ଆଜି ନେତ୍ର ଉତ୍ସବ: ଶେଷ ପର୍ଯ୍ୟାୟରେ ରୁକୁଣା ରଥ ନିର୍ମାଣ, ନିଲାମ ହେବନି ମରୀଚିକୁଣ୍ଡ ପାଣି

Advertisment
ଆଜି ନେତ୍ର ଉତ୍ସବ: ଶେଷ ପର୍ଯ୍ୟାୟରେ ରୁକୁଣା ରଥ ନିର୍ମାଣ, ନିଲାମ ହେବନି ମରୀଚିକୁଣ୍ଡ ପାଣି

ପୁରୁଣା ଭୁବନେଶ୍ୱର: ଆସନ୍ତାକାଲି ସପ୍ତମୀ ତିଥି। ରୁକୁଣା ରଥର ନେତ ଅର୍ଥାତ ଧ୍ବଜା ବନ୍ଧା ଯିବ। ସେହିପରି ରଥ ପ୍ରତିଷ୍ଠା କରାଯିବ। ସପ୍ତମୀ ତିଥିରେ କେଦାର ଗୌରୀ ନିକଟ ମରୀଚିକୁଣ୍ଡରୁ ପାଣି ଆସି ରଥ ପ୍ରତିଷ୍ଠା ହେବା ପରେ ନେତ ବନ୍ଧାଯିବ। ଆଜି ରଥରେ ଭାରି ପଟା ଲାଗାଯିବା ସହ ଦୁଆର ଆଡ଼ା ଲଗାଯାଇଛି। ସେହିପରି ସାଇଡ୍‌ ପଟା, ବେଦୀ ପଟା, ଧ୍ବଜ ବନ୍ଧା, ଘଣ୍ଟି ଓରା, ଦୁଇ ଦୁଆର ଆଡ଼ାରେ ଦୁଇଟି ‘ଓଁ’ ଆକାରରେ ଚିହ୍ନ ଲଗାଯିବ। ରଥ କାମ ପ୍ରାୟ ଶେଷ ପର୍ଯ୍ୟାୟ ପହଞ୍ଚିଥିବା ବେଳେ ସୋମବାର ରାତି ସୁଦ୍ଧା ମହାରଣା କାମ ଶେଷ କରିବେ।

ଆମିଷ ଦ୍ରବ୍ୟ ବିକ୍ରି ନିଷେଧ
ରଥ ଯାତ୍ରା ଓ ବାହୁଡ଼ା ସମୟରେ ବଡ଼ଦାଣ୍ଡରେ ୧୪୪ଧାରା ଲାଗୁ ହେବ। ତେବେ ବାହୁଡ଼ା ପର୍ଯ୍ୟନ୍ତ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟ, ରାମେଶ୍ବର ମନ୍ଦିର ଚାରିପଟ ଓ ରଥଦାଣ୍ଡରେ ଅମିଷ ଦ୍ରବ୍ୟ ବିକ୍ରି ଉପରେ କଟକଣା ଜାରି କରାଯାଇଛି ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ମଧ୍ୟାହ୍ନ ୧୨ଟାରୁ ପହଣ୍ଡି

ରଥଯାତ୍ରା ଦିନ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ହେବ ପହଣ୍ଡି ବିଜେ। ଏଥିରେ ୧୫ଜଣ ସେବାୟତ ସାମିଲ ହୋଇ ପାରିବେ। ଏହି ସମୟରେ କୌଣସି ଭକ୍ତ ସେଠାକୁ ଆସି ପାରିବେ ନାହିଁ। ଉକ୍ତ ସେବାୟତମାନେ ପହଣ୍ଡିର ୪୮ଘଣ୍ଟା ପୂର୍ବରୁ କୋଭିଡ୍‌ ପରୀକ୍ଷା କରି ନେଗେଟିଭ୍‌ ରିପୋର୍ଟ ରହିଥିବା ଆବଶ୍ୟକ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ରଥରେ ଠାକୁର ପହଣ୍ଡି ହେବା ପରେ ପୂଜା କରାଯିବ। ଏହାପରେ ରଥଟଣା ହେବ। ଏହି ପୂଜା ଓ ରଥଟଣା ସମୟରେ ସର୍ବାଧିକ ୩୦ଜଣ ସେବାୟତ ସାମିଲ ହୋଇପାରିବେ। ରଥ ତଳେ ସମୁଦାୟ ୧୦୦ଜଣ ଉପସ୍ଥିତ ରହିବେ। ୫୦ଜଣ ସେବାୟତ ରଥ ଟାଣିବେ। ରଥ ଅପରାହ୍‌ଣ ସାଢ଼େ ୩ଟାରୁ ଟଣା ହୋଇ ସଂଧ୍ୟା ସାଢ଼େ ୬ଟାରେ ଶେଷ ହେବ। ରାସ୍ତାରେ ଓ ରାମେଶ୍ବର ମନ୍ଦିରରେ ଆଲୋକୀକରଣ ବ୍ୟବସ୍ଥା କରାଯିବ। ସେହିପରି ରାମେଶ୍ବର ମନ୍ଦିରରେ ୩୦ଜଣ ମଧ୍ୟରେ ପାଳିଆ ସେବାୟତ ରହି ସେବା କରିବେ। ଯାତ୍ରା ବେଳେ ଓ ରାମେଶ୍ବର ମନ୍ଦିରରେ କୌଣସି ସାଧାରଣ ଲୋକ ସାମିଲ ହୋଇ ପାରିବେ ନାହିଁ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ହେବନି ଲିଙ୍ଗରାଜ ମହୋତ୍ସବ

ଭୁବନେଶ୍ୱର: କରୋନା କଟକଣା ଯୋଗୁଁ ଚଳିତବର୍ଷ ଲିଙ୍ଗରାଜ ମହୋତ୍ସବ ହେବନାହିଁ। ଏନେଇ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ପ୍ରତିବର୍ଷ ରୁକୁଣା ରଥଯାତ୍ରା ସମୟରେ ୬ଦିନ ବ୍ୟାପୀ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥାଏ। ମହୋତ୍ସବରେ ଠାକୁରଙ୍କ ସମ୍ମୁଖରେ କଳାକାର ନୃତ୍ୟ ପରିବେଷଣ କରିଥାନ୍ତି।। ଇଜେଡ୍‌ସିସି, ଓଡ଼ିଶା ସଂସ୍କୃତି ବିଭାଗ ସହଯୋଗରେ ରାଜ୍ୟ ତଥା ରାଜ୍ୟ ବାହାରୁ ୫୦୦କଳାକାର ନୃତ୍ୟ ପରିବେଷଣ କରୁଥିଲେ। ତେବେ କୋଭିଡ଼୍‌ କଟକଣା ଯୋଗୁଁ କଳାକାରମାନଙ୍କୁ ଆସିବାକୁ ମନା କରାଯାଇଛି। ଏହାଛଡ଼ା କରୋନା ମହାମାରୀକୁ ଆମ ଦେଶ ତଥା ରାଜ୍ୟରୁ ଦୂରେଇବା ପାଇଁ ଅନୁଷ୍ଠାନ ପକ୍ଷରୁ ଶ୍ରୀଲିଙ୍ଗରାଜଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ଆଜିର ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ସମ୍ପାଦକ ସନତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସଂଯୋଜକ ଲିଙ୍ଗରାଜ ସାହୁ ଧନ୍ୟବାଦ ଦେଇଥିଲେ।

ରଥରେ ଲାଗିବ ୧୧୦ ମିଟର ନାଲି, ନୀଳ ଓ ଶୁଆ ରଙ୍ଗର କପଡ଼ା

publive-image

୪୪ବର୍ଷ ହେଲା ଠାକୁରଙ୍କ ସେବାରେ ଦର୍ଜି ସେବାୟତ
ପୁରୁଣା ଭୁବନେଶ୍ବର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସେବାରେ ଦୀର୍ଘ ୪୪ବର୍ଷ ହେଲା ନିଜକୁ ସମର୍ପିତ କରିଛନ୍ତି ଦର୍ଜି ସେବାୟତ ବଳରାମ ମହାରଣା। ରୁକୁଣା ରଥରେ ଲାଗୁଥିବା କପଡ଼ା ହେଉକି ଛତା, ଚାମର, ଧ୍ବଜା, ଶେଯ, ତକିଆ, ଛତ୍ରୀ, ତ୍ରାସ, ଆଲଟ ଆଦିକୁ ସେ ତିଆରି କରିଥାନ୍ତି। ଏଥିପାଇଁ ତାଙ୍କ ପୁଅ, ପୁତୁରା ଓ ପରିବାରର ଅନ୍ୟ ସଦସ୍ୟମାନେ ସାହାଯ୍ୟ କରିଥାନ୍ତି। ତେବେ ଚଳିତ ରଥ ପାଇଁ ସେ ୧୧୦ମିଟର ନାଲି, ନୀଳ ଓ ଶୁଆ ରଙ୍ଗର କପଡ଼ାରେ ରଥର ମୁଖ୍ୟ କପଡ଼ା ତିଆରି କରିଛନ୍ତି। ୫୫ମିଟର କପଡ଼ାରେ ୪ଟି ଦ୍ବାର ଆଡ଼ା ଓ ୩୫ମିଟର କପଡ଼ାରେ ରଥ ଘାଣ୍ଟ ଚକଟା ଆଦି ପ୍ରସ୍ତୁତି କରିନ୍ତି। ସେହିପରି ଠାକୁରଙ୍କ ଶେଯ ଖୋଳ, ତକିଆ ଖୋଳ, ଛତ୍ରୀ, ତ୍ରାସ, ଆଲଟ, ପତାକା, ଚାନ୍ଦୁଆ ଆଦି ପ୍ରସ୍ତୁତି କରନ୍ତି ବୋଲି ଶ୍ରୀ ମହାରଣା କହିଛନ୍ତି।

ନିଲାମ ହେବନି ମରୀଚିକୁଣ୍ଡ ପାଣି

ପୁରୁଣା ଭୁବନେଶ୍ବର: ‌ଆସନ୍ତାକାଲି ହେବ ରୁକୁଣା ରଥ ପ୍ରତିଷ୍ଠା। ରଥଯାତ୍ରାର ପୂର୍ବ ରାତିରେ ମୁକ୍ତେଶ୍ବର ମନ୍ଦିର ପରିସରରେ ଥିବା ମରୀଚିକୁଣ୍ଡ ପାଣି ଅଣାଯାଇ ରଥ ପ୍ରତିଷ୍ଠା ହୁଏ। ପ୍ରଥମ କଳସ ପାଣି ପ୍ରତିଷ୍ଠା ପାଇଁ ଆସିବା ପରେ ଏହି ପାଣିକୁ ନିଲାମ କରାଯାଏ। ତେବେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହା ନିଲାମ ହେବ ନାହିଁ। କୋଭିଡ୍‌ କଟକଣା ଯୋଗୁଁ ଏହି ନିଲାମକୁ ବନ୍ଦ କରାଯାଇଛି। ରଥ ପ୍ରତିଷ୍ଠା ପାଣି ଆଣିବା ଓ ରଥ ପ୍ରତିଷ୍ଠା ପାଇଁ କୋଭିଡ୍‌ ରିପୋର୍ଟ ନେଗେଟିଭ୍‌ ଥିବା ୨୦ଜଣ ସେବାୟତ ସାମିଲ ହୋଇ ପାରିବେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ରାତି ୯ଟା ପରେ କର୍ଫ୍ୟୁ ହୋଇଥିବାରୁ କୌଣସି ବ୍ୟକ୍ତି ଏଠାକୁ ଆସିପାରିବେ ନାହିଁ। ତେଣୁ ନିଲାମ ବନ୍ଦ କରାଯାଇଛି ବୋଲି ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁ କହିଛନ୍ତି। ତେବେ ରଥଯାତ୍ରା ଦିନ ସକାଳୁ ଯେ ଚାହିଁବ ପାଣିକୁ ଆସି ନେଇ ପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe