ଟ୍ରାଫିକ୍‌ କନେଷ୍ଟବଳ ପିନ୍ଧିଲେ ସ୍ବତନ୍ତ୍ର ପିପିଇ କିଟ୍, ସଂକ୍ରମଣ, ପ୍ରଦୂଷଣରୁ ରକ୍ଷା କରିବ

Advertisment
ଟ୍ରାଫିକ୍‌ କନେଷ୍ଟବଳ ପିନ୍ଧିଲେ ସ୍ବତନ୍ତ୍ର ପିପିଇ କିଟ୍, ସଂକ୍ରମଣ, ପ୍ରଦୂଷଣରୁ ରକ୍ଷା କରିବ

୭ ଛକରେ ପରୀକ୍ଷାମୂଳକ ଭାବେ ପିନ୍ଧିଲେ
ସଫଳ ହେଲେ ଟୁଇନ୍ ସିଟିରେ କାର୍ଯ୍ୟକାରୀ ହେବ

ଭୁବନେଶ୍ବର : ଧୂଳି, ଧୂଆଁ, ସଂକ୍ରମଣ ଓ ପ୍ରଦୂଷଣକୁ ସାମ୍ନା କରି ଟ୍ରାଫିକ ପୋଷ୍ଟରେ ଡ୍ୟୁଟି କରୁଥିବା କର୍ମଚାରୀଙ୍କୁ ସୁରକ୍ଷିତ ରଖିବା ପାଇଁ ଭେଣ୍ଟିଲେଟର ଯୁକ୍ତ ସ୍ବତନ୍ତ୍ର ପିପିଇ କିଟ୍ ଆସିଛି। ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ଏହି କିଟ୍‌କୁ ପାଇଲଟ ପ୍ରକଳ୍ପ ଭାବେ ନିଆଯାଇ ଆଜି ରାଜଧାନୀର ୭ଟି ପୋଷ୍ଟରେ କନେଷ୍ଟବଳଙ୍କୁ ପିନ୍ଧିବାକୁ ଦିଆଯାଇଛି। କନେଷ୍ଟବଳ ଏହି କିଟ୍ ପିନ୍ଧି ଡ୍ୟୁଟି କରିଛନ୍ତି। ପରୀକ୍ଷାମୂଳକ ଭାବେ ସେମାନେ କିଛିଦିନ ଏହି କିଟ୍ ପିନ୍ଧି ଡ୍ୟୁଟି କରିବେ। ଯଦି ଏହି କିଟ୍ ପିନ୍ଧି ଡ୍ୟୁଟି କରିବାକୁ ସହଜ ଓ ସୁବିଧା ହେଲା ତାହେଲେ କମିସନରେଟ୍ ପୁଲିସ ପକ୍ଷରୁ ଟୁଇନ୍ ସିଟିରେ ଟ୍ରାଫିକ କର୍ମଚାରୀଙ୍କ ପାଇଁ ଏହା କିଣାଯିବ ବୋଲି ଜଣାପଡ଼ିଛି। ଅଟଳ ଇନୋଭେସନ ମିସନ ଅଧୀନରେ କାମ କରୁଥିବା ଏକ ସଂସ୍ଥା ଏହାକୁ ଯୋଗାଇଥିବା ଜଣାପଡ଼ିଛି। କରୋନା ପରେ ଏପରି ଏକ କିଟ୍ ପ୍ରସ୍ତୁତ କରାଯାଇଛି। ତେବେ ଏହି ପିପିଇ କିଟ୍ ପିନ୍ଧି ଡ୍ୟୁଟି କରିବା କେତେଦୂର ସହଜ ହେବ ତାହା ବ୍ୟବହାର ପରେ ହିଁ ଜଣାପଡ଼ିବ ବୋଲି କୁହାଯାଉଛି।

କିଟ୍‌ରେ ରହିଛି ଫ୍ୟାନ୍
ଏହା କିଟ୍ ସ୍ବଚ୍ଛ (ଟ୍ରାନ୍ସପାରେଣ୍ଟ) ହୋଇଥିବା ବେଳେ ମୁଣ୍ଡ ପାଇଁ ଏକ ହେଲମେଟ୍ ରହିଛି। ଏହା ମୁହଁର ସମ୍ମୁଖ ଭାଗ କଭର ରହିଥିବା ବେଳେ ଏନ୍ ୯୫/କେ୯୫ ର ଫିଲ୍‌ଟର ରହିଛି। ପଛ ଭାଗରେ ପକେଟ୍ ରହିଛି। ସେଥିରେ ପାଓ୍ଵାର୍‌ ବ୍ୟାଙ୍କ୍‌ ରହିବ। ଅଣ୍ଟା ପାଖରେ ଲାଗିଥିବା କେବଲକୁ ସେହି ପାଓ୍ଵାର୍‌ ବ୍ୟାଙ୍କ୍‌ ସହ ସଂଯୋଗ କରାଯିବ। ମୁଣ୍ଡର ପଛ ଭାଗରେ ଲାଗିଥିବା ଫ୍ୟାନ୍‌ ବୁଲିବା ପରେ ବାହାର ପବନ ଆସିବ। ଏହା ପୂରା ମୁଣ୍ଡ ସହ ଶରୀରକୁ ଥଣ୍ଡା ରଖିବ। ଫଳରେ ଗରମ ଅନୁଭୂତ ହେବ ନାହିଁ। ସେହିପରି ନିଶ୍ବାସପ୍ରଶ୍ବାସ ନେବାରେ ମଧ୍ୟ ସହଜ ହେବ। ୨୦ରୁ ୬୦ ଡିଗ୍ରି ସେଲସିଅସ୍‌ରେ ଏହି କିଟ୍‌କୁ ରଖାଯିବ। ବିନା ପାଓ୍ଵାର ବ୍ୟାଙ୍କ୍‌ରେ ଏହାର ଓଜନ ପ୍ରାୟ ୧ କେଜି ହେବ ବୋଲି ଜଣାପଡ଼ିଛି।

ଏବେ ୭ଟି ଛକରେ ବ୍ୟବହାର ହେଉଛି
ପ୍ରାଥମିକ ପର୍ଯ୍ୟାୟରେ ରାଜଧାନୀର ପ୍ରମୁଖ ୭ଟି ଛକରେ ଏହି ପିପିଇ କିଟ୍ ବ୍ୟବହାର କରାଯାଉଛି। ସେଗୁଡ଼ିକ ହେଲା ଏଜି, ରବୀନ୍ଦ୍ର ମଣ୍ଡପ, ବେହେରାସାହି, ନାଲକୋ, ଡମଣା, କ୍ୟାପିଟାଲ ହସ୍ପିଟାଲ ଓ ଏୟାରପୋର୍ଟ ଛକରେ ଟ୍ରାଫିକ କନେଷ୍ଟବଳମାନେ ପିନ୍ଧି ଆଜି ଡ୍ୟୁଟି କରିଛନ୍ତି। ଡ୍ୟୁଟି ବଦଳ ସମୟରେ ଏହାକୁ ଭଲ ଭାବେ ସାନିଟାଇଜ୍ କରାଯିବା ପରେ ଅନ୍ୟ ଜଣେ କର୍ମଚାରୀ ପିନ୍ଧିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe