ଶାନ୍ତିସ୍ତୂପରେ ଲିଫ୍ଟରେ ଯିବେ ପର୍ଯ୍ୟଟକ

Advertisment
ଶାନ୍ତିସ୍ତୂପରେ ଲିଫ୍ଟରେ ଯିବେ ପର୍ଯ୍ୟଟକ

ଧଉଳି: ଦିବ୍ୟାଙ୍ଗ ଏବଂ ଶାରୀରିକ ଭାବେ ଅସୁସ୍ଥ ବ୍ୟକ୍ତିମାନେ ଏଣିକି ଶାନ୍ତିସ୍ତୂପର ସୌନ୍ଦର୍ଯ୍ୟ ଦେଖିବାରେ କୌଣସି ଅସୁବିଧା ହେବ ନାହିଁ। ଧଉଳି ବୁଲିବାକୁ ଆସୁଥିବା ଏହି ବର୍ଗର ପର୍ଯ୍ୟଟକମାନେ ଶାନ୍ତିସ୍ତୂପ ଦେଖିବାରୁ ଏକପ୍ରକାର ବଞ୍ଚିତ ହେଉଥିଲେ। ଏମିତିକି ଶାନ୍ତିସ୍ତୂପ ଉପରକୁ ସେମାନଙ୍କୁ ଟେକି ଟେକି ନେବାକୁ ପଡ଼ୁଥିଲା। ସେହିପରି ବୟସାଧିକ କାରଣରୁ ବୃଦ୍ଧ ବୃଦ୍ଧାମାନେ ଯିବା ଆସିବା କରିବାରେ ମଧ୍ୟ କଷ୍ଟ ଯନ୍ତ୍ରଣା ଭୋଗୁଥିଲେ। ଅନେକ ଦିବ୍ୟାଙ୍ଗ ପର୍ଯ୍ୟଟକ ଅନ୍ୟ ବିକଳ୍ପ ବ୍ୟବସ୍ଥା ନଥିବାରୁ ସ୍ତୂପ ଉପରକୁ ନଯାଇ ଫେରି ଯାଉଥିଲେ। ଏବେ ଲିଫ୍ଟ ନିର୍ମାଣ ହେଉଥିବାରୁ ଶାନ୍ତିସ୍ତୂପ ଉପରକୁ ଯାଇ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଲାଇଟ ଆଣ୍ଡ ସାଉଣ୍ଡ ସୋ’ ମଧ୍ୟ ଦେଖି ପାରିବେ।

ଆସନ୍ତା ୨୮ ତାରିଖରେ ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ପାଳନ ହେବ। ଏଥିପାଇଁ ଏହାର ବିକାଶ କାର୍ଯ୍ୟ ଜୋରସୋରରେ ଚାଲିଛି। ପର୍ଯ୍ୟଟକମାନେ ଉପରକୁ ସୁବିଧାରେ ଚଢ଼ିବା ପାଇଁ ଲିଫ୍ଟ ନିର୍ମାଣ କରାଯାଉଛି। ଭୁବନେଶ୍ବର ପୂର୍ତ୍ତ ବିଭାଗ ଡିଭିଜନ-୨ ପକ୍ଷରୁ ସ୍ତୂପର ସମ୍ମୁଖ ଭାଗର ଗୋଟିଏ ପାର୍ଶ୍ବରେ ଲିଫ୍ଟ ନିର୍ମାଣ ଚାଲିଛି। ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଭୁଦତ୍ତ ପ୍ରଧାନଙ୍କ ସୂଚନା ଅନୁସାରେ ତଳ ପାର୍ଶ୍ବରୁ ୧୨ ମିଟର ଉଚ୍ଚତା ବିଶିଷ୍ଟ ଲିଫ୍ଟର ଚଉଡ଼ା ୨ମିଟର କରାଯାଇଛି। ଥରକେ ୧୦ରୁ ୧୨ ଜଣ ପର୍ଯ୍ୟଟକ ଏଥିରେ ଯାଇପାରିବେ। ଏହାଛଡ଼ା ସ୍ତୂପ ଉପରେ ଗ୍ରାନାଇଟ ପିଣ୍ଡି ନିର୍ମାଣ କରାଯାଇଛି। ସେହିପରି ବିଭିନ୍ନ ବୃକ୍ଷ ଚାରିପାର୍ଶ୍ବରେ ଦୁଇଫୁଟ ଚଉଡ଼ା ଗୋଲେଇରେ ପର୍ଯ୍ୟଟକମାନଙ୍କ ବସିବା ପାଇଁ କଂକ୍ରିଟ ଓ ଗ୍ରାନାଇଟରେ ପିଣ୍ଡି ନିର୍ମାଣ କରାଯାଇଛି। ଏହାଛଡ଼ା ବିଭିନ୍ନ ସ୍ଥାନରେ କଂକ୍ରିଟ ଚେୟାର ପକାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe