ଦେବୋତ୍ତର ହାତରେ ଚାବିକାଠି, ଜାଗର ପାଇଁ ପାସ୍‌ କଟକଣା

Advertisment
ଦେବୋତ୍ତର ହାତରେ ଚାବିକାଠି, ଜାଗର ପାଇଁ ପାସ୍‌ କଟକଣା

ଭୁବନେଶ୍ଵର: ସୋମବାର ମହାଶିବରାତ୍ରୀ। ଶ୍ରୀଲିଙ୍ଗରାଜ ମନ୍ଦିରରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଶୃଙ୍ଖଳିତ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟାରିକେଡ୍‌ ହୋଇଥିବା ବେଳେ ଏଥର ପାସ୍‌ ଉପରେ କଟକଣା କରାଯାଇଛି। ଦେବୋତ୍ତର ବିଭାଗ ନିଜ ହାତରେ ଚାବିକାଠି ରଖିଛି। କମିସନଙ୍କ ଦସ୍ତଖତ ବିନା କୌଣସି ପାସ୍‌ ଇସ୍ୟୁ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ହୋଇଛି। ତା’ ସହ ଯେଉଁମାନଙ୍କୁ ପାସ୍‌ ଦିଆଯିବ, ସେମାନଙ୍କର ନାମ ତାଲିକା ପ୍ରଦାନ କରିବା ପାଇଁ ଦେବୋତ୍ତର କମିସନର ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପରିସ୍ଥିତିରେ ପ୍ରଶାସନ କିମ୍ବା ଟ୍ରଷ୍ଟ ବୋର୍ଡ ପାସ୍‌ ଛାପି ପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। କମିସନଙ୍କ ଦସ୍ତଖତରେ ପାସ୍‌ ଇସ୍ୟୁ ହେବା ପରେ ଏଗୁଡ଼ିକୁ ଦେବୋତ୍ତର ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ଯାଞ୍ଚ କରିବେ। ସେଥିପାଇଁ ଅଧିକାରୀମାନଙ୍କୁ ସ୍ବତନ୍ତ୍ର ଚିଠି ଜରିଆରେ ଅବଗତ କରାଯାଇଛି। ସର୍ବାଧିକ ୫ଶହରୁ ୧ହଜାର ପାସ୍‌ ଛପା ଯିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ଫଳରେ ଦର୍ଶନ ଶୃଙ୍ଖଳିତ ହେବା ସହ ବିଳମ୍ବ ହେବ ନାହିଁ। ଧାଡ଼ିରେ ଛିଡ଼ା ହୋଇଥିବା ସାଧାରଣ ଭକ୍ତ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବେ ନାହିଁ ବୋଲି ଦେବୋତ୍ତର ଆୟୁକ୍ତ ବିରଜା ପ୍ରସାଦ ଦତ୍ତ କହିଛନ୍ତି।

ସୂଚନାଯୋଗ୍ୟ, ରାଧାପାଦ ଦର୍ଶନ ସମୟରେ ସତ୍ୟବାଦୀ ସାକ୍ଷୀ ଗୋପିନାଥ ମନ୍ଦିରରେ ଏହି ପାସ୍‌କୁ ନେଇ ସମସ୍ୟା ହୋଇଥିଲା। ଜିଲ୍ଲା ପ୍ରଶାସନ ଓ ପୁଲିସ ମିଳିତ ଭାବେ ଏହି ପ୍ରଦାନ କରୁଥିଲେ। ଫଳରେ ଏଥିରେ ବ୍ୟାପକ ଜାଲିଆତି ହେବା ସହ ପାସ୍‌କୁ ଜେରକ୍ସ କରି କେତେକ ସାଧାରଣ ଲୋକ ଭିଆଇପି ଧାଡ଼ିରେ ପହଞ୍ଚିଥିଲେ। ଏଣୁ ନିୟନ୍ତ୍ରଣ କରିବା କଷ୍ଟକର ବ୍ୟାପାର ହୋଇଥିଲା। ସେତେ‌ବେଳେ ଏହାକୁ ନେଇ ତନାଘନା ହୋଇଥିଲା। ଏହା ପରେ ଦେବୋତ୍ତର କମିସନରଙ୍କ ହସ୍ତକ୍ଷେପ ଫଳରେ ଏହି ପାସ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଅନୁରୂପ ଢଙ୍ଗରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଏହି ବ୍ୟବସ୍ଥା ହେବାକୁ ଯାଉଛି। ପୂର୍ବରୁ ମନଇଚ୍ଛା ପାସ୍‌ ପ୍ରଦାନ କରାଯାଉଥିବାରୁ ବିଶୃଙ୍ଖଳା ହେଉଥିଲା। କେତେକ ଭକ୍ତ ପାସ୍‌କୁ ନକଲ କରି ବ୍ୟବହାର କରୁଥିବାରୁ ଦର୍ଶନ ବିଳମ୍ବ ସହ ପାସ୍‌ ପାଇଁ ବ୍ୟବହୃତ ହେଉଥିବା ଧାଡ଼ି ଗହଳି ରହୁଥିଲା। ଫଳରେ ସାଧାରଣ ଲୋକ ଦୀର୍ଘ ସମୟ ଧରି ଛିଡ଼ା ହୋଇ ରହୁଥିବା ଦେଖା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe