ଆଜିଠୁ ଓଡ଼ିଆ ଭାଷାରେ ସଂଗ୍ରହାଳୟ ପଦଯାତ୍ରା

ଆଜିଠୁ ଓଡ଼ିଆ ଭାଷାରେ ସଂଗ୍ରହାଳୟ ପଦଯାତ୍ରା

ଭୁବନେଶ୍ୱର: ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତର ଅନୁଭୂତି ନେବା ପାଇଁ ଇଚ୍ଛା ରଖିଥିବା ଓଡ଼ିଆଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱର ଗଣ୍ଡମୁଣ୍ଡାସ୍ଥିତ ହସ୍ତଶିଳ୍ପ ସଂଗ୍ରହାଳୟ ‘କଳାଭୂମି’ ପକ୍ଷରୁ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଆ ଭାଷାରେ ବିଶ୍ଳେଷଣ ସହିତ ଦୈନିକ ସଂଗ୍ରହାଳୟ ପଦଯାତ୍ରା। ଏକାମ୍ର ପଦଯାତ୍ରାର ଅଂଶ ଭାବେ ପ୍ରତି ରବିବାର ଅପରାହ୍‌୍‌ଣରେ ଆୟୋଜିତ ହେଉଥିବା ବର୍ତମାନର ସାପ୍ତାହିକ ସଂଗ୍ରହାଳୟ ପଦଯାତ୍ରାରେ ବିଭିନ୍ନ ହସ୍ତଶିଳ୍ପର ଇଂରାଜୀରେ ବିଶ୍ଳେଷଣ ପ୍ରଦାନ କରାଯାଉଥିଲା। ଶନିବାରଠାରୁ ଏକ ଭିନ୍ନ ସମୟରେ ଓଡ଼ିଆ ଭାଷାରେ ବର୍ଣ୍ଣନା ଆରମ୍ଭ ହେବା ଦ୍ୱାରା ଓଡ଼ିଆରେ ଶୁଣିବାକୁ ଇଚ୍ଛା ରଖୁଥିବା ଦର୍ଶକ ଉପକୃତ ହେବେ। ପ୍ରତି ସପ୍ତାହର ସୋମବାର ଦିନ ସଂଗ୍ରହାଳୟ ବନ୍ଦ ରହୁଥିବା ବେଳେ ଅନ୍ୟ ସବୁଦିନ ଗାଇଡ୍‌ଙ୍କ ଓଡ଼ିଆ ଭାଷା ସହିତ ସଂଗ୍ରହାଳୟ ପଦଯାତ୍ରା ଅପରାହ୍ଣ ୩ଟାରୁ ୪ଟା ପର୍ଯ୍ୟନ୍ତ ଜାରି ରହିବ। ଓଡ଼ିଆ ଭାଷାରେ ହେବାକୁ ଯାଉଥିବା ଏହି ସଂଗ୍ରହାଳୟ ପଦଯାତ୍ରାରେ କଳାଭୂମିର ଦୁଇ ଜଣ କ୍ୟୁରେଟର୍‌ ଗାଇଡ୍‌ ଭାବେ ଦାୟିତ୍ୱ ନିର୍ବାହ କରିବେ। ଏହା ସମ୍ପୂର୍ଣ୍ଣଭାବେ ସଂଗ୍ରହାଳୟ କର୍ତୃପକ୍ଷଙ୍କ ଦ୍ୱାରା ପରିଚାଳିତ ହେବ। ଏଥିସହ ସୁମଧୁର ସଙ୍ଗୀତ ଓ ବାଦ୍ୟର ତାଳେ ତାଳେ ଦର୍ଶକମାନେ ସଂଗ୍ରହାଳୟର କଳାକୃତି ସଙ୍ଗେ ପରିଚିତ ହୋଇପାରିବେ। କଳାଭୂମି ପକ୍ଷରୁ ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ୯ଟି ସାପ୍ତାହିକ ସଂଗ୍ରହାଳୟ ପଦଯାତ୍ରାରେ ୫୦୦ରୁ ଅଧିକ ଦର୍ଶକ ଭାଗନେଇ କଳାଭୂମିର ଅନୁଭୂତି ନେଇଛନ୍ତି। ସଂଗ୍ରହାଳୟ ଭ୍ରମଣ କରୁଥିବା ଓଡ଼ିଆ ଦର୍ଶକଙ୍କ ମଧ୍ୟରେ ନିଜ ମାତୃଭାଷାରେ ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ବିଷୟରେ ଶୁଣିବାର ଆଗ୍ରହକୁ ଦୃଷ୍ଟିରେ ରଖି କଳାଭୂମି ପକ୍ଷରୁ ଓଡ଼ିଆରେ ଏହି ସଂଗ୍ରହାଳୟ ପଦଯାତ୍ରା ଆରମ୍ଭ କରାଯାଇଥିବା ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଭୁବନେଶ୍ୱର ମହାନଗର ନିଗମ, ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ, ପର୍ଯ୍ୟଟନ ବିଭାଗ ଏବଂ ହସ୍ତତନ୍ତ, ବୟନ ଓ ହସ୍ତକଳା ବିଭାଗର ମିଳିତ ଆନୁକୂଲ୍ୟରେ ପ୍ରତି ରବିବାର ଅପରାହ୍‌୍‌ଣ ୩.୩୦ଟାରୁ ୫ଟା ଯାଏଁ ଅନୁଷ୍ଠିତ ହେଉଛି। ଆଗାମୀ ଦିନରେ ସୋମବାରକୁ ଛାଡ଼ି ଅନ୍ୟ ଦିନଗୁଡ଼ିକରେ ପୂର୍ବାହ୍ନରେ ଇଂରାଜୀ ଭାଷା ସହ ସଂଗ୍ରହାଳୟ ପଦଯାତ୍ରା ଆରମ୍ଭ କରିବା ପାଇଁ କଳାଭୂମି ପକ୍ଷରୁ ଯୋଜନା ରହିଛି। ସଂଗ୍ରହାଳୟ ପଦଯାତ୍ରା ସମ୍ପୂର୍ଣ୍ଣ ଦେୟମୁକ୍ତ ହୋଇଥିବାବେଳେ ଅଂଶଗ୍ରହଣକାରୀଙ୍କୁ କେବଳ ସଂଗ୍ରହାଳୟ ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ। ବୟସ୍କଙ୍କ ପାଇଁ ପ୍ରବେଶ ଶୁଳ୍କ ୫୦ ଟଙ୍କା ରହିଥିବା ବେଳେ ପରିଚୟପତ୍ର ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଜଣ ପିଛା ୨୦ ଟଙ୍କା ଏବଂ ୧୨ ବର୍ଷରୁ କମ୍‌ ପିଲାଙ୍କ ପାଇଁ କୌଣସି ପ୍ରବେଶ ଶୁଳ୍କ ରଖାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe