ଆଜିଠୁ ଖଣ୍ଡଗିରି ମେଳା : ଜପତପରେ କମ୍ପିବ ଗିରିଗହ୍ୱର

Advertisment

ପର୍ଯ୍ୟଟନସ୍ଥଳ ପାଲଟିଯିବ ମହାତୀର୍ଥ, ମୁତୟନ ହେବେ ୫ ପ୍ଲାଟୁନ୍‌ ଫୋର୍ସ

ପର୍ଯ୍ୟଟନସ୍ଥଳ ପାଲଟିଯିବ ମହାତୀର୍ଥ, ମୁତୟନ ହେବେ ୫ ପ୍ଲାଟୁନ୍‌ ଫୋର୍ସ

ଆଜିଠୁ ଖଣ୍ଡଗିରି ମେଳା : ଜପତପରେ କମ୍ପିବ ଗିରିଗହ୍ୱର

ଖଣ୍ଡଗିରି: ଆସନ୍ତାକାଲି ମହା ମାଘସପ୍ତମୀ। ଏହି ପବିତ୍ର ତିଥି‌ରେ ସାଧୁସନ୍ଥମାନେ ଖଣ୍ଡଗିରି ପାହାଡ଼ରେ ଆରମ୍ଭ କରିବେ ସୂର୍ଯ୍ୟ ଉପାସନା କୁମ୍ଭମେଳାର ଅନ୍ତିମ ପର୍ଯ୍ୟାୟ। ଶାମ୍ବ ଦଶମୀରୁ ଆରମ୍ଭ କୁମ୍ଭମେଳା ବା ସୂର୍ଯ୍ୟ ଉପାସନା ପବିତ୍ର ମାଘ ପୂର୍ଣମୀରେ ସମାହିତ ହେବ ଓ ବିଶ୍ବାସ ଅନୁସାରେ ଖଣ୍ଡଗିରିରେ ଏହି ମହାଯଜ୍ଞର ପୂର୍ଣ୍ଣାହୁତି ହେଲେ ପରମପୁଣ୍ୟ ପ୍ରାପ୍ତ ହେବ। ତେଣୁ ଏଠାରେ ଆସନ୍ତକାଲିଠାରୁ ହୋମଯଜ୍ଞ ସାଙ୍ଗକୁ ଜପତପ ଚାଲିବ। ରାମଚରିତ ମାନସ ପ‌ାଠ ଯୋଗୁଁ ସାରା ପାହାଡ଼ ରାମଧୂନ୍‌ରେ ପ୍ରକମ୍ପିତ ହେବ। ଯଜ୍ଞରୁ ନିସୃତ ପୋଡ଼ାଘୃତର ମହମହ ମହକ ସାଙ୍ଗକୁ ରାମନାମ ଜପ ଯୋଗୁଁ ସମଗ୍ର ପାହାଡ଼ରେ ସୃଷ୍ଟି ହେବ ଏକ ଭକ୍ତିମୟ ପରିବେଶ। ଦିନବେଳା ରାମଚରତ ପାରାୟଣର ଧୂନ୍‌ ସାଙ୍ଗକୁ ସନ୍ଧ୍ୟାରେ ଭଜନ କୀର୍ତ୍ତନ ଖଣ୍ଡଗିରି ପାହାଡ଼କୁ ଏହି ନଅ ଦିନ ପାଇଁ ଏକ ମହାତୀର୍ଥରେ ପରିଣତ କରିବ। ସାଧୁସନ୍ଥ ଦର୍ଶାନାଭିଳାଷୀମ‌ାନେ ଭିଡ଼ ଲଗାଇବେ ପାହାଡ଼ରେ। ବିଶ୍ବାସ ଓ ବିଧି ଅନୁସାରେ, ପ୍ରତ୍ୟୁଷ‌ରେ କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇ ସେମାନେ ଖଣ୍ଡଗିରିକୁ ଆସିବେ। ତେବେ ଆଜିଠାରୁ କିଛି ସାଧୁ ଖଣ୍ଡଗିରି ପାହାଡ଼ରେ ଅବସ୍ଥାନ କଲେଣି। ସେମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ବଦଳରେ ଖଣ୍ଡଗିରିର ପଞ୍ଚତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇବେ। ଅଧିକାଂଶ ସନ୍ଥ ରାଧାକୁଣ୍ଡରେ ସ୍ନାନ କରିବେ। ପ୍ରାୟ ମଧ୍ୟାହ୍ନ ପରେ ହୋମକୁଣ୍ଡରେ ଅଗ୍ନି ସ୍ଥାପନ ହେବ ଓ ଏହି ଅଖଣ୍ଡ ହୋମକୁଣ୍ଡ ୯ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଜଳି ରହିବ। ଖଣ୍ଡଗିରି ପାହାଡ଼ ପାଦଦେଶରେ ସନ୍ଥମାନଙ୍କ ଶିବିର ପାଇଁ ଭୁବନେଶ୍ବର ମହାନଗର ପକ୍ଷରୁ ସଫେଇ ଜୋରଦାର ଚାଲିଥିଲା। ପୂର୍ବତନ କର୍ପୋରେଟର୍‌ ଅଶ୍ବିନୀ କୁମାର ଜେନା, ରଘୁନାଥ ମହାନ୍ତି ଓ ବିଏମ୍‌ସି ଅଧିକାରୀମାନେ ଏହି ସଫେଇ କାର୍ଯ୍ୟ ପରିଚାଳନା କରିଥିଲେ। ସାଧୁସନ୍ଥଙ୍କ ଶିବିର ପାଇଁ କାଠ ବାଉଁଶ ଆଦି ଯୋଗାଇ ଦିଆଯାଇଛି ଓ ଆଲୋକ ପାଇଁ ବିଦ୍ୟୁତ୍ ସଂଯୋଗ କରାଯାଇଛି। ସେହିଭଳି ମେଳାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫ ପ୍ଲାଟୁନ୍‌ ପୁଲିସ ବଳ ନିୟୋଜିତ ହେବେ। ଖଣ୍ଡଗିରି ଥାନା ପକ୍ଷରୁ ଜଣେ ସବ୍‌ ଇନ୍‌ସ୍ପେକ୍ଟରଙ୍କ ଦାୟିତ୍ବରେ ଏକ ଅସ୍ଥାୟୀ ପୁଲିସ କ୍ୟାମ୍ପ ପ୍ରତିଷ୍ଠା କରାଯିବ ଓ ଏହି କ୍ୟାମ୍ପରୁ ସିସିଟିଭି ଜରିଆରେ ପୁଲିସ ମେଳା ଉପରେ ନଜର ରଖିବ। ସାଦା ପୋଷାକ‌ରେ ଉଭୟ ମହିଳା ଓ ପୁରୁଷ ପୁଲିସ କର୍ମଚାରୀ ମେଳାରେ ବୁଲିବେ।

ବିଶେଷକରି ପାହାଡ଼ ଉପରେ ପୁଲିସ କର୍ମଚାରୀ ଅଧିକ ନଜର ରଖିବେ। ଶାନ୍ତିଶୃଙ୍ଖଳା ରକ୍ଷା କାମରେ ସ୍ଥାନୀୟ କଳିଙ୍ଗ ଗ୍ରାମ୍ୟ ଉନ୍ନୟନ ପରିଷଦର ସଦସ୍ୟମାନେ ପୁଲିସକୁ ସହଯୋଗ କରିବେ। ଆଜି ଅନନ୍ତକେଶରୀଙ୍କ ଘୋଷଯାତ୍ରା- ଆସନ୍ତାକାଲି ସନ୍ଧ୍ୟାରେ ଜାଗମରା ନାଗାମଠରୁ ପ୍ରଭୁ ଅନନ୍ତକେଶରୀ ଉଦୟଗିରି ରାଣୀଗୁମ୍ଫା ଅଭିମୁଖେ ଘୋଷଯାତ୍ରାରେ ବାହାରିବେ। ବାଜା, ବାଣ ଓ ରୋଶଣି କରି ପ୍ରଭୁଙ୍କୁ ଏକ ବିଶାଳ ପଟୁଆରରେ ନିଆଯିବ। ଶୋଭାଯାତ୍ରା ଅବସରରେ ପ୍ରଭୁଙ୍କୁ ବାଟସାରା ଚାଚେରି ଭୋଗ ଲାଗି କରାଯିବ। ବିଧି ଅନୁସାରେ ପ୍ରଭୁ ଅନନ୍ତକେଶରୀ ରାଣୀଗୁମ୍ଫା‌ରେ କିଛି ସମୟ ଅବସ୍ଥାନ କରିବେ ଓ ଲଳିତାକୁଣ୍ଡରେ ଚାପ ଖେଳିବେ। ପୂଜାର୍ଚ୍ଚନା ପରେ ରାତାରାତି ପ୍ରଭୁ ପୁଣି ନାଗାମଠକୁ ପ୍ରତ୍ୟାବର୍ତ୍ତନ କରିବେ। ତେବେ ଉଲ୍ଲେଖନୀୟ ଘଟଣା ହେଉଛି, ପ୍ରଭୁ ଫେରିବା ବେଳେ କେହି ଦେଖିବେ ନାହିଁ। ତେଣୁ ନିଶାର୍ଦ୍ଧ‌‌‌‌‌‌‌ରେ ତାଙ୍କୁ ନାଗାମଠକୁ ଫେରାଇ ଅଣାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe