ବିଧାନସଭା ପାଇଁ ଟ୍ରାଫିକ୍ କଟକଣା : ଜାଣନ୍ତୁ କେଉଁ ରାସ୍ତାରେ ଯାଇପାରିବେ ନାହିଁ

ବିଧାନସଭା ପାଇଁ ଟ୍ରାଫିକ୍ କଟକଣା : ଜାଣନ୍ତୁ କେଉଁ ରାସ୍ତାରେ ଯାଇପାରିବେ ନାହିଁ

Kalinga TV

ଭୁବନେଶ୍ବର: ଓଡ଼ିଶା ସହରାଞ୍ଚଳ ଆଇନ୍ ୨୦୦୩ ର ଧାରା ୨୮ ଅନୁଯାୟୀ ବିଧାନସଭା ଅଧିବେଶନ ବେଳେ ମୋଟରଯାନ ଚଳାଚଳ ନିମନ୍ତେ କଟକଣା ବଳବତ୍ତର ରହିବ। ଏହି କଟକଣା ବିଧାନସଭା ସଂଲଗ୍ନ ରାସ୍ତାମାନଙ୍କରେ ନିରାପତ୍ତାକୁ ଦୃଷ୍ଟିରେ ରଖି କାର୍ଯ୍ୟକାରୀ କରାଯିବ। ନିମ୍ନଲିଖିତ କଟକଣା ଗୁଡ଼ିକ ବିଧାନସଭା ଚାଲୁଥିବା ସମୟରେ ଚଳିତ ମାସ ୨୪ ତାରିଖରୁ ଆସନ୍ତା ମାସ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି।

ହାଉସିଂବୋର୍ଡ ଛକ ପଟୁ ଆସୁଥିବା ସମସ୍ତ ଯାନବାହନ କେଶରୀ ସିନେମା ହଲଠାରୁ ଆଗକୁ ନ ଯାଇ ବାମ ପାର୍ଶ୍ବ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ। ଏଜି ଛକ ପଟୁ ପିଏମ୍‌ଜି ଛକ ଆଡ଼କୁ ଆସୁଥିବା ସମସ୍ତ ଯାନବାହନ ଜୟଦେବ ଭବନ ପାଖରେ ଡାହାଣ ପାର୍ଶ୍ୱରେ ଥିବା ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ। ମାଷ୍ଟରକ୍ୟାଣ୍ଟିନ୍‌ ଛକ ପଟୁ ଅପର ପିଏମ୍‌ଜି ଛକ ଆଡ଼କୁ ଆସୁଥିବା ଯାନବାହନଗୁଡ଼ିକ ଲୋୟର ପିଏମ୍‌ଜି ଛକ ଠାରୁ ବାମ କିମ୍ବା ଡାହାଣ ପାର୍ଶ୍ବ ରାସ୍ତା ଦେଇ ଯାଇପାରିବେ। କିନ୍ତୁ ସେମାନେ ମହାତ୍ମା ଗାନ୍ଧୀ ମାର୍ଗ ଦେଇ ଯାଇପାରିବେ ନାହିଁ। ୧୨୦ ବାଟାଲିୟନ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହନ ପାୱାର ହାଉସ ଛକ ଆଡ଼କୁ ଯିବେ। ରାଜଭବନ ଛକ ପଟୁ ଏମ୍ଏଲ୍ଏ କଲୋନି ଏବଂ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହନ ଶାସ୍ତ୍ରୀନଗର ଛକ ଆଡ଼କୁ ଯିବେ। ଏହି କଟକଣା ବିଧାନସଭା, ରାଜ୍ୟ ସଚିବାଳୟ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ଅଧିକୃତ ଯାନବାହାନମାନଙ୍କ ପାଇଁ ଲାଗୁ ହେବନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe