ଓଡ଼ିଶା ମୋଟର ଚାଳକ ସଂଘର ଧାରଣା: ଦାବି ପୂରଣ ନକଲେ ଗାଡ଼ି ଗଡ଼ିବନି

ଓଡ଼ିଶା ମୋଟର ଚାଳକ ସଂଘର ଧାରଣା:  ଦାବି ପୂରଣ ନକଲେ ଗାଡ଼ି ଗଡ଼ିବନି

ଭୁବନେଶ୍ବର : କରୋନା କଟକଣା ଯୋଗୁଁ ଜୀବିକା ହରାଇ ଘରେ ବସି ରହିଥିବା ଚାଳକମାନେ ଏବେ ଅଡ଼ି ବସିଛନ୍ତି। ସରକାର ସହାୟତା ଯୋଗାଇ ‌ନ ଦେବା ପର୍ଯ୍ୟନ୍ତ ସେମାନେ ଗାଡ଼ି ଚଳାଇବେ ନାହିଁ ବୋଲି ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ କୁହାଯାଇଛି। ଏ ନେଇ ଆଜି ସଂଘ ପକ୍ଷରୁ ବରମୁଣ୍ଡା ବସଷ୍ଟାଣ୍ଡରେ ଧାରଣା ଦିଆଯାଇଥିଲା। ଶତାଧିକ ବସ ଓ ଅନ୍ୟ ମୋଟର ଚାଳକ ଏକାଠି ହୋଇ ସହାୟତା ପାଇଁ ଦାବି କରିଥିଲେ। ବିଧାୟକ ସୁରେଶ କୁମାର ରାଉତରାୟ ମଧ୍ୟ ସେମାନଙ୍କୁ ସମର୍ଥନ କରି ଅନୁରୂପ ‌ଦାବି ଉଠାଇ ଥିଲେ।

publive-image

ଓଡ଼ିଶା ମୋଟର ଚାଳକ ସଂଘର ଭୁବନେଶ୍ବର ଶାଖା ସମ୍ପାଦକ ରାଜକିଶୋର ବେହେରା କହିଛନ୍ତି, ସମଗ୍ର ରାଜ୍ୟରେ ୫୦ ହଜାରରୁ ଅଧିକ ଚାଳକ ରହିଥିବା ବେଳେ କେବଳ ଭୁବନେଶ୍ବରରେ ୧୦ ହଜାରରୁ ଅଧିକ ମୋଟର ଚାଳକ ଅଛନ୍ତି। ଅନ୍ୟମାନଙ୍କୁ ସହାୟତା ମିଳିଲା, ହେଲେ ଆମକୁ ନା ଗାଡ଼ି ମାଲିକମାନେ ସାହାଯ୍ୟ କଲେ ନା ସରକାର। କେହି ବି ଆମ କଥାକୁ ବିଚାରକୁ ନେଲେ ନାହିଁ। ତେଣୁ ବାଧ୍ୟ ‌ହୋଇ ରାଜରାସ୍ତାକୁ ଓହ୍ଲାଇଛୁ। ସେ କହିଛନ୍ତି ଯେ ମୋଟର ଚାଳକମାନଙ୍କୁ ପ୍ରଥମେ ୩ମାସର କ୍ଷତିପୂରଣ ଦିଆଯାଉ। ୫୦ଲକ୍ଷ ଟଙ୍କାର ବୀମା କଲ୍ୟାଣ ପାଣ୍ଠିର ବ୍ୟବସ୍ଥା ହେଉ। ଏଥିସହ ଚାଳକମାନଙ୍କର ଶ୍ରମ ବିଭାଗରେ ପଞ୍ଜୀକୃତ କରାଯାଉ। ନଚେତ କୌଣସି ଗାଡ଼ି ଚାଳକ ଗାଡ଼ି ଚଳାଇବେ ନାହିଁ। ସମଗ୍ର ରାଜ୍ୟରେ ଚାଳକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆମ କଥା ବୁଝା ନ ଗଲେ ଅଟୋଠୁ ନେଇ ଟ୍ରେଲର ପର୍ଯ୍ୟନ୍ତ କୌଣସି ଗାଡ଼ି ଚଳାଚଳ କରିବ ନାହିଁ ବୋଲି ସେ କହିଛନ୍ତି।

ଗାଡ଼ି ଚାଳକ ମନୋରଂଜନ ଦାସ କହିଛନ୍ତି, ଭୋକ ଉପାସରେ ୩ ମାସ ରହିଲୁ ଯେ କେହି ଅନେଇଲେ ନାହିଁ, ଏବେ ଗାଡ଼ି ଚଳାଇବାକୁ ଡାକିଲେ କେମିତି ପଳେଇ ଆସିବୁ। ଆମେ ଯେଭଳି ଆର୍ଥିକ ଅନଟନର ଶିକାର ହୋଇଛୁ ତାହାକୁ ସରକାର ବିଚାରକୁ ନିଅନ୍ତୁ। ଏଥିସହ ଆମକୁ ପରିଚୟପତ୍ର ପ୍ରଦାନ କରାଯାଉ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe