ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ: ବଦଳିଲା ନିଷ୍ପତ୍ତି, ୨୦୦ ଜଣଙ୍କୁ ଅନୁମତି

Advertisment

ଘଣ୍ଟାଏ ରହିବେ ଉପରାଷ୍ଟ୍ରପତି, ଆଲୋକମାଳାରେ ଝଟକୁଛି କ୍ୟାମ୍ପସ

ଘଣ୍ଟାଏ ରହିବେ ଉପରାଷ୍ଟ୍ରପତି, ଆଲୋକମାଳାରେ ଝଟକୁଛି କ୍ୟାମ୍ପସ

ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ: ବଦଳିଲା ନିଷ୍ପତ୍ତି, ୨୦୦ ଜଣଙ୍କୁ ଅନୁମତି

ଭୁବନେଶ୍ବର: ଶନିବାର ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହ। ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ସମାବର୍ତ୍ତନ ଉତ୍ସବ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ଦେବେ। ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ ଉତ୍ସବ ସ୍ଥଳରେ ଦୁଇ ହଜାର ଲୋକ ବସିବା ଲାଗି ବ୍ୟବସ୍ଥା ଥିଲେ ମଧ୍ୟ କରୋନା ପାଇଁ ତାହାକୁ ୫୦୦ରେ ସୀମିତ ରଖାଯାଇଥିବା ବେଳେ ଶେଷ ମୂହୁର୍ତ୍ତରେ ନିଷ୍ପତ୍ତିରେ ପରିବର୍ତନ କରାଯାଇଛି। ଉତ୍ସବରେ ମାତ୍ର ୨୦୦ ଲୋକ ସାମିଲ ହେବାକୁ ଅନୁମତି ମିଳିବ।publive-image

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ବର୍ତମାନର ଛାତ୍ରଛାତ୍ରୀଙ୍କୁ ଉତ୍ସବ ସ୍ଥଳରେ ବସିବାକୁ ଅନୁମତି ମିଳିବ ନାହିଁ। ଅଧ୍ୟାପକ ଓ କର୍ମଚାରୀ ବି ସାମିଲ ହେବେ ନାହିଁ। ଡିଗ୍ରି ହାସଲ କରିବାକୁ ଥିବା ଛାତ୍ରଛାତ୍ରୀଙ୍କ ସମେତ ବିଶ୍ବବିଦ୍ୟାଳୟ ଏକାଡେମିକ କାଉନ୍‌ସିଲ୍‌ ଓ ସିନେଟ୍ ସଦସ୍ୟ ସାମିଲ ହେବେ। ହାତଗଣତି କେତେଜଣ ଅତିଥିଙ୍କୁ କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନୁମତି ମିଳିଛି। ସେହିପରି ସ୍ବେଚ୍ଛାସେବୀଙ୍କ ସଂଖ୍ୟା ମଧ୍ୟ କମାଇ ଦିଆଯାଇଛି। ପୂର୍ବରୁ ୭୦ ଜଣ ସ୍ବେଚ୍ଛାସେବୀ ରହିବାକୁ ଥିବାବେଳେ ଏହାକୁ ୧୦ ମଧ୍ୟରେ ସୀମିତ ରଖାଯାଇଛି। ପ୍ରତି ସିଟ୍‌ ମଧ୍ୟରେ ୬ ଫୁଟ୍‌ର ଦୂରତା ରହିବ। ଛାତ୍ରଛାତ୍ରୀ, ଅଧ୍ୟାପକ ଓ ବିଶ୍ବବିଦ୍ୟାଳୟର ଅନ୍ୟ କର୍ମଚାରୀଙ୍କ ପାଇଁ ଇ-ପାଠାଗାରରେ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯିବାର ବ୍ୟବସ୍ଥା ହୋଇଛି। ଦୁଇଟି ପୃଥକ୍‌ ହଲ୍‌ରେ ସମାବର୍ତ୍ତନ ଉତ୍ସବର ସିଧାପ୍ରସାରଣ କରାଯିବ। ଉତ୍ସବ ପୂର୍ବରୁ ଆଜି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ମଞ୍ଚ ନିକଟକୁ ଯାଇ କାର୍ଯ୍ୟର ତଦାରଖ କରିଛନ୍ତି। ସନ୍ଧ୍ୟା ସୁଦ୍ଧା ସମ୍ପୂର୍ଣ୍ଣ କ୍ୟାମ୍ପସରେ ପୁଲିସ ଛାଉଣି ହୋଇଛି। ଅତିଥିମାନେ ଏକାଡେମିକ୍‌ ଭବନରୁ ବାହାରି ଦୀକ୍ଷାନ୍ତ ହଲ୍‌କୁ ଯିବାକୁ ଥିବାରୁ ସ୍ବତନ୍ତ୍ର ବ୍ୟାରିକେଡ୍‌ କରାଯାଇଛି।ଆଲୋକମାଳାରେ ସମ୍ପୂର୍ଣ୍ଣ କ୍ୟାମ୍ପସକୁ ରଙ୍ଗିନ୍‌ କରାଯାଇଛି।

କୁଳପତି ଶ୍ରୀମତୀ ଆଚାର୍ଯ୍ୟ କହିଛନ୍ତି ଯେ ୫୦ତମ ସମାବର୍ତ୍ତନ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଦେଶର ୫ଜଣ ବ୍ୟକ୍ତିତ୍ୱଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‍ ଡିଗ୍ରି ପ୍ରଦାନ କରାଯିବ। ଆର୍‍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ, ହାଇକୋର୍ଟ ବିଚାରପତି ଜଷ୍ଟିସ୍‍ ସଞ୍ଜୁ ପଣ୍ଡା, ବାର୍କର ନିର୍ଦେଶକ ଅଜିତ୍‍ କୁମାର ମହାନ୍ତି ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ବିଜୟ କୁମାର ସାହୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯିବ। ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ୪୧ଜଣଙ୍କୁ ପିଏଚ୍‍ଡି ଡିଗ୍ରି ଓ ୯୦ଜଣଙ୍କୁ ସ୍ୱର୍ଣ୍ଣ ପଦକ ଦିଆଯିବ। ନୂଆ ସମାବର୍ତ୍ତନ ପ୍ରେକ୍ଷାଳୟ ‘ଦୀକ୍ଷାନ୍ତ ଭବନ’ରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ଭାଗନେବାକୁ ଥିବା ସମସ୍ତଙ୍କର କରୋନା ଟେଷ୍ଟ ହୋଇଛି। ପୂର୍ବାହ୍ନ ୧୦ଟା୩୦ରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବ ଏକ ଘଣ୍ଟା ଧରି ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe