ତହସିଲ୍‌ କାର୍ଯ୍ୟାଳୟ ଭିତରୁ ତାଲା, ଉତ୍ତେଜନା ପରେ ଲାଗୁ ହେଲା ଟୋକନ ବ୍ୟବସ୍ଥା

Advertisment
ତହସିଲ୍‌ କାର୍ଯ୍ୟାଳୟ ଭିତରୁ ତାଲା, ଉତ୍ତେଜନା ପରେ ଲାଗୁ ହେଲା ଟୋକନ ବ୍ୟବସ୍ଥା

khordha.nic.in

ପୁରୁଣା ଭୁବନେଶ୍ବର : ଗତ କିଛି ଦିନ ହେଲା ଭୁବନେଶ୍ବର ତହସିଲ କାର୍ଯ୍ୟାଳୟର ଭିତରୁ ତାଲା ପଡ଼ୁଥିବାକୁ ନେଇ ଆଜି ଉତ୍ତେଜନା ଦେଖା ଦେଇଥିଲା। ଓକିଲ ଓ ସାଧାରଣ ଲୋକଙ୍କୁ ଭିତରକୁ ନ ଛାଡ଼ିବା ପାଇଁ ଗେଟ୍‌ ବନ୍ଦ ରହୁଥିବାରୁ ଲୟର୍ସ ଗୃପ ପକ୍ଷରୁ ବିରୋଧ କରାଯାଇଥିଲା। କିନ୍ତୁ କର୍ମଚାରୀମାନେ କର୍ଣ୍ଣପାତ ନ କରିବାରୁ ପାଟିତୁଣ୍ଡ ହେବା ପର୍ଯ୍ୟନ୍ତ କଥା ଯାଇଥିଲା। ଶେଷରେ ଟୋକନ୍ ବ୍ୟବସ୍ଥା ଲାଗୁ କରି ଗେଟ୍‌ ଖୋଲିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।।

ମିଳିଥିବା ସୂଚନା ଅନୁଯାୟୀ ଗତ କିଛି ଦିନ ହେଲା କାର୍ଯ୍ୟାଳୟ ଭିତରୁ ତାଲା ପକାଇ ଗେଟ୍‌କୁ ବନ୍ଦ ରଖା ଯାଉଥିଲା। ଫଳରେ ବିଭିନ୍ନ କାମ ନେଇ ଆସୁଥିବା ଲୋକମାନେ ନିରାଶ ହୋ‌ଇ ଫେରୁଥିଲେ। ଏନେଇ ଆଜି ଲୟର୍ସ ଗୃପ ପକ୍ଷରୁ ତହସିଲ ଗେଟ୍‌ ପାଖରେ ହୋ-ହଲ୍ଲା କରାଯାଇଥିଲା। ଗେଟ୍‌ ନ ଖୋଲିଲେ ଜୋର୍‌ କରି ଗେଟ୍‌ ଭାଙ୍ଗି ଭିତରକୁ ପ୍ରବେଶ କରିବେ ବୋଲି ସେମାନେ ଚେତାବନୀ ଦେଇଥିଲେ। ପରେ ତହସିଲଦାରଙ୍କ ହସ୍ତକ୍ଷେପ ଫଳରେ ଗେଟ୍‌ ଖୋଲା ଯାଇଥିଲା ଓ ଟୋକନ୍ ବ୍ୟବସ୍ଥା ଲାଗୁ କରାଯାଇଥିଲା। ତହସିଲଦାର ପ୍ରଦୀପ କୁମାର ସାହୁଙ୍କ କହିବା କଥା ତହସିଲ୍‌ କାର୍ଯ୍ୟାଳୟରେ ବହୁ କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ ଓ ଏବେ ବି ଦୁଇ ଜଣ ଗୃହ ସଙ୍ଗରୋଧରେ ଅଛନ୍ତି। ଗତକାଲି ପୁଣି ଆଉ ଜଣେ ଅଧିକାରୀ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେଣୁ ସଂକ୍ରମଣରୁ ରକ୍ଷା ପାଇଁ ଗେଟ୍‌ରେ ସତର୍କତାମୂଳକ ବ୍ୟବସ୍ଥା ଲାଗୁ କରାଯାଇଛି। ତେବେ ଆଜିଠାରୁ ଟୋକନ ବ୍ୟବସ୍ଥାରେ ପର୍ଯ୍ୟାୟକ୍ରମେ ୫ ଜଣଙ୍କୁ ଭିତରକୁ ଛଡ଼ାଯିବ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe