କାଲି ଡେପୁଟି ମେୟର୍‌ ନିର୍ବାଚନ: ଚକ୍‌ମା ଦେବେ ନବୀନ

କାଲି ଡେପୁଟି ମେୟର୍‌ ନିର୍ବାଚନ: ଚକ୍‌ମା ଦେବେ ନବୀନ

File Picture

ଭୁବନେଶ୍ବର: ଆଉ ଦିନକ ପରେ ଭୁବନେଶ୍ବର ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ। ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ବିଜେଡି ହାତକୁ ଏହି ପଦବି ଯିବା ସ୍ପଷ୍ଟ ହୋଇଛି। କିନ୍ତୁ କିଏ ବିଜେଡିର ପ୍ରାର୍ଥୀ ହେବ, ସେହି ରହସ୍ୟ ଉପରୁ ଏ ଯାଏ ପରଦା ଉଠୁନି। ଆଶାୟୀମାନେ ଲବି ଜୋର୍‌ଦାର କରିଥିଲେ ବି ସେମାନଙ୍କୁ ସର୍ବନିମ୍ନ ଆଶ୍ବାସନା ଏ ଯାଏ ଦିଆଯାଉ ନାହିଁ। ଅପର ପକ୍ଷରେ ଆଜି କଟକର ଡେପୁଟି ମେୟର ପଦବିରେ ବିଜେଡିର ପ୍ରାର୍ଥୀ ଚୟନ ବିଏମ୍‌ସିରେ ଆଶାୟୀଙ୍କ ସବୁ ଅଙ୍କ ଗଡ଼ବଡ଼ କରିଥିବାର ସମ୍ଭାବନା ସୃଷ୍ଟି କରିଛି। କଟକ ପରି ଭୁବନେଶ୍ବରରେ ବି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଚକ୍‌ମା ଦେବେ ବୋଲି କୁହାଯାଉଛି।

ପ୍ରାର୍ଥୀ ଚୟନ ନେଇ ତିନି ବିଧାୟକ ବି ଏ ଯାଏ ସୁରାକ୍ ପାଉ ନାହାନ୍ତି। ଏହାକୁ ନେଇ ବିଜେଡି ଆଭ୍ୟନ୍ତରୀଣ ରାଜନୀତି ବେଶ୍‌ ସରଗରମ ହୋଇଛି। ବିଏମ୍‌ସି ନିର୍ବାଚନରେ ମେୟର ପଦବି ସହ ୪୮ କର୍ପୋରେଟର ପଦ ଦଖଲ କରିଥିଲା ବିଜେଡି। ପରେ ପୁଣି ଦୁଇ ସ୍ବାଧୀନ କର୍ପୋରେଟର୍‌ ମିଶିଲା ପରେ ସଂଖ୍ୟା ୫୦ ଛୁଇଁଯାଇଛି। ଆଗକୁ ଆହୁରି ଅଧିକ ସ୍ବାଧୀନ କର୍ପୋରେଟର୍‌ ବିଜେଡିରେ ମିଶିବାର ସମ୍ଭାବନା ରହିଛି। ତେଣୁ ବିଜେଡି ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ଥୟ।

ଗତ ଦୁଇଟି ବି‌ଏମ୍‌ସି ନିର୍ବାଚନରେ ଡେପୁଟି ମେୟର ପଦବି ମହିଳାଙ୍କୁ ଦେଇଥିଲା ବିଜେଡି। କିନ୍ତୁ ଏଥର ମେୟର ପଦବି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବ‌ାରୁ ଡେପୁଟି ମେୟର ପଦବିରେ ଜଣେ ପୁରୁଷ କର୍ପୋରେଟରଙ୍କୁ ବସାଇବାକୁ ଦଳ ଯୋଜନା କରିଥିବା କୁହାଯାଉଛି।

କଟକରେ ପ୍ରାର୍ଥୀ ଚୟନ ଆଶାୟୀଙ୍କ ନିଦ ହଜାଇଲା
ବିଜେଡି ପୁଣି ବସ୍ତି କାର୍ଡ ଖେଳିବା ନେଇ ଚର୍ଚ୍ଚା
ତିନି ବିଧାୟକଙ୍କୁ ବି ଏ ଯାଏ ସୁରାକ୍‌ ମିଳୁନି

ଏକାଧିକ ଥର କର୍ପୋରେଟର୍‌ ଭାବେ ବିଜୟୀ ହୋଇ ରାଜଧାନୀର ବିଜେଡି ସଂଗଠନରେ ନିଜର ପତିଆରା ଜାହିର କରିଥିବା କିଛି ନେତାଙ୍କ ନାମ ଆଗରେ ରହିଥିଲା। ଦୌଡ଼ରେ ଆଗରେ ଥିଲେ ଅମରେଶ ଜେନା, ବିରଞ୍ଚି ନାରାୟଣ ମହାସୂପକାର, ନୃପେଶ ନାୟକ ଓ ମିହିର କୁମାର ରାଉତ ପ୍ରମୁଖ। ଏହି କର୍ପୋରେଟର୍‌ମାନେ ମଧ୍ୟ ନିଜ ନିଜ ବାଟରେ ଲବି ଚଳାଇଥିଲେ। ତିନି ବିଧାୟକଙ୍କ ସମେତ ଦଳର କିଛି ବରିଷ୍ଠ ନେତାଙ୍କ ପାଖରେ ନିଜ ନିଜର ପକ୍ଷ ରଖିଥିଲେ। କିନ୍ତୁ କୌଣସି ଆଶାୟୀଙ୍କୁ ଉପର ମହଲରୁ ଏ ଯାଏ ସବୁଜ ସଙ୍କେତ ମିଳି ନ ଥିବାରୁ କୌତୁହଳ ଓ ଉତ୍ସୁକତା ବଢ଼ିବାରେ ଲାଗିଛି।

ପ୍ରମୁଖ ଆଶାୟୀଙ୍କ ମଧ୍ୟରୁ ଜଣଙ୍କୁ ଡେପୁଟି ମେୟର ପଦବିରେ ବସାଇଲେ ଅନ୍ୟମାନେ ଅସନ୍ତୁଷ୍ଟ ହେବା ନିଶ୍ଚିତ। ତେଣୁ ସମସ୍ତଙ୍କୁ ଚକ୍‌ମା ଦେଖାଇ ଆଦୌ ଆଲୋଚନାରେ ନ ଥିବା ଜଣେ କର୍ପୋରେଟର୍‌ଙ୍କୁ ଡେପୁଟି ମେୟର କରାଯିବା ନେଇ ଗତକାଲି ଠାରୁ ବିଜେଡିର ଆଭ୍ୟନ୍ତରୀଣ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଆଜି କଟକରେ ଡେପୁଟି ମେୟର ନିର୍ବାଚନରେ ବିଜେଡିର ପ୍ରାର୍ଥୀ ଚୟନ ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି। କଟକରେ ଡେପୁଟି ମେୟର ଦୌଡ଼ରେ ଆଦୌ ନ ଥିବା ଦମୟନ୍ତୀ ମାଝୀଙ୍କୁ ଦଳ ଚୟନ କରିଛି।

ଦମୟନ୍ତୀ ବସ୍ତିର ଝିଅ ହୋଇଥିଲା ବେଳେ ଅନୁସୂଚିତ ଜନଜାତି ବର୍ଗର। ପୁଣି ସେ ସର୍ବକନିଷ୍ଠା ଓ ଉଚ୍ଚଶିକ୍ଷିତା ମଧ୍ୟ। ତେଣୁ ଏପରି ସବୁ ଦିଗକୁ ଦେଖି ଆଜି ବିଜେଡି ଯେପରି କଟକ‌ରେ ପ୍ରାର୍ଥୀ ଦେଲା, ତାହା ଭୁବନେଶ୍ବରରେ ସବୁ ଆଶାୟୀଙ୍କ ହୃଦ୍‌ସ୍ପନ୍ଦନ ବଢ଼ାଇଦେଇଛି। ଭୁବନେଶ୍ବରରେ ଯଦି ସେହି ମାପକାଠି ଧରାଯାଏ, ତେବେ ସବୁ ପ୍ରମୁଖ ଆଶାୟୀ ନିରାଶ ହେବେ ଓ ଜଣେ ନୂଆ କର୍ପୋରେଟର୍‌ ହିଁ ଆଗକୁ ଆସିବେ। ଏମିତିରେ ବି ପୂର୍ବରୁ ଦୁଇ ଥର ବିଜେଡି ବସ୍ତିରୁ ପ୍ରତିନିଧିତ୍ବ କରୁଥିବା ମହିଳାଙ୍କୁ ଡେପୁଟି ମେୟର ପଦବି ଦେଇଛି। ତେଣୁ ଏଥର ସେହି ଧାରା ଜାରି ରହିବାର ସମ୍ଭାବନାକୁ ଏଡ଼ାଇ ହେବନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe