Photograph: (Sambad English)
ଭୁବନେଶ୍ବର: ମାସେ ହୋଇଗଲା। ହେଲେ ଜିଭରେ ଟିକେ ଆମିଷ ବାଜିଲାନି। ଅପେକ୍ଷା କରି କରି ଧର୍ମ ମାସ ସରିବା ଦିନ ପାଖେଇଲା ସିନା ହେଲେ ମାର୍ଗଶୀର ପ୍ରଥମ ଗୁରୁବାର ସବୁ ପିଣିଚିଆ କରିଦେଲା। ଏଣୁ କାର୍ତ୍ତିକ ପୂର୍ଣ୍ଣିମା ସରୁ ସରୁ ଗୁରୁବାର ନୁହେଁ ଶୁକ୍ରବାରକୁ ଆମିଷ ରଙ୍କୁଣାଙ୍କ ଅପେକ୍ଷା। ସେପଟେ ପୁଣି ମାସକର ମାନ୍ଦା ବେପାର ପରେ ଛାଡ଼ଖାଇ ବେପାର ପାଇଁ ଆମିଷ ବେପାରୀ ସଜବାଜ ଆରମ୍ଭ କରିଦେଲେଣି। ରାଜଧାନୀକୁ ଛେଳି, କୁକୁଡ଼ା, ମାଛ, କଙ୍କଡ଼ା ବୁହା ହେଲେଣି। କିଛି ଲୋକ ଶୁକ୍ରବାର ଆମିଷ ଖାଇବା ପାଇଁ ବରାଦ ମଧ୍ୟ ଆରମ୍ଭ କରିସାରିଲେଣି। ପୁଣି ବିବାହ ସହ ବଣଭୋଜି ଋତୁ ଆସିଯାଇଥିବା ବେଳେ ଶୁକ୍ରବାର ରାଜଧାନୀରେ ଭୋଜିଭାତ ଆସର ଜମିବ। ଏଣୁ ମୋଟା ଅଙ୍କର ଆଗୁଆ ବରାଦ ସରିଛି। ଏଣୁ ଆମିଷ ବେପାରୀଙ୍କୁ ଏବେ ଆଉ ଫୁରସତ ନାହିଁ। ପାଖାପାଖି ୭ କୋଟି ଟଙ୍କାର ବେପାର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ଆମିଷ ବେପାରୀମାନେ ବିଭିନ୍ନ ଜିଲ୍ଲା ଓ ରାଜ୍ୟରୁ କ୍ବିଣ୍ଟାଲ କ୍ବିଣ୍ଟାଲ୍ ଆମିଷ ବରାଦ କରୁଛନ୍ତି।
ଆମିଷ ବଜାରର ସୂଚନା ମୁତାବକ, ଏଥର ଛାଡ଼ଖାଇରେ ମାଛର ଚାହିଦା ବେଶି ରହିବ। ପାଖାପାଖି ଅଢ଼େଇ କୋଟିରୁ ଅଧିକ ଟଙ୍କାର କେବଳ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ବିକ୍ରି ହେବ ବୋଲି ମାଛ ବେପାରୀ ଆଶାବାଦୀ ରହିଛନ୍ତି। ସେହିଭଳି ରାଜଧାନୀରେ ୨ ହଜାର କେଜି ଛେଳି ମାଂସ ଓ ୫୦ କୁଇଣ୍ଟାଲ କୁକୁଡ଼ା ମାଂସ ବିକ୍ରି ହେବ ବୋଲି ଆକଳନ କରାଯାଇଛି। ଅଲ୍ ଓଡ଼ିଶା ନନ୍ଭେଜ୍ ଟ୍ରେଡସ୍ ଫେଡେରେସନ୍ର ରାଜ୍ୟ ସଭାପତି ଶେଖ୍ ମୁନ୍ତାକିମ୍ ବକ୍ସ କହିଛନ୍ତି, ଛାଡ଼ଖାଇ ହେଉଛି ଆମିଷ ବେପାରୀଙ୍କ ବେପାରର ମହାପର୍ବ। ଶୁକ୍ରବାର ଛାଡ଼ଖାଇ ପାଳନ ହେବାକୁ ଥିବାରୁ ମଟନ ବିକ୍ରି ଖୁବ୍ ଜମିବ। ପ୍ରତିବର୍ଷ ଛାଡ଼ଖାଇରେ ୪ କୋଟି ଟଙ୍କାର ମଟନ ବିକ୍ରି ହେଉଥିବା ବେଳେ ଏ ବର୍ଷ ଏହା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି। ତେବେ ମାଛ, ମାଂସ, କଙ୍କଡ଼ା ଆଦିରୁ ଏଥର ୫ରୁ ୭ କୋଟି ଟଙ୍କାର ବେପାର ହେବା ନେଇ ଆମେ ଆଶା ରଖିଥିବା ବେଳେ ସେ ନେଇ ଆମିଷ ବରାଦ ବି କରିସାରିଛୁ।
ଏବେ ରାଜଧାନୀର ୪ ନମ୍ବର ହାଟ ମଧ୍ୟରେ ୨୦ଟି ମଟନ୍ ଦୋକାନ ରହିଥିବା ବେଳେ ବଡ଼ଗଡ଼, ସୁନ୍ଦରପଦା, ରେଣ୍ଟାଲ୍, ନୀଳାଦ୍ରିବିହାର, ଖଣ୍ଡଗିରି, ସନ୍ତୋଷୀବିହାର, ବାଲିଅନ୍ତା, ହ˚ସପାଳ, ଓସ୍କାର ସିଟି, ଝାରପଡ଼ା ସମେତ ବିଭିନ୍ନ ସ୍ଥାନରେ ୩ଶହରୁ ଅଧିକ ଦୋକାନ ରହିଛି। ରାଜଧାନୀବାସୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି କିଛି ଦିନ ତଳୁ ପଶ୍ଚିମବଙ୍ଗରର ନରଖୁଲଡଙ୍ଗା, ମାଲ୍ଦା, କ୍ଷେତ୍ରୀପୁରରୁ ୭୦ ପ୍ରତିଶତ ଛେଳି ଆସିଥିବା ବେଳେ ବଲାଙ୍ଗୀର, ନୟାଗଡ଼, ଦଶପଲା, କାକଟପୁର ଓ ନିମାପଡ଼ାରୁ ୩୦ ପ୍ରତିଶତ ଛେଳି ଅଣାଯାଇଛି। ଏବେ ବ୍ରଏଲର ଚିକେନ୍ ମୂଲ୍ୟ ୨୪୦ ଟଙ୍କା ରହିଛି। ସେହିଭଳି ବନରାଜ ୩୦୦ ଓ ଦେଶୀ ଚିକେନ୍ର ଦର ୫୦୦ ଟଙ୍କା ରହିଛି। ଏହାବ୍ୟତୀତ, ଛାଡ଼ଖାଇରେ ଅନେକ ବାହାଘର ଭୋଜି ରହୁଥିବାରୁ କେବଳ ରାଜଧାନୀରେ ଚିକେନ୍ ବ୍ୟବସାୟ ଶୁକ୍ର ଓ ରବିବାର ଅଧିକ ହେବ। ଆନ୍ଧ୍ରପ୍ରଦେଶ ବ୍ୟତୀତ ପିପିଲି ଅଞ୍ଚଳରୁ ବ୍ରଏଲର ଆସିଥିବା ବେଳେ ବାରିପଦାରୁ ଦେଶୀ କୁକୁଡ଼ା ଆସିଛି। ଛାଡ଼ଖାଇରେ କିନ୍ତୁ ମଟନ ଓ ଚିକେନ୍ ଅପେକ୍ଷା ମାଛର ଚାହିଦା ବେଶି ରହିଥାଏ। ଆନ୍ଧ୍ରପ୍ରଦେଶ ସମେତ ପୁରୀ, ବାଲେଶ୍ବର, ପାରାଦୀପ, ଅସ୍ତରଙ୍ଗ, ବାଲୁଗାଁ, ବ୍ରହ୍ମପୁର, ନୟାଗଡ଼, ଦଶପଲା ଓ ସୋରଡ଼ା ଡ୍ୟାମ୍ରୁ ରାଜଧାନୀକୁ ମାଛ ଆସିଛି। ପ୍ରତିଦିନ ରାଜଧାନୀକୁ ୩ଟି ମାଛ ଗାଡ଼ି ଆସୁଥିବା ବେଳେ ଆସନ୍ତାକାଲି ( ଶୁକ୍ରବାର) ଛାଡ଼ଖାଇରେ ୧୨ରୁ ୧୫ ଗାଡ଼ି ମାଛ ଆସିବ ବୋଲି ସୂଚନା ମିଳିଛି।
Follow Us