ଟମାଟୋ ପାଇଁ ଅଟକିଲା ଟ୍ରାଫିକ: ଭିଡିଓ ଭାଇରାଲ୍, କନଷ୍ଟେବଳଙ୍କୁ ପ୍ରଶଂସା

ଟମାଟୋ ପାଇଁ ଅଟକିଲା ଟ୍ରାଫିକ: ଭିଡିଓ ଭାଇରାଲ୍, କନଷ୍ଟେବଳଙ୍କୁ ପ୍ରଶଂସା

ଭୁବନେଶ୍ବର: ଟମାଟୋ ପାଇଁ ଅଟକିଲା ଟ୍ରାଫିକ୍‌। କଥାଟା ଟିକେ ଅଡୁଆ ଲାଗୁଥିଲେ ମଧ୍ୟ ଏୟାରପୋର୍ଟ ଛକରେ ଆଜି ଏଭଳି ଏକ ଘଟଣା ଘଟିଛି। ଅନେକ ସମୟରେ କାର୍ଯ୍ୟଶୈଳୀକୁ ନେଇ ସମାଲୋଚନାର ଶିକାର ହେଉଥିବା ଟ୍ରାଫିକ ପୁଲିସର ମାନବିକତା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ ପୁଲିସକୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି।

ମିଳିଥିବା ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରେ ଏକ ଅଟୋ ଏଜି ଛକରୁ ଫାୟାର ଷ୍ଟେସନ ଅଭିମୁଖେ ଯାଉଥିଲା। ଏୟାରପୋର୍ଟ ଛକ ନିକଟରେ ଗାଡ଼ି ବୁଲାଉଥିବା ବେଳେ ଓଲଟି ପଡ଼ିଥିଲା। ଅଟୋରେ ଥିବା ତିନୋଟି ଟମାଟୋ ଟ୍ରେ ରାସ୍ତାରେ ପଡ଼ି ଯାଇଥିଲା। ଏହା ଦେଖି ସେଠାରେ କାର୍ଯ୍ୟରତ ଟ୍ରାଫିକ କନଷ୍ଟେବଳ ରାକେଶ ବାରିକ ଓ ସନ୍ଦେଶ ଜେନା ଟମାଟୋ ଗୋଟାଇ ଟ୍ରେରେ ପୂରାଇଥିଲେ। କିଛି ଲୋକ ମଧ୍ୟ ସାହାଯ୍ୟ କରିଥିଲେ। ଫଳରେ ପରିବା ବେପାରୀ ବଡ଼କ୍ଷତିରୁ ରକ୍ଷା ପାଇଯାଇଥିଲେ। ଏଥିପାଇଁ କିଛି ସମୟ ଟ୍ରାଫିକ୍‌ ଆପେ ଆପେ ଅଟକି ଯାଇଥିଲା। କେହି ଜଣେ ବ୍ୟକ୍ତି ଏହାର ଭିଡିଓ ରେକର୍ଡିଂ କରି ସୋସିଆଲ୍ ମିଡିଆରେ ଅପଲୋଡ୍‌ କରିଥିବା ବେଳେ ଏହା ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଅପରପକ୍ଷେ ଏହି କାର୍ଯ୍ୟ ପାଇଁ ଦୁଇ ଟ୍ରାଫିକ୍‌ କର୍ମଚାରୀଙ୍କୁ ପ୍ରଶଂସା ମିଳିଛି। ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ କଟକ ଶିଖରପୁରରେ ରାସ୍ତା ଉପରେ ଗଦା ହୋଇଥିବା ବାଲିଗୋଡ଼ିକୁ କାର୍ଯ୍ୟରତ ଜଣେ ଟ୍ରାଫିକ କନଷ୍ଟେବଳ ଝାଡ଼ୁରେ ସଫା କରିବାର ଭିଡିଓ ଭାଇରାଲ୍ ହୋଇଥିଲା। ଏହି କାର୍ଯ୍ୟ ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe