ଆଜି ମହାଷଷ୍ଠୀ: ମଣ୍ଡପରେ ମୁଖରିତ ହେବ ମନ୍ତ୍ରଧ୍ବନି

Advertisment
ଆଜି ମହାଷଷ୍ଠୀ: ମଣ୍ଡପରେ ମୁଖରିତ ହେବ ମନ୍ତ୍ରଧ୍ବନି

News18 Hindi

ଭୁବନେଶ୍ବର: ରାତି ପାହିଲେ ମହାଷଷ୍ଠୀ। ତେଣୁ ମା’ ଦୁର୍ଗାଙ୍କ ପୂଜା ପାଇଁ ସଜେଇ ହୋଇସାରିଥିବା ସବୁ ପୂଜା ମଣ୍ଡପରେ ମୁଖରିତ ହେବ ମନ୍ତ୍ରଧ୍ବନି। ମା’ଙ୍କ ଆବାହନୀ ମନ୍ତ୍ରରେ ଗୁଞ୍ଜରିତ ହେବ ଖଣ୍ଡମଣ୍ଡଳ। ତେଣୁ ଆଜିଠୁ ରାଜଧାନୀରେ ଆରମ୍ଭ ହୋଇଯାଇଛି ଉତ୍ସବର ମାହୋଲ। ଆଖି ଝଲସା ରଙ୍ଗିନ ଆଲୋକରେ ଝଲସୁଛି ପୂଜା ମଣ୍ଡପର ତୋରଣ। ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। କେବଳ ମା’ଙ୍କ ଆଗମନକୁ ଅପେକ୍ଷା।
ସୂଚନାଯୋଗ୍ୟ ଯେ ମା’ଙ୍କ ପୀଠଗୁଡ଼ିକରେ ୧୭ତାରିଖରୁ ଷୋଳ ପୂଜା ଆରମ୍ଭ ହୋଇଯାଇଛି। ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଁ ଉଦ୍ଦିଷ୍ଟ ମଣ୍ଡପଗୁଡ଼ିକରେ ଆସନ୍ତାକାଲିଠାରୁ ମହାଷଷ୍ଠୀ ଅବସରରେ ଆରମ୍ଭ ହେବ ପୂଜା। ତେଣୁ ଆଜି ସଂଧ୍ୟାରେ ବିଲ୍ବବରଣ ପରେ ପୂଜା ମଣ୍ଡପଗୁଡ଼ିକରେ ସିଂହବାହିନୀ ମା’ ଦେବୀ ଦୁର୍ଗାଙ୍କୁ ଆବାହନ କରି ଅଧିଷ୍ଠିତ କରାଯିବ।

ଆସନ୍ତାକାଲି ପାରମ୍ପରିକ ଷଷ୍ଠୀ ପୂଜାରେ ମଣ୍ଡପଗୁଡ଼ିକ ଚଳଚଞ୍ଚଳ ହୋଇଉଠିବ। କରୋନା ଯୋଗୁଁ ଦୁଇ ବର୍ଷ ହେଲା କଟକଣା ଭିତରେ ପୂଜା ହେଉଥିଲା। ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରିବାର ସୁଯୋଗ ପାଇ ନଥିଲେ। ହେଲେ ଏବର୍ଷ ବେଶ୍ ଜମିବ ପୂଜା। ଏଣୁ ଆସନ୍ତାକାଲିଠୁ ରାଜଧାନୀର ସମସ୍ତ ପୂଜା ମଣ୍ଡପରେ ପ୍ରବଳ ଭିଡ଼ ଜମିବ। ଜନଗହଳିକୁ ନଜରରେ ରଖି କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ

ପାଇଁ ଟ୍ରାଫିକ୍‌ ପୁଲିସ୍‌ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସାରା ସହରରେ ୩୦ ପ୍ଲାଟୁନ ପୁଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି।
ଅପରପକ୍ଷେ ପାରମ୍ପରିକ ବାଦ୍ୟଶିଳ୍ପୀ, ଭଜନ ଦଳ, ମେଲୋଡି ଗ୍ରୁପ୍‌ମାନଙ୍କ ରିହର୍ସାଲ ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଛି। ଆସନ୍ତାକାଲିଠାରୁ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦାଣ୍ଡିଆ ନାଇଟ୍‌ ଆରମ୍ଭ ହୋଇଯିବ। ଛୋଟ, ବଡ଼ ହୋଟେଲଠାରୁ ଆରମ୍ଭ କରି ତାରକା ହୋଟେଲ ପର୍ଯ୍ୟନ୍ତ ଓ ସହରର ବିଭିନ୍ନ ପଡ଼ିଆରେ ଦାଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ଆସନ୍ତାକାଲିଠାରୁ ସପ୍ତାହନ୍ତ ଆରମ୍ଭ ହୋଇଯାଉଥିବାରୁ କିଣାକିଣି ମଧ୍ୟ ବେଶ୍‌ ଜମିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe