ଆଜି ବିଶ୍ବ ପରିବେଶ ଦିବସ: ଗଛ କମୁଛି, ଘଞ୍ଚ ଜଙ୍ଗଲ ସ୍ବପ୍ନ, ଉପକଣ୍ଠରେ ପ୍ଲାଷ୍ଟିକ୍‌ ଆବର୍ଜନା

Advertisment

ରାସ୍ତା ସମ୍ପ୍ରସାରଣ ହେଉ କି ଆପାର୍ଟମେଣ୍ଟ ନିର୍ମାଣ। କିମ୍ବା ଉନ୍ନୟନମୂଳକ କାର୍ଯ୍ୟ ନାଁରେ ପ୍ରତିଦିନ ରାଜଧାନୀର କେଉଁଠି ନା କେଉଁଠି ଗଛ କଟା ଚାଲିଛି। ଯେ‌ତିକି କାଟୁଛନ୍ତି ସେହି ଅନୁଯାୟୀ ଲଗାଉ ନ ଥିବାରୁ ଏବେ ପରିବେଶ ପ୍ରତି ବିପଦ ସୃଷ୍ଟି ହୋଇଛି।

ରାସ୍ତା ସମ୍ପ୍ରସାରଣ ହେଉ କି ଆପାର୍ଟମେଣ୍ଟ ନିର୍ମାଣ। କିମ୍ବା ଉନ୍ନୟନମୂଳକ କାର୍ଯ୍ୟ ନାଁରେ ପ୍ରତିଦିନ ରାଜଧାନୀର କେଉଁଠି ନା କେଉଁଠି ଗଛ କଟା ଚାଲିଛି। ଯେ‌ତିକି କାଟୁଛନ୍ତି ସେହି ଅନୁଯାୟୀ ଲଗାଉ ନ ଥିବାରୁ ଏବେ ପରିବେଶ ପ୍ରତି ବିପଦ ସୃଷ୍ଟି ହୋଇଛି।

ଏକ ଧାରଣକ୍ଷମ ଧରଣୀ

ଭୁବନେଶ୍ବର: ରାସ୍ତା ସମ୍ପ୍ରସାରଣ ହେଉ କି ଆପାର୍ଟମେଣ୍ଟ ନିର୍ମାଣ। କିମ୍ବା ଉନ୍ନୟନମୂଳକ କାର୍ଯ୍ୟ ନାଁରେ ପ୍ରତିଦିନ ରାଜଧାନୀର କେଉଁଠି ନା କେଉଁଠି ଗଛ କଟା ଚାଲିଛି। ଯେ‌ତିକି କାଟୁଛନ୍ତି ସେହି ଅନୁଯାୟୀ ଲଗାଉ ନ ଥିବାରୁ ଏବେ ପରିବେଶ ପ୍ରତି ବିପଦ ସୃଷ୍ଟି ହୋଇଛି। ଗୋଟିଏ ପଟେ ଜଳବାୟୁ ପରିବର୍ତ୍ତନ ତ ଆଉ ପଟେ ପରିବେଶ ପ୍ରଦୂଷଣ ଏବେ ସହରବାସୀଙ୍କ ନିଦ ହଜାଇ ଦେଲାଣି। ସବୁଜ ସୁନ୍ଦର ରାଜଧାନୀର ବାର୍ତ୍ତା ଦିଆଯାଉଥିଲେ ମଧ୍ୟ ସହର ବର୍ତ୍ତମାନ କଂକ୍ରିଟ୍‌ମୟ। ଯାହାକୁ ନିୟନ୍ତ୍ରଣ କରିବା ପ୍ରଶାସନ ପାଇଁ ବଡ଼ ଆହ୍ବାନ ପାଲଟିଛି। ଗଛ ଲଗାଇ ବନ ବିଭାଗ ଓ ବିଏମ୍‌ସି ପରିବେଶ ସୁରକ୍ଷା ଦିଗରେ କିଛିଟା ପଦକ୍ଷେପ ନେଇଥିଲେ ମଧ୍ୟ ସେତେଟା ସଫଳତା ମିଳିପାରି ନାହିଁ। ୨୦୨୪ରେ ଏକ ଲକ୍ଷ ଗଛ ଲଗାଇବାକୁ ବିଏମ୍‌ସି ଯୋଜନା କରିଥିଲା। ହେଲେ ଟାର୍ଗେଟ୍‌ର ୪୦% ପହଞ୍ଚିବାରେ ସକ୍ଷମ ହୋଇପାରି ନ ଥିଲା। ଯେଉଁଠି ବି ଗଛ ଲାଗିଥିଲା ସେଗୁଡ଼ିକୁ ବଞ୍ଚାଇବା ସମ୍ଭବପର ହୋଇନାହିଁ।

ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ସୁରକ୍ଷା ଅଭାବରୁ ଗଛଗୁଡ଼ିକ ମରି ଯାଇଥିବା ବେଳେ ସୁରକ୍ଷା ବାଡ଼ ସେଭଳି ଛିଡ଼ା ହୋଇ ରହିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ସହର ନିକଟରେ ଜଙ୍ଗଲ ଦିନକୁ ଦିନ କମୁଥିବା ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଆଇ) ରିପୋର୍ଟରୁ ଜଣାପଡ଼ିଛି। ତଥ୍ୟ ଅନୁଯାୟୀ ୨୦୨୧ ତୁଳନାରେ ୨୦୨୩ରେ ଭୁବନେଶ୍ବର ସିଟି ଫରେଷ୍ଟ ଡିଭିଜନ୍‌ରେ ୦.୦୭ ବର୍ଗ କିମି ଜଙ୍ଗଲ ହ୍ରାସ ପାଇଛି। ଖୋର୍ଦ୍ଧା ଜିଲ୍ଲାର ଅଧିକାଂଶ ଅଞ୍ଚଳ ଆସୁଥିବା ସିଟି ଫରେଷ୍ଟ ଡିଭିଜନ୍‌ର ପରିସୀମା ୧,୪୪୫.୧୮ ବର୍ଗ କିମି ଥିବା ବେଳେ ମାତ୍ର ୫୮.୯୦ ବର୍ଗ କିମିରେ ଜଙ୍ଗଲ ରହିଛି। ଆଦୌ ଘଞ୍ଚ ଜଙ୍ଗଲ ନାହିଁ। ୦.୫୧ ବର୍ଗ କିମି ମଧ୍ୟମ ଘଞ୍ଚ ଓ ୫୮.୩୯ ବର୍ଗ କିମିର ଖୋଲା ଜଙ୍ଗଲ ଏବଂ ୧.୨୮ ବର୍ଗ କିମିରେ ବୁଦା ଜାତୀୟ ଗଛ ରହିଛି। ସହର ସଂଲଗ୍ନ ୪୯୪.୨୮ ବର୍ଗ କିମି ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଡିଭିଜନ୍‌ରେ ୨୦୨୩ ପର୍ଯ୍ୟନ୍ତ ଆଦୌ ଘଞ୍ଚ ଜଙ୍ଗଲ ହିଁ ନାହିଁ। ୩୩.୩୬ ବର୍ଗ କିମିରେ ମଧ୍ୟମ ଘଞ୍ଚ ଓ ୧୬୭.୪୫ ବର୍ଗ କିମିରେ ଖୋଲା ଜଙ୍ଗଲ ରହିଛି। ୨୦୨୧ରେ ଯେତିକି ଜଙ୍ଗଲ ରହିଥିଲା ୨୦୨୩ରେ ସେତିକି ଚିହ୍ନଟ ହୋଇଛି। ସଂରକ୍ଷିତ ଜଙ୍ଗଲ ହୋଇଥିବାରୁ ଜଙ୍ଗଲ ବଢ଼ିନି କି କମିନି। ଏହି ଡିଭିଜନ୍‌ରେ ୩୬.୦୩ ବର୍ଗ କିମି ଅଞ୍ଚଳରେ ବୁଦାଜାତୀୟ ଗଛ ରହିଛି, ଯାହାକି ବନ୍ୟଜନ୍ତୁଙ୍କୁ ପାଇଁ ବେଶ ଉପଯୋଗୀ ହେଉଛି। 

ଖୋର୍ଦ୍ଧା ଜିଲ୍ଲା କଥା ଦେଖିଲେ ଏଠାରେ ୨,୮୧୩ ବର୍ଗ କିମି ଅଞ୍ଚଳକୁ ନେଇ ଅଧ୍ୟୟନ କରାଯାଇଥିଲା। ସେଥିମଧ୍ୟରୁ ୫୩୦.୪୦ ବର୍ଗ କିମିରେ ଜଙ୍ଗଲ ରହିଛି, ଯାହାକି ୨୦୦୩ ତୁଳନାରେ ବହୁ ଅଧିକ। ଗତ ଦୁଇ ଦଶନ୍ଧି ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ୧୬୮ ବର୍ଗ କିମି ଜଙ୍ଗଲ ବୃଦ୍ଧି ଘଟିଛି। ସମସ୍ତ ବର୍ଗର ଜଙ୍ଗଲ ପରିମାଣ ବଢ଼ିଛି। ୨୦୨୩ରେ ଏହି ଜିଲ୍ଲାରେ ୨୨.୧୯ ବର୍ଗ କିମି ‌ଘଞ୍ଚ, ୧୮୮.୭୩% ମଧ୍ୟମ ଘଞ୍ଚ ଓ ୩୧୯.୪୮ ବର୍ଗ କିମି ଖୋଲା ଜଙ୍ଗଲ ରହିଛି। ୨୦୨୧ ତୁଳନାରେ ୨୦୨୩ରେ ଜିଲ୍ଲାରେ ୭.୧୯ ବର୍ଗ କିମି ବୃଦ୍ଧି ପାଇଛି।

ଉପକଣ୍ଠରେ ପ୍ଲାଷ୍ଟିକ୍‌ ଆବର୍ଜନା
ଖଣ୍ଡଗିରି: ଯୁଆଡ଼େ ଚାହିଁଲେ କୁଢ଼ କୁଢ଼ ଆବର୍ଜନା। ଭଙ୍ଗା ପ୍ଲାଷ୍ଟିକ ଆସବାବପତ୍ର, ଉତ୍ସବ ସାଜସଜ୍ଜାରେ ବ୍ୟବହୃତ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ପଡ଼ିଛି। ଡାକ୍ତରଖାନାରୁ ବାହାରୁଥିବା ବର୍ଜ୍ୟ, ଭୋଜିଭାତରେ ବ୍ୟବହୃତ ଅଇଁଠା ପତ୍ର, କାଚ, ପଲିଥିନ୍, ଚେପା ପ୍ଲାଷ୍ଟିକ୍ ବୋତଲ ପାହାଡ଼ ଭଳି ଜମା ହେଉଛି। କେହି ଉଠାଉ ନାହାନ୍ତି କି ତଦାରଖ କରୁନାହାନ୍ତି। ପରିଣାମ ସ୍ବରୂପ ସହର ଉପକଣ୍ଠ ମଳିପଡ଼ା, ଗଙ୍ଗାପାଟଣା, ଦାରୁଠେଙ୍ଗ, ଅନ୍ଧାରୁଆ, ଦାଶପୁର, ଶ୍ୟାମପୁର, ଗୋଠପାଟଣା ପ୍ରଭୃତି ଅଞ୍ଚଳ ଏବେ ପ୍ଲାଷ୍ଟିକ୍‌ ଆବର୍ଜନା ପାହାଡ଼ରେ ପରିଣତ ହେବାକୁ ଯାଉଛି।

ଭୁବନେଶ୍ବର ଭିତର ଓ ଗ୍ରାମ ଭିତରେ ଗଢ଼ି ଉଠୁଥିବା ଆପାର୍ଟମେଣ୍ଟର ପ୍ଲାଷ୍ଟିକ୍‌ ଆବର୍ଜନା ଉପକଣ୍ଠର ବିଭିନ୍ନ ଖୋଲା ସ୍ଥାନରେ ଆସି ପଡ଼ୁଛି। ନି‌ର୍ଦ୍ଦିଷ୍ଟଭାବେ କେଉଁଠାରୁ ଓ କିଏ ଆଣି ପକାଉଛି ସେନେଇ କାହା ପାଖରେ ଖବର ନାହିଁ। ବିଏମ୍‌ସି ପକ୍ଷରୁ ସହରର ମଧ୍ୟବର୍ତ୍ତୀ ଅଞ୍ଚଳ ଉପରେ ଗୁରୁତ୍ବ ଦିଆଯାଉଥିଲେ ମଧ୍ୟ ଉପକଣ୍ଠକୁ ଅଣଦେଖା କରାଯାଉଛି। ବେଳେବେଳେ ବିଏମ୍‌ସି ଓ ଗ୍ରାମପଞ୍ଚାୟତସ୍ତରରେ ଆବର୍ଜନାକୁ ନେଇ ଟଣାଓଟରା ହେଉଛି। ପଞ୍ଚାୟତସ୍ତରରେ ଅଳିଆ ଉଠାଇବାକୁ ଯେଉଁ କିଛି ବ୍ୟବସ୍ଥା ହୋଇଛି ତାହା ଦ୍ରୁତ ସହରୀକରଣ ପାଇଁ ସମ୍ଭବପର ହେଉ ନାହିଁ। ଯୋଗାଇ ଦିଆଯାଇଥିବା ସଫେଇ ଗାଡ଼ି ସମ୍ପୂର୍ଣ ଅଞ୍ଚଳ ବୁଲି ସଫା କରିବାରେ ସକ୍ଷମ ହେଉ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ସହରର ଉପକଣ୍ଠ ସାରା ଏଭଳି ପରିବେଶ ସୃଷ୍ଟି ହୋଇଛି। ଯିଏ ଯେଉଁଠି ପାରିଲା ପ୍ଲାଷ୍ଟିକ୍‌ ଆବର୍ଜନା ପକାଇବା ସହ ପରିବେଶକୁ ନଷ୍ଟ କରିବାକୁ ଲାଗିପଡ଼ିଛନ୍ତି। ଶିଖରଚଣ୍ଡୀ ପାହାଡ଼ ତଳ, ଇନ୍‌ଫୋସିଟି ଅଞ୍ଚଳ, ପଟିଆରୁ ରଘୁରାଥପୁର ରାସ୍ତାପାର୍ଶ୍ବ, କଳାରାହାଙ୍ଗ, ପଦ୍ମକେଶରୀପୁର, ହଂସପାଳ ପରି ଅଞ୍ଚଳରେ ମଧ୍ୟ ବିଭିନ୍ନ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ପଡ଼ିରହୁଛି। ଉପକଣ୍ଠରେ ଥିବା ଜଙ୍ଗଲ ଭିତରେ କୁଢ଼କୁଢ଼ ଆବର୍ଜନା ପଡ଼ିବା ଦ୍ବାରା ମୋଟା ଆସ୍ତରଣ ଜମା ହୋଇ ସାରିଲାଣି। ତେଣୁ ଆଗଭଳି ଘାସ ବା ଛୋଟ ଗଛପତ୍ର ବଢୁନାହିଁ। ଗାଈଗୋରୁ ପଲିଥିନ୍‌ ଖାଇବା କାରଣରୁ ରୋଗରେ ପଡ଼ୁଥିବା ଲୋକେ ଅଭିଯୋଗ କରିଛନ୍ତି। ମଳିପଡ଼ାରେ ରହୁଥିବା ନୃସିଂହ ସୁବୁଦ୍ଧିଙ୍କ କହିବା ଅନୁସାରେ, ପ୍ରତିଦିନ ଗାଡ଼ିରେ ଆବର୍ଜନା ଆସି ଏଠାରେ ପକାଯାଉଛି। କିଏ ଆଣୁଛି, ଆମେ ଜାଣିନାହୁଁ। ଆଗକୁ ବର୍ଷାଦିନ ଆସିବାକୁ ଥିବାରୁ ଦୁର୍ଗନ୍ଧରେ ବଞ୍ଚିବା କଷ୍ଟକର ହୋଇପଡ଼ିବ। ତେଣୁ ପ୍ରଶାସନ ଏଦିଗରେ ପଦକ୍ଷେପ ନେଉ।

ନିକଟରେ ହୋଇଥିବା ଏକ ଗବେଷଣାରେ ଜଣାଯାଇଛି ଯେ ଦୈନନ୍ଦିନ ବ୍ୟବହୃତ ୧ ଲିଟର ପ୍ଲାଷ୍ଟିକ ବୋତଲ ପାଣିରେ ହାରାହାରି ୨ଲକ୍ଷ ୪୦ ହଜାର ଅତି କ୍ଷୁଦ୍ର ପ୍ଲାଷ୍ଟିକ୍‌ କଣିକା (ନାନୋ ପ୍ଲାଷ୍ଟିକ୍‌) ରହୁଛି। ଏହା ମଣିଷର ଧମନୀ, ଶିରାପ୍ରଶିରାରେ ପ୍ରବେଶ କରି ଜୀବକୋଷ ଉପରେ କୁପ୍ରଭାବ ପକାଉଛି। ଆମେରିକାର ନ୍ୟାସନାଲ୍‌ ଏକାଡେମି ଅଫ୍‌ ସାଇନ୍‌ସର ଗବେଷକଙ୍କ ଏକ ଟିମ୍‌ ଦ୍ବାରା କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ୧ ପ୍ଲାଷ୍ଟିକ୍‌ ବୋତଲରେ ଥିବା ପାଣିରେ ୧ରୁ ୫ହଜାର ମାଇକ୍ରୋମିଟର ଦୀର୍ଘ ପ୍ଲାଷ୍ଟିକ୍‌ ଅଣୁ ମିଳିଥାଏ। ପୂର୍ବେ ପ୍ଲାଷ୍ଟିକ୍‌ ବୋତଲରେ ଯେତିକି ପ୍ଲାଷ୍ଟିକ୍‌ ରହୁଥିବା ଅନୁମାନ କରାଯାଉଥିଲା, ବର୍ତମାନ ହୋଇଥିବା ଗବେଷଣାରେ ଏହାଠାରୁ ୧୦୦ଗୁଣ ଅଧିକ ପ୍ଲାଷ୍ଟିକ୍‌ ଖଣ୍ଡ ମିଳିଛି। ଗବେଷଣାରେ ବିଭିନ୍ନ ସ୍ଥାନରୁ ସଂଗୃହୀତ ୧୫ଟି ପ୍ଲାଷ୍ଟିକ୍‌ ବୋତଲର ପାଣିକୁ ପରୀକ୍ଷା କରାଯାଇଥିଲା। ଏଥିରେ ୧ଲକ୍ଷ ୧୦ ହଜାରରୁ ୩ଲକ୍ଷ ୭୦ ହଜାର ପର୍ଯ୍ୟନ୍ତ ପ୍ଲାଷ୍ଟିକ୍‌ ଅଣୁ ମିଳିଥିଲା। ସେହି ଦୃଷ୍ଟିରୁ ସହର ଉପକଣ୍ଠରେ ପଡ଼ୁଥିବ‌ା ପ୍ଲାଷ୍ଟିକ୍‌ଗୁଡ଼ିକ କେତେ ଭୟାନକ ତାହାକୁ ନେଇ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe