ଦୁର୍ଘଟଣାଗ୍ରସ୍ତ ଯୁବତୀଙ୍କୁ ପ୍ରାଥମିକ ଚିକିତ୍ସା କଲେ ଟ୍ରାଫିକ୍ କନଷ୍ଟେବଲ, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଦୁର୍ଘଟଣାଗ୍ରସ୍ତ ଯୁବତୀଙ୍କୁ ପ୍ରାଥମିକ ଚିକିତ୍ସା କଲେ ଟ୍ରାଫିକ୍ କନଷ୍ଟେବଲ, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଚନ୍ଦ୍ରଶେଖରପୁର : ଗୁରୁବାର ଦିନ ରାଜଧାନୀରେ ପୁଣି ଜଣେ ଟ୍ରାଫିକ୍‌ କନ୍‌ଷ୍ଟ‌େବଳଙ୍କ ମାନବିକତା ଦେଖିବାକୁ ମିଳିଛି। ଭୁବନେଶ୍ବର-ନନ୍ଦନକାନନ ରାସ୍ତା ଜାଭିୟର୍ ଛକରେ ଦୁର୍ଘଟଣାଗ୍ରସ୍ତ ଜଣେ ଯୁବତୀଙ୍କୁ ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ସେ ଚର୍ଚ୍ଚାକୁ ଆସିଛନ୍ତି। ସେ ହେଉଛନ୍ତି ମହିଳା ଟ୍ରାଫିକ୍ କନ୍‌ଷ୍ଟେବଳ ପ୍ରିୟଙ୍କା ବରୁୱା। ଯୁବତୀଙ୍କ ଗୋଡ଼ରେ ସୃଷ୍ଟି ହୋଇଥିବା ଗଭୀର କ୍ଷତକୁ ନିଜ ହାତରେ ବ୍ୟାଣ୍ଡେଜ୍‌ କରି ସେ ନିଜ କର୍ତ୍ତବ୍ୟପରାୟଣତାର ପ୍ରଦର୍ଶନ କରିଛନ୍ତି। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ କରି ପ୍ରିୟଙ୍କାଙ୍କୁ ତାଙ୍କ ସମର୍ପିତ ସେବା, କର୍ତ୍ତବ୍ୟ ନିଷ୍ଠା ଓ ବୃତ୍ତିଗତ ଦକ୍ଷତା ପାଇଁ ସାଧୁବାଦ ଜଣାଇଛନ୍ତି। ପ୍ରିୟଙ୍କାଙ୍କ ଏହି କାର୍ଯ୍ୟ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ‌

ଆଜି ପୂର୍ବାହ୍ନ ପାଖାପାଖି ସାଢ଼େ ଦଶଟା। ଏହି ସମୟରେ ଜଣେ ଯୁବତୀ ସ୍କୁଟି ଯୋଗେ ନାଲ୍‌କୋ ଛକରୁ ଜୟଦେବବିହାର ଦିଗକୁ ଯାଉଥିଲେ। ସେ ଜାଭିୟର୍ ଛକରେ ନିୟନ୍ତ୍ରଣ ହରାଇ ରାସ୍ତା ଉପରେ ପଡ଼ି ଯାଇଥିଲେ। ଫଳରେ ତାଙ୍କ ପାଦରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ସେ ଆଉ ତଳୁ ଉଠି ପାରିନଥିଲେ। ସେଠାରେ ଡ୍ୟୁଟି କରୁଥିବା ଟ୍ରାଫିକ୍ କନଷ୍ଟେବଲ୍‌ ପ୍ରିୟଙ୍କା ଦୌଡ଼ି ଆସି ତାଙ୍କୁ ରାସ୍ତାରୁ ଉଠାଇବା ସହ ଫୁଟପାଥ୍ ଗଛ ଛାଇକୁ ନେଇ ଯାଇଥିଲେ। ଟ୍ର‌ାଫିକ୍ ପୋଷ୍ଟରେ ଥିବା ଫାଷ୍ଟଏଡ଼୍ ବକ୍ସରୁ ଗଜ କପଡ଼ା ଓ ଅଏଣ୍ଟମେଣ୍ଟ ଆଣି ସେ ନିଜ ହାତରେ ତାଙ୍କ ପାଦ କ୍ଷତକୁ ବ୍ୟାଣ୍ଡେଜ୍‌ କରିଥିଲେ। ଏହା ପରେ ଯୁବତୀଙ୍କ ମୋବାଇଲ୍‌ ଫୋନ୍‌ରୁ ପରିବାରଲୋକଙ୍କୁ ଦୁର୍ଘଟଣା ବିଷୟରେ ସୂଚନା ଦେଇଥିଲେ। ଖବର ପାଇ ପରିବାର ଲୋକେ ସେଠାରେ ପହଞ୍ଚିବା ପରେ ପ୍ରିୟଙ୍କା ଯୁବତୀଙ୍କୁ ଛାଡ଼ିଥିଲେ। ପ୍ରିୟଙ୍କାଙ୍କ ଏହି କାର୍ଯ୍ୟକୁ ଲୋକମାନେ ବହୁ ପ୍ରଶଂସା କରିଥିଲେ। ଏମିତିକି ଏହି ଦୃଶ୍ୟ ଦେଖିବା ପାଇଁ ଏତେ ଭିଡ଼ ଜମିଥିଲା ଯେ ଅନ୍ୟ ଟ୍ରାଫିକ୍‌ ପୁଲିସ କର୍ମଚାରୀମାନେ ସେମାନଙ୍କୁ ହଟାଇବାକୁ ନାକେଦମ୍‌ ହୋଇଥିଲେ। ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ରାଜଧାନୀର ଏକ ଟ୍ରାଫିକ୍‌ ଛକରେ ରାସ୍ତାରୁ ଗୋଡ଼ି ଓଳାଇ ସଫା କରିବା ଓ ଅନ୍ୟ ଏକ ଛକରେ ଜଣେ ଦୁର୍ଘଟଣାଗ୍ରସ୍ତ ପରିବା ବେପାରୀଙ୍କୁ ସହଯୋଗ କରି ଦୁଇଜଣ ଟ୍ରାଫିକ୍‌ କନଷ୍ଟେବଲ ଚର୍ଚ୍ଚାକୁ ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe