ଆଜି ନେତ୍ର ଉତ୍ସବ: ରଥ ପ୍ରତିଷ୍ଠା, ମରୀଚିକୁଣ୍ଡ ପାଣି ନିଲାମକୁ ଅପେକ୍ଷା

Advertisment
ଆଜି ନେତ୍ର ଉତ୍ସବ: ରଥ ପ୍ରତିଷ୍ଠା, ମରୀଚିକୁଣ୍ଡ ପାଣି ନିଲାମକୁ ଅପେକ୍ଷା

representetional immage - Odisha Bytes

ପୁରୁଣା ଭୁବନେଶ୍ୱର: ମଙ୍ଗଳବାର ମଧ୍ୟରାତ୍ରିରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ହେବ। ବିଧି ଅନୁସାରେ ମରୀଚିକୁଣ୍ଡର ପ୍ରଥମ କଳସ ପାଣିରେ ରଥ ପ୍ରତିଷ୍ଠା ପର୍ବ ଆରମ୍ଭ ହେବ। ରଥ ପାଇଁ ପାଣି ଯିବା ପରେ ପରମ୍ପରା ଅନୁଯାୟୀ ମରୀଚିକୁଣ୍ଡରୁ ଉଠିଥିବା ଅନ୍ୟ କଳସ ଜଳ ନିଲାମ ହେବ। ବଡ଼ୁ ନିଯୋଗ ପକ୍ଷରୁ ଏହି ନିଲାମ କରାଯିବ। ଏହି ପାଣିରେ ସ୍ନାନ କଲେ, ମହିଳାମାନଙ୍କୁ ସନ୍ତାନପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି। ତେଣୁ ମରିଚିକୁଣ୍ଡ ନିକଟରେ ଏସବୁ କାର୍ଯ୍ୟ ସମାହିତ ହେବାକୁ ଥିବାରୁ ରାତି ପାଇଁ ଏଠାରେ ଅସ୍ଥାୟୀ ଘର ଓ ଲାଇଟ୍‌ ବ୍ୟବସ୍ଥା କରାଯାଇଛି।

ବିଧି ଅନୁସାରେ ପବିତ୍ର ଅଶୋକାଷ୍ଟମୀ ତଥା ରୁକୁଣା ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ ନେତ୍ର ଉତ୍ସବ ଅନୁଷ୍ଠିତ ହୁଏ। ଏହି ତିଥିରେ ରଥ ନିର୍ମାଣ ସରିବା ସହ ପ୍ରତିଷ୍ଠା ହୋଇଥାଏ। ତେଣୁ ଆସନ୍ତାକାଲି ଏହି ପର୍ବ ପାଳିତ ହେବ। ମହାରଣା ସେବାୟତମାନେ ରଥ ନିର୍ମାଣ ସାରି ପ୍ରଶାସନକୁ ହସ୍ତାନ୍ତର କରିବେ। ମହାରଣା ସେବାୟତମାନଙ୍କ ସୂଚନାନୁସାରେ ରଥର ଚକ, ଅଖ କାମ ସରିବା ସହ ପୋଟଳ ଓ ପାରାଭାଡ଼ି କାମ ଶେଷ ହୋଇଛି। ରଥର ୧୬ କୋଣ ସିଂହ, ବଡ଼ ଛନ୍ଦା, ସାନ ଛନ୍ଦା, ୪ ଦ୍ବାର କାମ ସରିଛି। ସିଂହାସନ ପ୍ରଭା, ବେଦି ପଟ୍ଟା, ଉପର ପଟ୍ଟା କାମ ସହ ଘଣ୍ଟି ଓରା ଏବଂ ଧ୍ବଜ ବତା ଲଗା ସରିଛି। ନେତ୍ର ଉତ୍ସବ ଦିନ ସକାଳୁ ବେକି, କଳସ, ଦଧିନଉତି, ଓଲଟା ଶୁଆ ଓ ଝରା ଲଗାଯିବ ବୋଲି ସେବାୟତ ସୋମନାଥ ମହାରଣା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe