ଆଜିଠୁ ଜାତୀୟ ହସ୍ତଶିଳ୍ପ ମେଳା ‘ତୋଷାଳି’

Advertisment
ଆଜିଠୁ ଜାତୀୟ ହସ୍ତଶିଳ୍ପ ମେଳା ‘ତୋଷାଳି’

Current Affairs - Adda247

ଭୁବନେଶ୍ୱର: ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଫେବ୍ରୁଆରି ୧ ତାରିଖରୁ ଜନତା ମଇଦାନଠାରେ ୧୭ତମ ଜାତୀୟ ହସ୍ତଶିଳ୍ପ ମେଳା ‘ତୋଷାଳି’ ଆରମ୍ଭ ହେବ। ଏହି ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ କାରିଗର ଓ ବୁଣାକାର ଯୋଗଦେଇ ସେମାନଙ୍କ ପାରମ୍ପରିକ ତଥା ସମସାମୟିକ ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ କରିବେ। ଏହି ହସ୍ତଶିଳ୍ପ ମେଳା ଦେଶର ବାର୍ଷିକ ଉତ୍ସବ କ୍ୟାଲେଣ୍ଡରରେ ନିଜର ସ୍ୱତନ୍ତ୍ର ସ୍ଥାନ ନିରୂପଣ କରି ସାରିଛି। ରାଜ୍ୟରେ କାର୍ଯ୍ୟରତ ଶିଳ୍ପୀ, କାରିଗର, ବୁଣାକାର ତଥା ତତ୍‌ସମ୍ବନ୍ଧୀୟ ଅଭିଜ୍ଞ ବ୍ୟକ୍ତିମାନଙ୍କ ମଧ୍ୟରେ ଭାବଗତ ଆଦାନ ପ୍ରଦାନର ସୁଯୋଗ ସୃଷ୍ଟି କରିବା ଏହି ମେଳାର ଉଦ୍ଦେଶ୍ୟ।

ଚଳିତ ବର୍ଷ ଏହି ମେଳାରେ ୫୬୦ଜଣ କାରିଗର ଓ ବୁଣାକାର ଅଂଶଗ୍ରହଣ କରିବେ। ଭାରତ ସରକାରଙ୍କ ଜାତୀୟ ହସ୍ତଶିଳ୍ପ ମେଳା ଯୋଜନା ଅନ୍ତର୍ଭୁକ୍ତ ବିକାଶ ଆୟୁକ୍ତ(ହସ୍ତଶିଳ୍ପ)ର ୨୫୦ଜଣ କାରିଗରଙ୍କ ହସ୍ତଶିଳ୍ପ ସମେତ ବିକାଶ ଆୟୁକ୍ତ (ହସ୍ତତନ୍ତ) ପକ୍ଷରୁ ବିଭିନ୍ନ ରାଜ୍ୟର ୫୦ଜଣ ବୁଣାକାରମାନଙ୍କ ହସ୍ତତନ୍ତ ଷ୍ଟଲ ମେଳାରେ ସ୍ଥାନିତ ହେବ। ସେହିପରି ରାଜ୍ୟ ସରକାରଙ୍କ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଏବଂ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶାଳୟଙ୍କ ଦ୍ୱାରା ପ୍ରାୟୋଜିତ ୧୫୦ ଜଣ କାରିଗର ଓ ୧୧୦ଜଣ ବୁଣାକାରଙ୍କ ଉତ୍ପାଦ ଷ୍ଟଲରେ ସ୍ଥାନିତ ହେବ। ଏହାବ୍ୟତୀତ ଶିକ୍ଷାନୁଷ୍ଠାନଭିତ୍ତିକ ଓଡ଼ିଶା ଓ ଭାରତ ସରକାରଙ୍କ ଅଧୀନ ହସ୍ତଶିଳ୍ପ ଓ ହସ୍ତତନ୍ତଭିତ୍ତିକ ସଂସ୍ଥାର ଷ୍ଟଲଗୁଡ଼ିକ ସ୍ଥାନିତ ହେବ। ଅନ୍ୟ ରାଜ୍ୟର ହସ୍ତଶିଳ୍ପ ଓ ହସ୍ତତନ୍ତ ନିଗମ ମଧ୍ୟ ଏହି ମେଳାରେ ଅଂଶଗ୍ରହଣ କରିବେ।

ଫେବ୍ରୁଆରି ୧୨ଯାଏ ଚାଲିବ
ଦିନ ସାଢ଼େ ୨ରୁ ରାତି ସାଢ଼େ ୯ ଖୋଲା

ଏଥର ମୁଖ୍ୟ ଆକର୍ଷଣରେ ରହିବ ଖାଦ୍ୟ ପ୍ରାଙ୍ଗଣ। ଏଥିରେ ପାଖାପାଖି ୨୫ଟି ଷ୍ଟଲ ରହିବ। ଓଡ଼ିଶାର ପାରମ୍ପରିକ ଖାଦ୍ୟ ସହ ବିଭିନ୍ନ ରାଜ୍ୟର ସୁସ୍ୱାଦୁ ଖାଦ୍ୟ ମଧ୍ୟ ସ୍ଥାନ ପାଇବ। ଏହାବ୍ୟତୀତ ମିଲେଟ୍‌ ମିସନ, ଓମ୍‌ଫେଡ୍‌ ଓ ଓଟିଡିସିର ୫ଟି ଷ୍ଟଲ ରହିବ। ମେଳାରେ ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ। ଓଡ଼ିଶା ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଆମନ୍ତ୍ରିତ କଳାକାର ଓ କଳାକାର ସଂଗଠନଗୁଡ଼ିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଆମ ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ ଗୋଟିଏ ଫ୍ୟାସନ୍‌ ସୋ’ର ମଧ୍ୟ ଆୟୋଜନ କରାଯାଇଛି। ମେଳା ଫେବ୍ରୁଆରି ୧୨ ତାରିଖ ପର୍ଯ୍ୟନ୍ତ ଅପରାହ୍‌ଣ ସାଢ଼େ ୨ଟାରୁ ରାତି ସାଢ଼େ ୯ଟା ଯାଏ ଚାଲିବ।

ସମ୍ବର୍ଦ୍ଧିତ ହେବେ ୨୦ ହସ୍ତଶିଳ୍ପ ଶିଳ୍ପୀ

ଭୁବନେଶ୍ୱର: ଆଜି ‘ତୋଷାଳି’ର ଉଦ୍‌ଘାଟନୀ ସନ୍ଧ୍ୟାରେ ହସ୍ତଶିଳ୍ପ କ୍ଷେତ୍ରରେ କୃତିତ୍ବ ଓ ଜୀବନବ୍ୟାପୀ ସାଧନ‌ା ନିମନ୍ତେ ୨୦ ହସ୍ତଶିଳ୍ପୀ ସମ୍ବର୍ଦ୍ଧିତ ହେବେ। ଏଥିପାଇଁ ଆଜି ରାଜ୍ୟ ସରକାର ୨୦୧୯-୨୧ ମସିହା ୩ ବର୍ଷ ପାଇଁ ହସ୍ତଶିଳ୍ପ କ୍ଷେତ୍ରରେ ବିଭିନ୍ନ ପୁରସ୍କାର ଘୋଷଣା କରିଛନ୍ତି। ବିଶିଷ୍ଟ ପ୍ରସ୍ତରଶିଳ୍ପୀ ସୁଦର୍ଶନ ସାହୁ, ବେଣୁଧର ମହାପାତ୍ର ଓ ଦେବେନ୍ଦ୍ର ମିଶ୍ରଙ୍କୁ ଯଥାକ୍ରମେ ୨୦୧୯, ୨୦୨୦ ଓ ୨୦୨୧ ବର୍ଷ ନିମନ୍ତେ ‘ଜୀବନବ୍ୟାପୀ ହସ୍ତଶିଳ୍ପ କୃତି ପୁରସ୍କାର’ରେ ସମ୍ବର୍ଦ୍ଧିତ କରାଯିବ। ସେମାନଙ୍କୁ ୫ଲକ୍ଷ ଟଙ୍କାର ଅର୍ଥରାଶି ସହ ସମ୍ମାନିତ କରାଯିବ। ସେହିପରି ଉଦୟ ମହାନ୍ତି (ପଥର ଖୋଦେଇ), ନିର୍ମଳ ଚନ୍ଦ୍ର ଦାସ (ତାଳପତ୍ର ଖୋଦେଇ), ପୂର୍ଣ୍ଣଚନ୍ଦ୍ର ମହାପାତ୍ର (ପଟ୍ଟଚିତ୍ର)ଙ୍କୁ ୨୦୨୦ବର୍ଷ ନିମନ୍ତେ ‘ରାଜ୍ୟ ହସ୍ତଶିଳ୍ପ ପୁରସ୍କାର’ରେ ସମ୍ବର୍ଦ୍ଧିତ କରାଯିବ। ଅନୁରୂପ ଭାବେ ବବିତା ପ୍ରଧାନ (ପଟ୍ଟଚିତ୍ର), ପ୍ରମୋଦ କୁମାର ମହାରଣା (ତାଳପତ୍ର ଖୋଦେଇ), ପ୍ରମୋଦ ମହାରଣା (ପଥର ଖୋଦେଇ), ପ୍ରଭାତୀ ପାତ୍ର (ଲାଖ କାମ), ଅମିୟ ପୋଦାର (କତା ଶିଳ୍ପ) ଓ ଉର୍ବଶୀ ମହାରଣା (ମାଟି ମୂର୍ତ୍ତି କାମ)ଙ୍କୁ ୨୦୨୧ ବର୍ଷ ନିମନ୍ତେ ‘ରାଜ୍ୟ ହସ୍ତଶିଳ୍ପ ପୁରସ୍କାର’ ପ୍ରଦାନ କରାଯିବ। ପୁରସ୍କ‌ାରସ୍ବରୂପ ସେମାନଙ୍କୁ ୧ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ସହ ପ୍ରମାଣପତ୍ର ଓ ଉପଢ଼ୌକନ ପ୍ରଦାନ କରାଯିବ।

ପ୍ରଫୁଲ୍ଲ ମହାରଣା (କାଠ ଖୋଦେଇ), ସୁରେଶ ଚନ୍ଦ୍ର ମହାପାତ୍ର (ଚାନ୍ଦୁଆ କାମ), ନଳିନୀ କାନ୍ତ ଓଝା (କାଠ ଖୋଦେଇ), କୁମାରୀ କୁନି ପାତ୍ର (ନଡ଼ା ହସ୍ତଶିଳ୍ପ)ଙ୍କୁ ୨୦୨୦ ବର୍ଷ ନିମନ୍ତେ ‘କଳାକୃତି ପୁରସ୍କାର’ରେ ସମ୍ବର୍ଦ୍ଧିତ କରାଯିବ। ସେହିପରି ରଶ୍ମିତା ସାହୁ (ପଟ୍ଟଚିତ୍ର), ଅନନ୍ତ ମହାରଣା (ପଥର ଖୋଦେଇ), କନକଲତା ଦାସ (ଲାଖ କାମ), କୁମାରୀ ସରୋଜିନୀ ଦାସ (ବେତ ଓ ବାଉଁଶ କାମ)ଙ୍କୁ ୨୦୨୧ବର୍ଷ ନିମନ୍ତେ ‘କଳାକୃତି ପୁରସ୍କାର’ରେ ସମ୍ବର୍ଦ୍ଧିତ କରାଯିବ। କୃତୀ ଶିଳ୍ପୀମାନଙ୍କୁ ୧୦ ହଜାର ଟଙ୍କାର ପୁରସ୍କାର ରାଶି ଓ ମାନପତ୍ର ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe