ଟ୍ରାଫିକ ସ୍ଥିତି ଅସମ୍ଭାଳ, ରାଜମହଲ ଛକରେ ଘଣ୍ଟାଏ ଜାମ୍

Advertisment

କାମରେ ଆସିଲାନି ବିଓସି, ଟ୍ରାଫିକ ପୁଲିସ ଘଣ୍ଟାଏ ପରେ ଆସିଲା

କାମରେ ଆସିଲାନି ବିଓସି, ଟ୍ରାଫିକ ପୁଲିସ ଘଣ୍ଟାଏ ପରେ ଆସିଲା

ଟ୍ରାଫିକ ସ୍ଥିତି ଅସମ୍ଭାଳ, ରାଜମହଲ ଛକରେ ଘଣ୍ଟାଏ ଜାମ୍

ଭୁବନେଶ୍ବର: ରାଜଧାନୀବାସୀଙ୍କ ଯାତାୟାତରେ ଯେପରି ବିଶେଷ ସମସ୍ୟା ନଉପୁଜିବ, ରାସ୍ତା ଜାମ୍ ହେବନି ସେଥିପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ରାଜଧାନୀରେ ସ୍ବୟଂଚାଳିତ ଟ୍ରାଫିକ ବ୍ୟବସ୍ଥା ଆରମ୍ଭ ହୋଇଛି। କିନ୍ତୁ କମିସନରେଟ୍ ପୁଲିସର ଟ୍ରାଫିକ ପୁଲିସ ଏହାକୁ ଠିକ୍ ଭାବେ ପରିଚାଳନା କରିବାରେ ବିଫଳ ହୋଇଥିବାରୁ ରାଜଧାନୀରେ ସ୍ଥିତି ଅସମ୍ଭାଳ ହେଲାଣି। ଏପଟେ ସ୍ମାର୍ଟ ଜନପଥ ଏବଂ ବମିଖାଲ ଓଭରବ୍ରିଜ୍ କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ ହୋଇ ନଥିବାରୁ ଏହି ରାସ୍ତା ଏବେ ରାଜଧାନୀବାସୀଙ୍କ ପାଇଁ ଯନ୍ତ୍ରଣାଦାୟକ ପାଲଟିଯାଇଛି। ଯାହା କିଛି ଦିନ ହେଲା ରାଜମହଲ ଛକ ଏବଂ ବମିଖାଲ ଛକରେ ଦେଖିବାକୁ ମିଳୁଛି। ରାଜମହଲ ଛକରେ ଆଜି ମଧ୍ୟାହ୍ନ ୧୨ଟା ୩୦ରୁ ୧ଟା ୩୦ ପର୍ଯ୍ୟନ୍ତ ପ୍ରାୟ ଏକ ଘଣ୍ଟା ଟ୍ରାଫିକ ଜାମ୍ ହୋଇଯିବାରୁ ସ୍ଥିତି ଅଣାୟତ ହୋଇଯାଇଥିଲା। ଏଜି ଛକ ପାର୍ଶ୍ବରୁ ଆସୁଥିବା ଲୋକ ଓଭରବ୍ରିଜ୍ ତଳ ରାସ୍ତାରେ କଳ୍ପନା ଛକକୁ ଯାଇପାରି ନଥିଲେ କି ମାଷ୍ଟର କ୍ୟାଣ୍ଟିନ୍ ପାର୍ଶ୍ବରୁ ଆସୁଥିବା ଲୋକ ଶିଶୁ ଭବନ ଦିଗରେ ଯାଇପାରି ନଥିଲେ। ଶିଶୁ ଭବନ ପାର୍ଶ୍ବରୁ ଆସୁଥିବା ଲୋକ ବି ରାସ୍ତା ଜାମ୍ ଯୋଗୁଁ ମାଷ୍ଟରକ୍ୟାଣ୍ଟିନ୍ ପାର୍ଶ୍ବକୁ ଯାଇପାରି ନଥିଲେ। ରାସ୍ତା ଉପରେ ଶତାଧିକ ଗାଡ଼ି ମୁହାଁମୁହିଁ ହୋଇଯିବାରୁ ରାସ୍ତା ଜାମ୍ ହୋଇ ଯାଇଥିଲା। ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ଟ୍ରାଫିକ ବ୍ୟବସ୍ଥା ଭୁଶୁଡ଼ି ଯାଇଥିଲେ ହେଁ ଏଠାରେ ଟ୍ରାଫିକ୍ ପୁଲିସ୍ ବିଳମ୍ବରେ ଆସି ପହଞ୍ଚିଥିଲେ। ଏପରିକି ପୂରା ଭୁବନେଶ୍ବର ଉପରେ ନଜର ରଖୁଥିବା ଭୁବନେଶ୍ବର ଅପରେସନ୍ ସେଣ୍ଟର୍‌ (ବିଓସି) ବି ଏହି ସମସ୍ୟାର ସମାଧାନ କରିପାରି ନଥିଲା। ବିଓସିକୁ କେହି ଫୋନ୍ କରି ଅଭିଯୋଗ କରି ନଥିବାରୁ ବିଓସି ପାଖରେ ଏନେଇ ଖବର ନଥିଲା ବୋଲି ବିଏସ୍‌ସିଏଲ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଭିଡ଼ ଭିତରେ ଶତାଧିକ ଗାଡ଼ି, ଶତାଧିକ ଲୋକ ଘଣ୍ଟାଏ କାଳ ସନ୍ତୁଳି ହେବା ପରେ ଯାଇ ଟ୍ରାଫିକ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। କମିସନରେଟ୍ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରାଜମହଲ ଛକରେ ସ୍ମାର୍ଟ ଜନପଥ କାର୍ଯ୍ୟ ହେଉଥିବାବେଳେ ଏଠାରେ ନୂଆ ଟ୍ରାଫିକ ବ୍ୟବସ୍ଥା କାର୍ଯ୍ୟ ହେଉଛି। ତେଣୁ ପୂର୍ବରୁ ଏହି ରାସ୍ତାରେ ଥିବା ଡିଭାଇଡର୍‌କୁ ଭାଙ୍ଗି ଦିଆଯାଇଛି। ଏହି ସ୍ଥାନରେ ଲୋକ ରାସ୍ତା ପାର୍ ହେଉଥିବାରୁ ସମସ୍ୟା ଉପୁଜିଥିଲା। ଏହି ସମସ୍ୟା ଯେପରି ଆଗକୁ ନଦେଖାଯିବ ସେଥିପାଇଁ ନୂଆ ଟ୍ରାଫିକ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ଏଠାରେ ଟ୍ରାଫିକ୍ ପୁଲିସ ମୁତୟନ ହୋଇ ଟ୍ରାଫିକ ପରିଚାଳନା କରିବେ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

ବମିଖାଲ ଓଭରବ୍ରିଜ୍ ଦୁଃଖ କେବେ ସରିବ?
କଳ୍ପନା ଛକ ପାର୍ଶ୍ବରୁ ରସୁଲଗଡ଼ ଆସୁଥିବା ଲୋକ ଏବେ ଦୈନିକ କାନ୍ଦୁଛନ୍ତି। ବମିଖାଲ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରି ନଥିବାରୁ ଏହି ରାସ୍ତାରେ ଯାତାୟାତ କରିବା ଯନ୍ତ୍ରଣାଦାୟକ ପାଲଟିଯାଇଛି। ଏପରିକି ପୂର୍ତ୍ତ ବିଭାଗ ଏହି ଓଭରବ୍ରିଜ୍ ନିର୍ମାଣ ଶେଷ କରିବା ପାଇଁ ଡେଡଲାଇନ୍ ବାରମ୍ବାର ଘୁଞ୍ଚାଇ ଚାଲିଥିବାରୁ ବ୍ରିଜ୍ କାମ କେବେ ସରିବ ତାହା କେହି ଜାଣିପାରୁନାହାନ୍ତି। ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଯେପରି ମନ୍ଥର ଗତିରେ ଚାଲିଛି ତାହାକୁ ଦେଖି ରାଜଧାନୀବାସୀ କହିଲେଣି ଆମକୁ କଷ୍ଟ ଦେବାକୁ ପୂର୍ତ୍ତ ବିଭାଗ ମନ ସ୍ଥିର କରିନେଇଛି। ଯେତେ ଅଭିଯୋଗ କଲେ କିଛି ଫଳ ମିଳୁନି। ପଣ୍ଡା ଇନ୍‌ଫ୍ରା ଯେତିକି ମନ୍ଥର ଗତିରେ କାମ କରୁଥିଲା ଏବେକାର ନିର୍ମାଣ କାର୍ଯ୍ୟ ତାକୁ ବଳିଗଲାଣି। ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତରା ଯୋଗୁଁ ରାଜଧାନୀବାସୀଙ୍କ ଜୀବନ ଦୁର୍ବିସହ ହୋଇଗଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe