Times of India
ଖଣ୍ଡଗିରି=: ପ୍ରେମ ସତ୍ୟ, ଚିରନ୍ତନ, ଶାଶ୍ବତ; ପ୍ରେମ ଆଗରେ ସବୁ କିଛି ତୁଚ୍ଛ। ଗୋଲାପ ଦିଆନିଆରୁ ଚଳିତ ବର୍ଷର ପ୍ରେମ ସପ୍ତାହ (ଭାଲେଣ୍ଟାଇନ୍ ୱିକ୍) ଆଜିଠାରୁ ଆରମ୍ଭ ହୋଇଯାଇଛି। ପରସ୍ପରକୁ ଗୋଲାପ ଦେଇ ପ୍ରେମୀଯୁଗଳ ନିଜ ମନର ଭାବନା ପରିପ୍ରକାଶ କରିଛନ୍ତି। ଗୋଲାପ ପାଖୁଡ଼ା ପରି ସେମାନଙ୍କ ପ୍ରେମ ଚିରକାଳ ସେମିତି ସତେଜ ରହୁ ବୋଲି ପରସ୍ପରକୁ ପ୍ରତିଶ୍ରୁତି ଦେଇଛନ୍ତି।
ରୋଜ୍ ଡେ’ ପାଇଁ ଆଜି ରାଜଧାନୀର ପ୍ରାୟ ସବୁ ପାର୍କ ଚଳଚଞ୍ଚଳ ହୋଇଉଠିଥିଲା। ହାତକୁ ହାତ ଛନ୍ଦି ପ୍ରେମୀଯୁଗଳମାନେ ପାର୍କ ପରିସରରେ ବୁଲାବୁଲି କରିବା ସହ ନିରୋଳାରେ ସମୟ ବିତାଇଥିବା ଦେଖିବାକୁ ମିଳିଥିଲା। ଆଇଜି ପାର୍କଠାରୁ ଆରମ୍ଭ କରି ଫରେଷ୍ଟ ପାର୍କ, ମଧୁସୂଦନ ପାର୍କ ଓ ଜୟଦେବ ବାଟିକା ଆଦି ସବୁଠି ପ୍ରେମୀଯୁଗଳଙ୍କ ଗହଳି ପରିଲକ୍ଷିତ ହୋଇଥିଲା। ସଭିଁଙ୍କ ହାତରେ ଗୋଲାପ ଶୋଭା ପାଉଥିଲା। ଅପରପକ୍ଷେ କରୋନା ପରେ ଆଜି କଲେଜଗୁଡ଼ିକ ଖୋଲିଥିବା ବେଳେ କଲେଜ ସମୟ ପରେ କଲେଜ ପଢ଼ୁଆ ଯୁବକଯୁବତୀଙ୍କୁ ଦେଖିବାକୁ ମିଳିଥିଲା।
ସେହିପରି ରୋଜ୍ ଡେ’ ପାଇଁ ଆଜି ଫୁଲ ବେପାର ଜମିଥିଲା। ବେଙ୍ଗାଲୁରୁ ଗୋଲାପଗୁଡ଼ିକର ଦାମ୍ ୩୦ରୁ ୪୦ ଟଙ୍କା ରହିଥିବା ବେଳେ କୋଲକାତା ଗୋଲାପଗୁଡ଼ିକ ୧୫ରୁ ୨୦ ଟଙ୍କାରେ ବିକ୍ରି ହୋଇଥିଲା। ଆଜିର ଦିନକୁ ଲକ୍ଷ୍ୟ ରଖି ଦୋକାନୀମାନେ ଅଧିକ ଗୋଲାପ ଅର୍ଡର୍ ଦେଇଥିଲେ ହେଁ ଅପରାହ୍ଣ ବେଳକୁ ପ୍ରାୟ ସବୁ ଦୋକାନରୁ ଗୋଲାପ ସରି ଯାଇଥିଲା। ଏ ଇ ଚନ୍ଦ୍ରଶେଖରପୁର କପିଳେଶ୍ବର ଫୁଲ ଦୋକାନ ମାଲିକ ନିରଜ କୁମାର ଜେନାଙ୍କ କହିବା କଥା, ଆଜି ଭଲ ବିକ୍ରି ହୋଇଛି। ଅନ୍ୟ ଫୁଲ ଅପେକ୍ଷା ଆଜି ଗୋଲାପର ବେଶି ଡିମାଣ୍ଡ ରହିଥିଲା। ତେବେ ଆଉ ସପ୍ତାହକ ଆଗରୁ କଲେଜ ଖୋଲି ଯାଇଥିଲେ, ବେପାର ଆହୁରି ଭଲ ହୋଇଥା’ନ୍ତା ବୋଲି ସେ କହିଛନ୍ତି। ତେବେ ପ୍ରପୋଜ୍ ଡେ’ ଅବସରରେ ଆସନ୍ତାକାଲି ବି ଭଲ ବେପାର ହେବ ବୋଲି ସେ ଆଶା ରଖିଥିବା କହିଛନ୍ତି।
Follow Us