ବେଲଗାମ ଟ୍ରାଫିକ୍: କଲବଲ ହେଲେ ଲୋକ

Advertisment
ବେଲଗାମ ଟ୍ରାଫିକ୍: କଲବଲ ହେଲେ ଲୋକ

ଭୁବନେଶ୍ବର: ରସୁଲଗଡ଼ ଶିଳ୍ପାଞ୍ଚଳର ପ୍ରବେଶ ପଥରେ ଟ୍ରାଫିକ୍ ସମସ୍ୟା ସୁଧୁରିବାର ନାଁ ଧରୁନି। ବିଭିନ୍ନ ପର୍ବପର୍ବାଣି ହେଉ କି ସାଧାରଣ ଦିନ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଫସି ରହୁଛନ୍ତି ଗାଡ଼ି ଚାଳକ। ଆଜି ଏଭଳି ଅସମ୍ଭାଳ ଭିଡ଼ ରସୁଲଗଡ଼ ଶିଳ୍ପାଞ୍ଚଳ ପ୍ରବେଶ ପଥରେ ଦେଖିବାକୁ ମିଳିଥିଲା। ଆଜି ପହିଲି ରଜରେ ଭିଡ଼ ସମ୍ଭାବନା ଥିବା ବେଳେ ସାଧାରଣ ଦିନ ଭଳି ଆଜି ମାତ୍ର ଦୁଇ ଜଣ ଟ୍ରାଫିକ କର୍ମଚାରୀ ନିୟୋଜିତ ହୋଇଥିଲେ। ଫଳରେ ଆଜି ସନ୍ଧ୍ୟାରେ ରସୁଲଗଡ଼ ଶିଳ୍ପାଞ୍ଚଳ ଛକରେ ଟ୍ରାଫିକ୍ ବ୍ୟବସ୍ଥା ପୂରା ଭୁଶୁଡ଼ି ପଡ଼ିଥିଲା। କେବଳ ରସୁଲଗଡ଼ ଶିଳ୍ପାଞ୍ଚଳ ନୁହେଁ, ଏହାକୁ ସଂଯୋଗ କରୁଥିବା ବମିଖାଲ ଫ୍ଲାଏ ଓଭରବ୍ରିଜ୍ ଠୁ ଆରମ୍ଭ କରି ରସୁଲଗଡ଼ ଛକ ପର୍ଯ୍ୟନ୍ତ ସବୁ ଜାଗାରେ ଜାମ୍ ହୋଇଯାଇଥିଲା।

ଗୋଟେ ପଟେ ପ୍ରବେଶ ପଥ ନିକଟରେ ମଲ୍ ଥିବାରୁ ସନ୍ଧ୍ୟା ପୂର୍ବରୁ ମାଳମାଳ ଲୋକେ ବୁଲିବା ପାଇଁ ମାଡ଼ିଆସିଥିଲେ। ତା’ ସାଙ୍ଗକୁ ରଜ ପାଇଁ ସାଧାରଣ ଦିନ ଅପେକ୍ଷା ଆଜିର ଦିନରେ ଏହି ସଂଖ୍ୟା ଦୁଇଗୁଣା ଥିଲା। କାରଣ ମଲ୍‌ଠୁ ଆରମ୍ଭ କରି ପଡ଼ିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରଜପର୍ବ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଫଳରେ ଲୋକଙ୍କ ସୁଅ ଛୁଟିଥିଲା। ଫୁଟ୍‌ପାଥ୍ ଠୁ ଆରମ୍ଭ କରି ରାସ୍ତା ମଝି ପର୍ଯ୍ୟନ୍ତ ଲୋକେ ମାଡ଼ି ଆସିଥିଲେ। ଏହା ସହିତ ରାସ୍ତା ଦୁଇପାର୍ଶ୍ବରେ ଉଠାଦୋକାନୀ ଧାଡ଼ି ଧାଡ଼ି ହୋଇ ଖାଇବା ପସରା ମେଲି ଦେଇଥିଲେ।

ଖାଇବା ପାଇଁ ଲୋକେ ରାସ୍ତା ଉପରେ ପାର୍କିଂ କରିଥିଲେ। ଯାହା ରାସ୍ତା ଜାମ୍ ପାଇଁ ପ୍ରମୁଖ କାରଣ ବୋଲି କୁହାଯାଉଛି। ଆଉ ରାସ୍ତା ଉପରୁ ଗାଡ଼ି ହଟାଇବା କି ଏସବୁ ଜଗିବା ପାଇଁ ଟ୍ରାଫିକ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖା ଦେଇଥିଲା।

ଏ ସମ୍ପର୍କରେ ଟ୍ରାଫିକ୍ ଏସିପି ସ୍ବସ୍ତିକ ପଣ୍ଡା କହିଛନ୍ତି, ଆଜି ରଜ ପାଇଁ ୨ଜଣ ଟ୍ରାଫିକ୍ ପୁଲିସଙ୍କୁ ରସୁଲଗଡ଼ ଶିଳ୍ପାଞ୍ଚଳର ପ୍ରବେଶ ପଥରେ ନିୟୋଜିତ କରାଯାଇଥିଲା। ଏହା ସହିତ ବେଆଇନ୍ ଭାବେ କାର୍ ଓ ବାଇକ୍ ପାର୍କିଂ କରାଯାଉଥିବାରୁ ସେ ସବୁକୁ ହଟାଇବା ପାଇଁ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ନିୟୋଜିତ ହୋଇଥିଲା। ରାସ୍ତା ପାର୍ଶ୍ବରୁ ବେଆଇନ୍ ପାର୍କିଂ କରିଥିବା ୪ଟି କାର୍ ହଟାଇବା ସହିତ ଚାଳକଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା।

ପ୍ରବେଶ ପଥରେ ଗୋଲେଇ ଛକ ପାଇଁ ପ୍ରସ୍ତାବ

ପ୍ରତିଦିନ ରସୁଲଗଡ଼ ଛକରୁ ଶିଳ୍ପାଞ୍ଚଳ ପ୍ରବେଶ ପଥ ପର୍ଯ୍ୟନ୍ତ ଟ୍ରାଫିକ୍‌ ସମସ୍ୟା ଲାଗିରହୁଛି। ଭିଡ଼ ହଟାଇବା ପାଇଁ ବିଏମ୍‌ସି ଓ ପୂର୍ତ୍ତ ବିଭାଗ ସହିତ ଟ୍ରାଫିକ୍‌ ବିଭାଗର ମିଳିତ ବୈଠକ ବସିଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ରସୁଲଗଡ଼ ଶିଳ୍ପାଞ୍ଚଳର ପ୍ରବେଶ ପଥରେ ଗୋଲେଇ ଛକ ତିଆରି କରିବାକୁ ପ୍ରସ୍ତାବ ଦିଆଯାଇଛି। ପ୍ରସ୍ତାବକୁ ନେଇ ବିଭିନ୍ନ ପର୍ଯ୍ୟାୟରେ ବରିଷ୍ଠ କର୍ମଚାରୀମାନେ ବିଚାର ବିମର୍ଶ କରୁଛନ୍ତି। ଅନୁମୋଦନ ମିଳିଲା ପରେ ଡିଜାଇନ୍ ତିଆରି ହେବ। ଏହା ସହିତ କୋଚିଳେଇ ହାଟ ନିକଟରୁ ରସୁଲଗଡ଼ ଟ୍ରାଫିକ୍ ଛକ ପର୍ଯ୍ୟନ୍ତ ରାସ୍ତା ମଝିରେ ଯେଉଁ ଫାଙ୍କା ଅଛି, ମଝିରେ ଡିଭାଇଡର୍ ନିର୍ମାଣ ହେବ। ରାସ୍ତାର ଉଭୟ ପାର୍ଶ୍ବରେ ଅର୍ଥାତ୍ ଅଂଜଳି ମୋଟର୍ସ ପାଖରେ କିଛି ବେଆଇନ୍ ନିର୍ମାଣ ହୋଇଛି। ସେଗୁଡ଼ିକୁ ଉଚ୍ଛେଦ କରାଯିବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି ବୋଲି ଟ୍ରାଫିକ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe