ଭୁବନେଶ୍ବର: ପୁରୀ କେନାଲ୍ ଅନେକ ଜିଲ୍ଲାର ଚାଷୀଙ୍କ ଜୀବନରେଖା। ପୂର୍ବ ଓଡ଼ିଶାର ସବୁଠୁ ବଡ଼ ଏହି କେନାଲ୍ ଚାଷଜମିକୁ ଜଳସେଚିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। ବନ୍ୟା ବିପତ୍ତି ଭଳି ପରିସ୍ଥିତିକୁ ରୋକି ଆସୁଛି। କିନ୍ତୁ ଚିନ୍ତାର ବିଷୟ, ପୁରୀ କେନାଲ୍ର ପାଣି ବିଷାକ୍ତ ହେବାରେ ଲାଗିଲାଣି। ସହରରୁ ଗାଁ ଯାଏ, ସବୁ ଘରର ଶୌଚାଳୟ ପାଣି କେନାଲରେ ଛଡ଼ାଯାଉଛି। ମେଡିକାଲ୍ ବର୍ଜ୍ୟଠାରୁ ଆରମ୍ଭ କରି ଅନ୍ୟାନ୍ୟ ସଂକ୍ରମିତ ବର୍ଜ୍ୟ ମଧ୍ୟ କେନାଲ୍ ଭିତରକୁ ଫିଙ୍ଗାଯାଉଛି।
ସେପଟେ କେନାଲ୍ କଡ଼ରେ ଜବରଦଖଲ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। କେନାଲ୍କୁ ସଂକୁଚିତ କରିବା ସହ ଜଳପଥକୁ ଅବରୋଧ କରୁଛି। ଜଣକୁ ଦେଖି ଅନ୍ୟଜଣେ, ଏଭଳି ମାଳ ମାଳ ଜବରଦଖଲ କେନାଲ୍ ବନ୍ଧକୁ ଦୁର୍ବଳ କରିବାରେ ଲାଗିଛି। କେଉଁଠି ମାଂସ ଦୋକାନ ତ କେଉଁଠି ପରିବା ପୁଣି କେଉଁଠି ଗ୍ରୋସରି ଦୋକାନ ବନ୍ଧ ଉପରେ ଗଢ଼ି ଉଠିଲାଣି। ଦୋକାନ କରିବା ପାଇଁ ଏହି ଜବରଦଖଲକାରୀମାନେ କେନାଲ୍କୁ ପୋତିବାକୁ ବି ପଛାଉନାହାନ୍ତି। କିଛି ମାସ ତଳେ ଭୁବନେଶ୍ବର ମହାନଗର ନିଗମ ଏହି ଜବରଦଖଲ ହଟାଇଥିଲା। କିନ୍ତୁ ଏବେ ଯଥାପୂର୍ବଂ ତଥା ପରଂ। ଉଚ୍ଛେଦ ହୋଇଥିବା ଦୋକାନୀମାନେ ପୁଣି କେନାଲ୍ ବନ୍ଧକୁ ମାଡ଼ି ବସିଲେଣି।
ବ୍ରିଟିଶ ଅମଳର ପୁରୀ କେନାଲ୍ କଟକ, ଖୋର୍ଦ୍ଧା, ପୁରୀ ଭଳି ଜିଲ୍ଲାର ଚାଷୀଙ୍କ ଜୀବନ ଜୀବିକା ସହ ଜଡ଼ିତ। ହଜାର ହଜାର ହେକ୍ଟର ଚାଷଜମିକୁ ଏହା ଜଳସେଚିତ କରି ଆସିବା ସହ ଚାଷୀଙ୍କ ମୁହଁରେ ହସ ଫୁଟାଇ ଆସୁଛି। ବାଲିଅନ୍ତା ଆନିକଟଠାରୁ ଏହା ଭାଗ ହୋଇ ଗୋଟିଏ ପାର୍ଶ୍ବରେ ବାଲିଅନ୍ତା, ବାଳକାଟି ଆଡ଼କୁ ପ୍ରବେଶ କରିଥିବା ବେଳେ ଅନ୍ୟ ପାର୍ଶ୍ବରେ ପୁରୀ ଜିଲ୍ଲାକୁ ପ୍ରବେଶ କରିଛି। ଅତୀତରେ ଏହା ନୌବାଣିଜ୍ୟର ପ୍ରମୁଖ ଜଳପଥ ଥିଲା। ନ’ଅଙ୍କ ଦୁର୍ଭିକ୍ଷ ସମୟରେ ପୁରୀ କେନାଲ୍ର ଜଳପଥ ଦେଇ ଖାଦ୍ୟ ସାମଗ୍ରୀ ପରିବହନ ହେଉଥିଲା ବୋଲି କୁହାଯାଏ। ଏହି ଐତିହ୍ୟସଂପନ୍ନ କେନାଲ୍ ଆଜି ପ୍ରଦୂଷିତ। କେନାଲ୍ର ଦୁଇପାର୍ଶ୍ବ ବନ୍ଧରେ କୁଢ଼ କୁଢ଼ ଆବର୍ଜନା ଗଦା ହୋଇ ରହିଛି। ହଂସପାଳ ପୁରୀ କେନାଲ୍ ଛକ ନିକଟରେ କେନାଲ୍ କଡ଼ରେ ଥିବା ମାଛ, ମାଂସ ବଜାରରୁ ବାହାରୁଥିବା ବର୍ଜ୍ୟ ସିଧାସଳଖ ଏହା ଭିତରକୁ ଫିଙ୍ଗାଯାଉଛି।
କୁକୁଡ଼ା କାଟିବା ପରେ ବାହାରୁଥିବା ବର୍ଜ୍ୟକୁ ଫିଙ୍ଗି କେନାଲ୍ ପାଣିକୁ ପ୍ରଦୂଷିତ କରାଯିବା ସହ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରାଯାଉଛି। ସବୁଠୁ ଦୁର୍ଭାଗ୍ୟଜନକ କଥା ହେଉଛି, ଏହି କେନାଲ୍ କଡ଼ରେ ରହୁଥିବା ଲୋକେ ନିଜର ଶୌଚାଳୟ ପାଇପ୍ ସବୁ କେନାଲ୍ ଭିତରକୁ ଛାଡ଼ିଛନ୍ତି। ଏଣୁ ଘରୁ ବାହାରୁଥିବା ଶୌଚାଳୟ ବର୍ଜ୍ୟ ସିଧାସଳଖ ପୁରୀ କେନାଲ୍ ପାଣିରେ ମିଶି ସଂକ୍ରମଣ ଭୟ ସୃଷ୍ଟି କରୁଛି। ଏହି ଅଞ୍ଚଳ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି)ର ୪ ନମ୍ବର ୱାର୍ଡରେ ଆସୁଛି। ତଥାପି ବିଏମ୍ସିର ଏଥିପ୍ରତି ନଜର ପଡ଼ୁନାହିଁ। କେନାଲ୍ ଦୁଇପାର୍ଶ୍ବ ବନ୍ଧରେ କୁଢ଼କୁଢ଼ ଆବର୍ଜନା ପଡ଼ି ରହିବା ବିଏମ୍ସିର ସ୍ବଚ୍ଛତା ତଥା ପରିମଳ ପ୍ରତି ଉପହାସ କରୁଛି। ସେପଟେ କେବଳ ସହର ନୁହେଁ, ସହର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ବି ଘରୋଇ ଶୌଚାଳୟ ଓ ଅନ୍ୟାନ୍ୟ ବର୍ଜ୍ୟ ପାଣି ସିଧାସଳଖ ପାଇପ୍ ଲଗାଇ କେନାଲ୍ ଭିତରକୁ ଛଡ଼ାଯାଉଛି। ଏନେଇ ସରକାର ପଦକ୍ଷେପ ନେବାକୁ ପରିବେଶବିତ୍ମାନେ ଦାବି କରିଛନ୍ତି।
Follow Us