁଁ ହୋଇଥାଏ। ସେମାନେ ମଦ ନିଶାରେ ଦ୍ରୁତ ଗତିରେ ଗାଡ଼ି ଚଳାଇବା ସହ ଟ୍ରାଫିକ୍‌ ନିୟମ ମାନିନଥାନ୍ତି। ଫଳରେ ଦୁର୍ଘଟଣା ଘଟିଥାଏ। ତେଣୁ ସେମାନଙ୍କୁ ସାବାଡ୍‌ କରିବା ପାଇଁ ଏବେ ଚଢ଼ଉକୁ ଜୋରଦାର କରାଯିବ।

ଏହି ଚଢ଼ଉ ନୂଆ କଥା ନୁହେଁ, ବିଭିନ୍ନ ସମୟରେ ପୁଲିସ ଓ ଆରଟିଓ ପକ୍ଷରୁ ‘ବ୍ରେଦ୍‌ ଆନାଲାଇଜର’ ଜରିଆରେ ମଦୁଆ ଚାଳକଙ୍କୁ ଯାଞ୍ଚ କରାଯାଉଛି। ମାତ୍ର ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ମଦ ପିଇ ଗାଡ଼ି ଚଳାଇବା ବେଳେ ଧରାପଡ଼ିଲେ ସର୍ବାଧିକ ୨ହଜାର ଟଙ୍କା ଜରିମାନା ଥିବା ବେଳେ କୋର୍ଟରେ ପ୍ରମାଣ ହେଲେ ୬ମାସ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଭୋଗିବାର ବ୍ୟବସ୍ଥା ଅଛି। କିନ୍ତୁ ଆଜି ପର୍ଯ୍ୟନ୍ତ କେହି ଏ ଦଣ୍ଡ ଭୋଗି ନାହାନ୍ତି। ଦ୍ବିତୀୟଥର ଧରାପଡ଼ିଲେ ଜରିମାନା ୩ ହଜାର ଟଙ୍କା ରହିଥିବା ବେଳେ ଜେଲ୍‌ ଦଣ୍ଡ ୨ବର୍ଷ ରହିଛି। ଅଦ୍ୟାବଧି କେହି ଦ୍ବିତୀୟ ଥର ଧରାପଡ଼ି ୩ ହଜାର ଫାଇନ୍‌ ଦେଇଥିବା ନା ପୁଲିସ ରେକର୍ଡରେ ନା ପରିବହନ ବିଭାଗ ରେକର୍ଡରେ ରହିଛି। ଏଣୁ ଏହି ମଦ୍ୟପ ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଅଭିଯାନ କେତେ ଦୂର ଦୁର୍ଘଟଣା ରୋକିପାରିବ, ସେ ନେଇ ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe