ଆଜି ମହାଶିବରାତ୍ରି: ଉତ୍ସବ ମୁଖର ଏକାମ୍ରକ୍ଷେତ୍ର, ‌ଆଲୋକମାଳାରେ ଝଟକୁଛି ରାଜଦେଉଳ

ରାତି ପାହିଲେ ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ। ଦେବ ଦେବ ମହାଦେବଙ୍କ ଜାଗରଯାତ୍ରା। ଭକ୍ତିମୟ ପରିବେଶରେ ଉଛୁଳି ପଡ଼ିବ ଭାରତର ଅନ୍ୟତମ ଶୈବ ପୀଠ ଏକାମ୍ରକ୍ଷେତ୍ରାଧିପତି ପ୍ରଭୁ ଲିଙ୍ଗରାଜଙ୍କ କ୍ଷେତ୍ର। ଭକ୍ତ ଓ ଶ୍ରଦ୍ଧାଳୁ ପାଳିବେ ଜାଗର ବ୍ରତ।

ssdcxcx

ଭୁବନେଶ୍ବର: ରାତି ପାହିଲେ ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ। ଦେବ ଦେବ ମହାଦେବଙ୍କ ଜାଗରଯାତ୍ରା। ଭକ୍ତିମୟ ପରିବେଶରେ ଉଛୁଳି ପଡ଼ିବ ଭାରତର ଅନ୍ୟତମ ଶୈବ ପୀଠ ଏକାମ୍ରକ୍ଷେତ୍ରାଧିପତି ପ୍ରଭୁ ଲିଙ୍ଗରାଜଙ୍କ କ୍ଷେତ୍ର। ଭକ୍ତ ଓ ଶ୍ରଦ୍ଧାଳୁ ପାଳିବେ ଜାଗର ବ୍ରତ। ଉପବାସ ଓ ଉଜାଗର ରହିବେ ବ୍ରତଧାରୀ। ଶ୍ରୀଲିଙ୍ଗରାଜ ମନ୍ଦିର ଚୂଡ଼ାକୁ ଉଠିବ ମହାଦୀପ। ବରଷକୁ ଥରେ ଏହି ଦୃଶ୍ୟକୁ ଦେଖିବାକୁ ଭକ୍ତମାନେ ଭାବପୂର୍ଣ୍ଣ ଅପେକ୍ଷା କରିଛନ୍ତି। ଏଥିପାଇଁ ଆଜିଠାରୁ ଉତ୍ସବ ମୁଖର ହୋଇ ଉଠିଛି ଏକାମ୍ରକ୍ଷେତ୍ର। ଦିଅଁଙ୍କ ନୀତିକୁ ଶୃଙ୍ଖଳିତ କରିବା ପାଇଁ ନେତାଙ୍କଠାରୁ ଆରମ୍ଭ କରି ପ୍ରାଶାସନିକ ଅଧିକାରୀ ଓ ସେବାୟତମାନେ ଲାଗି ପଡ଼ିଛନ୍ତି। ଆଜିଠାରୁ ଲିଙ୍ଗରାଜଙ୍କ ମନ୍ଦିର ସମେତ ପୂରା ଅଞ୍ଚଳ ସାଜସଜ୍ଜାରେ ଝଟକୁଛି। ଭକ୍ତମାନେ ଯେମିତି ଦିବ୍ୟ ଅନୁଭବ ନେଇ ଯିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ତେବେ ରାତି ସାଢ଼େ ୩ଟାରୁ ସାହାଣମେଲା ଦର୍ଶନ ଥିବାରୁ ଆଜି ରାତି ଅଧରୁ ଶ୍ରଦ୍ଧାଳୁମାନେ ଧାଡ଼ିରେ ଛିଡ଼ା ହୋଇ ଦର୍ଶନ କରିଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ଉପଲକ୍ଷେ ନୀତି ନିର୍ଘଣ୍ଟ ନିର୍ଦ୍ଧାରଣ ହୋଇଛି। ରାତି ୧୦ଟାରେ ମହାଦୀପ ଉଠିବ। ମହାଶିବରାତ୍ରି ପୂର୍ବ ରାତ୍ର ଅର୍ଥାତ୍ ଆଜି ରାତି ସାଢ଼େ ୨ଟାରୁ ମନ୍ଦିର ଦ୍ୱାର ଖୋଲାଯାଇଛି। ଭୋର୍‌ ୩ ଟାରୁ ସାଢ଼େ ୩ଟା ଭିତରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପନ୍ନ ହେବ। ଏହାପରେ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ରହିବ। ଏହି ସମୟରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ନିକଟକୁ ଯାଇ ଦର୍ଶନ କରିପାରିବେ। ସକାଳ ସାଢ଼େ ୬ଟାରେ ରୋଷ ହୋମ କରାଯିବ। ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଛାମୁ ପରିଷ୍କାର, ୧୨ଟାରୁ ୧୨ଟା ୪୫ମଧ୍ୟରେ ମହାସ୍ନାନ ବେଶ, ୧୨ଟା ୪୫ରୁ ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା, ଶ୍ରୀଜିଉଙ୍କ ଓ ଠାକୁରାଣୀଙ୍କ ବଲ୍ଲଭ ଓ ଶ୍ରୀଜିଉଙ୍କ ସକାଳ ଧୂପ ଅନୁଷ୍ଠିତ ହେବ।

‌ଆଲୋକମାଳାରେ ଝଟକୁଛି ରାଜଦେଉଳ
ଦିଅଁଙ୍କ ଦର୍ଶନ ପାଇଁ ରାତି ଅଧରୁ ଭକ୍ତଙ୍କ ଭିଡ଼

ଅପରାହ୍ଣ ସାଢ଼େ ୨ଟାରୁ ଶ୍ରୀଭୁବନେଶ୍ବରୀଙ୍କ ସକାଳ ଧୂପ, ୨ଟା ୪୫ରୁ ଭୋଗ ମଣ୍ଡପ, ଅପରାହ୍ଣ ୩ଟା ୪୫ରୁ ୪ଟା ୪୫ ମଧ୍ୟରେ ପୁଣି ସାହାଣମେଲା ଦର୍ଶନ ହେବ। ଅପରାହ୍ଣ ୪ଟା ୪୫ରୁ ୫ଟା ୧୫ ପର୍ଯ୍ୟନ୍ତ ଛାମୁ ପରିଷ୍କାର, ୫ଟା ୧୫ରେ ଶ୍ରୀଜିଉଙ୍କ ବେଶ, ୫ଟା ୪୫ରୁ ବୀରକିଶୋର ବଲ୍ଲଭ, ଦ୍ବିପ୍ରହର ଧୂପ, ସନ୍ଧ୍ୟା ୭ଟାରେ ପହୁଡ଼ ନୀତି ସମ୍ପନ୍ନ ହେବ। ୭ଟା ୧୦ରୁ ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତି ଓ ଟେରା ଫିଟା ନୀତି। ସନ୍ଧ୍ୟା ସାଢ଼େ ୭ରୁ ଶ୍ରୀଜିଉଙ୍କ ମାଜଣା ଓ ବେଶ, ୮ଟା ୧୦ରେ ଯାତ୍ରା ପୂଜା ଓ ବେଢ଼ା ପରିକ୍ରମା ନୀତି ‌ହେବ। ୮ଟା ୫୫ମିନିଟ୍‌ରେ ସନ୍ଧ୍ୟା ଧୂପ ଓ ତୀର୍ଥଜଳ ଆନୟନ କରାଯାଇ ରାତି ୧୦ରେ ମହାଦୀପ ଉଠିବ। ଏହାପରେ ରାତି ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ। ସାଢ଼େ ୧୧ଟାରୁ ଚାରି ପ୍ରହର ପୂଜା ସାଢ଼େ ୩ଟା ପର୍ଯ୍ୟନ୍ତ ଚାଲିବ। ସାଢ଼େ ୩ଟାରୁ ସାଢ଼େ ୪ଟା ମଧ୍ୟରେ ହରିହର ଭେଟ କରାଯିବ। ଏହାପରେ ସାଢ଼େ ୪ରୁ ୫ଟା ୧୫ ପର୍ଯ୍ୟନ୍ତ ବଡ଼ସିଂହାର ଓ ପହୁଡ଼ ପଡ଼ିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମୀକ୍ଷା କଲେ ସିପି-ଡିସିପି
ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ହେବାକୁ ଥିବା ଜନସମାଗମକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଜି ପୁଲିସ କମିସନର ଏସ. ଦେବଦତ୍ତ ସିଂ ଓ ଭୁବନେଶ୍ବର ଡିସିପି ପିନାକ ମିଶ୍ର ମନ୍ଦିର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ଶ୍ରଦ୍ଧାଳୁମାନେ କିପରି ଶୃଙ୍ଖଳାରେ ଦର୍ଶନ କରିବେ ସେ ନେଇ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଟ୍ରାଫିକ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଇଥିଲେ। ସୁରକ୍ଷା ଦାୟିତ୍ବରେ ଦ୍ୱୈତ ନଗରୀର ପୁଲିସ କମିସନର ଓ ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୫ ଜଣ ଅତିରିକ୍ତ ଡିସିପି ପାହ୍ୟାର ଅଧିକାରୀ, ୧୫ ଜଣ ଏସିପି ପାହ୍ୟାର ଅଧିକାରୀ, ୨୮ ଜଣ ଇନ୍ସପେକ୍ଟର, ୧୨୨ ଜଣ ଏସଆଇ/ଏଏସଆଇ, ୪୧ ଜଣ ଏପିଆର କନଷ୍ଟେବଳ, ୯୦ ଜଣ ଓଆର ହାବିଲଦାର ଓ କନଷ୍ଟେବଳ, ୫୮ ଜଣ ମହିଳା କନଷ୍ଟେବଳ, ୩୨ ପ୍ଲାଟୁନ ଫୋର୍ସଙ୍କ ସମେତ ୮୪ ଜଣ ଗୃହରକ୍ଷୀଙ୍କୁ ମୁତୟନ କରାଯାଇଛି। ଏହାବାଦ ଗୋଟିଏ ୟୁନିଟ ଏସଓଜି ଏବଂ ଗୋଟିଏ ୟୁନିଟ ଓଡ୍ରାଫ ଦଳ ମଧ୍ୟ ମୁତୟନ ହୋଇଛନ୍ତି।

ସ୍ବେଚ୍ଛାସେବୀଙ୍କ ସେବା ଆରମ୍ଭ
ମହାଶିବରାତ୍ରି ପୂର୍ବ ଦିନରୁ ବିଭିନ୍ନ ସ୍ବେଚ୍ଛାସେବୀମାନେ ସେବା ଆରମ୍ଭ କରିଛନ୍ତି। ମନ୍ଦିରରେ ବିଭିନ୍ନ ଅଳିଆ ଆବର୍ଜନା ପଡ଼ିଥିବା ବେଳେ ଏହାକୁ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସଫେଇ କରାଯାଇଥିଲା। ପ୍ରଦୀପ ସେବା ଟ୍ରଷ୍ଟ ପକ୍ଷରୁ ୩ଦିନିଆ ଶିବିର ଉତ୍ତରଦ୍ବାର ନିକଟରେ ଆରମ୍ଭ ହୋଇଛି। ସେଠାରେ ଜଳସେବା, ଆମ୍ବୁଲାନ୍ସ ସେବା ଯୋଗାଇବା ଆରମ୍ଭ ହୋଇଛି। ପ୍ରଦୀପ ସେବା ଟ୍ରଷ୍ଟର ସଭାପତି ପ୍ରଦୀପ କୁମାର ପୃଷ୍ଟି, ସମ୍ପାଦିକା ମଧୁସ୍ମିତା ପୃଷ୍ଟି, ସ୍ୱାଗତିକା ରାଓ, ସ୍ମିତା ମହାନ୍ତି, ମୋନାଲିସା ପ୍ରଧାନ, ମିନଶ ରାଉତ, ସୌମ୍ୟରଞ୍ଜନ ନାୟକ, ସ୍ମିତାପ୍ରଜ୍ଞା କର, ସ୍ନେହାଞ୍ଜଳି ସେଠୀଙ୍କ ସହ ବହୁ ସଭ୍ୟ ରାତିରୁ ରହି ସେବା ଯୋଗାଇଛନ୍ତି। ସେହିପରି ସେବା ପ୍ରତିନିଧି ପକ୍ଷରୁ ୨୪ଘଣ୍ଟିଆ ସେବା ଯୋଗାଇବା ପାଇଁ ୧୦୦ଜଣ ସ୍ବେଚ୍ଛାସେବୀ ନୀଳମଣି ମିଶ୍ରଙ୍କ ନେତୃତ୍ବରେ ଯୋଗ ଦେବାକୁ ସ୍ଥିର କରିଛନ୍ତି।   
୧୨ ବାୟୋଟଏଲେଟ୍‌: ଶ୍ରଦ୍ଧାଳୁମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ୧୨ଟି ବାୟୋ ଟଏଲେଟ୍ ବ୍ୟବସ୍ଥା କରାଯାଇଛି। ମନ୍ଦିର ପୂର୍ବ-ଦକ୍ଷିଣପାର୍ଶ୍ବ ଓ ପୂର୍ବ-ଉତ୍ତର ପାର୍ଶ୍ବରେ ଶୌଚାଳୟ ବ୍ୟତୀତ ବିଭିନ୍ନ ସ୍ଥାନରେ ଏହି ଟଏଲେଟ୍ ଗୁଡ଼ିକ ରହିବ। ସେହିପରି ନୂଆ ମାର୍କେଟ୍‌ କମ୍ପ୍ଲେକ୍ସ, ଭଜନ ମଣ୍ଡପ, ଓବିସିସି ସାଇଟ୍‌‌ରେ ୧୦ଟି ଅସ୍ଥାୟୀ ବାୟୋ ଟଏଲେଟ୍‌ ଭ୍ୟାନ୍ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe