ଅନୁବାଦ କବିତା ପୁସ୍ତକ ‘ମହାନାୟକ ଔର ଅନ୍ୟ କବିତାଏଁ’ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

Advertisment
ଅନୁବାଦ କବିତା ପୁସ୍ତକ ‘ମହାନାୟକ ଔର ଅନ୍ୟ କବିତାଏଁ’ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର: ଡକ୍ଟର ଊର୍ମିମାଳା ଆଚାର୍ଯ୍ୟଙ୍କ ଦ୍ୱାରା ଓଡ଼ିଆରୁ ହିନ୍ଦୀ ଭାଷାକୁ ଅନୁଦିତ କବିତା ସଂକଳନ ‘ମହାନାୟକ ଔର ଅନ୍ୟ କବିତାଏଁ’ ଆଜି ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ରାଜଭବନରେ ଉନ୍ମୋଚିତ ହୋଇଛି । ଏହି ଅବସରରେ ମାନ୍ୟବର ରାଜ୍ୟପାଳ ଓଡ଼ିଆ ସାହିତ୍ୟର ଉଚ୍ଚ ପ୍ରଶଂସା କରିବା ସହିତ ଓଡ଼ିଶା କବିଙ୍କ ରାଜ୍ୟ ବୋଲି ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ଓଡ଼ିଶାରେ ସେ ଯାହାଙ୍କୁ ଭେଟୁଛନ୍ତି, ସେମାନେ ଜଣେ ଜଣେ କବି । ଏହା ତାଙ୍କୁ ବେଶ୍ ଆନନ୍ଦ ଦେଉଛି । ଅନୁଦିତ କବିତା ପୁସ୍ତକ ମାଧ୍ୟମରେ ଓଡ଼ିଶାର ଉଚ୍ଚମାନର କବିତାକୁ ଓଡ଼ିଶା ବାହାରର ପାଠକମାନେ ପଢ଼ିବାର ସୁଯୋଗ ପାଇବେ ବୋଲି ସେ ଦର୍ଶାଇଥିଲେ ।

ଏହି ଅବସରରେ ଲେଖିକା ଶ୍ରୀମତୀ ଆଚାର୍ଯ୍ୟଙ୍କ ସହିତ ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ବିଶିଷ୍ଟ ସାହିତି୍ୟକ ପ୍ରଫେସର ଅଜୟ କୁମାର ପଟ୍ଟନାୟକ, ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ବିଶିଷ୍ଟ କବି ରକ୍ଷକ ନାୟକ, ପୁସ୍ତକର ପ୍ରକାଶକ ତଥା ତାଳପଦେଶ୍ୱରୀ ସାହିତ୍ୟ ଆସରର ସଭାପତି ଡକ୍ଟର ଅମୂଲ୍ୟ କୁମାର ଦାଶ ଏବଂ ଲେଖକ ଓ ସାମ୍ବାଦିକ ଶତ୍ରୁଜିତ୍ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଉନ୍ମୋଚିତ ହୋଇଥିବା ପୁସ୍ତକଟିରେ ୪୯ଟି ଓଡ଼ିଆ କବିତାର ହିନ୍ଦୀ ଅନୁବାଦ ସଂକଳିତ ହୋଇଛି । ଏଥିରେ ବିଶିଷ୍ଟ କବି ସଚ୍ଚି ରାଉତରାୟ, ଜୟନ୍ତ ମହାପାତ୍ର, ରମାକାନ୍ତ ରଥ, ସୀତାକାନ୍ତ ମହାପାତ୍ର, ରାଜେନ୍ଦ୍ର ପଣ୍ଡାଙ୍କଠାରୁ ଆରମ୍ଭ କରି ସୂର୍ଯ୍ୟ ମିଶ୍ର, ରକ୍ଷକ ନାୟକ, ରବି ଶତପଥୀ, ସରୋଜ ବଳଙ୍କ ପର୍ଯ୍ୟନ୍ତ ଚାରି ପିଢ଼ିର କବିଙ୍କ କବିତା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe