ବର୍ଷକରେ ୩୦୦ କର୍କଟ ରୋଗୀଙ୍କ ଚିକିତ୍ସା

Advertisment

କଷ୍ଟ ଉପଶମ କରୁଛି ବାଗ୍‌ଚୀ ପାଲିଏଟିଭ୍‌ ସେବା କେନ୍ଦ୍ର, ୨୦୨୩ ସୁଦ୍ଧା ପୂର୍ଣ୍ଣକାଳୀନ କେନ୍ଦ୍ର

କଷ୍ଟ ଉପଶମ କରୁଛି ବାଗ୍‌ଚୀ ପାଲିଏଟିଭ୍‌ ସେବା କେନ୍ଦ୍ର, ୨୦୨୩ ସୁଦ୍ଧା ପୂର୍ଣ୍ଣକାଳୀନ କେନ୍ଦ୍ର

ବର୍ଷକରେ ୩୦୦ କର୍କଟ ରୋଗୀଙ୍କ ଚିକିତ୍ସା

ଭୁବନେଶ୍ବର: ଭୁକ୍ତଭୋଗୀ ବ୍ୟତୀତ କର୍କଟ ରୋଗର ଯନ୍ତ୍ରଣା ଅନ୍ୟ କେହି ଅନୁଭବ କରିବା ତ ଦୂରର କଥା, ଅନୁମାନ ମଧ୍ୟ କରିପାରିବେ ନାହିଁ। ତେଣୁ ରୋଗର ଜ୍ବାଳା ଓ ଯନ୍ତ୍ରଣା, କର୍କଟ ରୋଗୀଟିଏକୁ ମାନସିକ ଭାବେ ଅସ୍ଥିର କରିବା ତଥା ବିଚଳିତ କରିବା ଏକ ସ୍ବାଭାବିକ କଥା। ଦୁର୍ବଳ ଶରୀର ଓ ଅସହ୍ୟ ଯନ୍ତ୍ରଣାଠାରୁ ମାନସିକ ଅବସାଦ ରୋଗୀମାନଙ୍କୁ ବଳେଇ ପଡ଼େ। ଏଭଳି ରୋଗୀଙ୍କ ପାଇଁ ଗଣ୍ଡମୁଣ୍ଡାସ୍ଥିତ ବାଗ୍‌ଚୀ କରୁଣାଶ୍ରୟ ପାଲିଏଟିଭ୍‌ ସେବା କେନ୍ଦ୍ର ସହାୟ ହୋଇପାରିଛି। ଗଣ୍ଡମୁଣ୍ଡାଠାରୁ ୨୫ରୁ ୩୦ କିମି ମଧ୍ୟରେ ରହୁଥିବା କର୍କଟ ରୋଗୀଙ୍କୁ କେନ୍ଦ୍ର ପକ୍ଷରୁ ମାଗଣାରେ କାଉନସେଲିଂ କରିବା ସହ ଚିକିତ୍ସା କରାଯାଉଛି। ଡାକ୍ତର, ନର୍ସ ଏବଂ କାଉନସିଲର୍‌ଙ୍କୁ ନେଇ ଗଠିତ ଦୁଇଟି ଟିମ୍ ସପ୍ତାହରେ ଅନ୍ତତଃ ଥରେ କିମ୍ବା ଦୁଇଥର ରୋଗୀଙ୍କ ପାଖକୁ ଯାଇ ସେମାନଙ୍କ ଘା’ ଡ୍ରେସିଂ, କଷ୍ଟ ଦୂର ପାଇଁ ଔଷଧ ଦେବା ସହ କାଉନସେଲିଂ କରୁଛନ୍ତି। ବର୍ଷକ ମଧ୍ୟରେ ୩୦୦ ରୋଗୀଙ୍କ ରୋଗ କଷ୍ଟ ଦୂର କରାଯାଇଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, କେମୋଥେରାପି, ରେଡିଓଥେରାପି କିମ୍ବା ଅସ୍ତ୍ରୋପଚାର ପରେ କର୍କଟ ରୋଗୀଟିଏ ପାଇଁ ଡାକ୍ତର କିମ୍ବା ଡାକ୍ତରଖାନାର ଭୂମିକା ଆଉ ସେତେ‌ ବେଶି ନଥାଏ। ତେଣୁ ସେମାନଙ୍କୁ ଘରକୁ ଛାଡ଼ି ଦିଆଯାଇଥାଏ। ଘରେ ରହି ଚିକିତ୍ସିତ ହେଉଥିବା ବେଳେ ସେମା‌‌ନେ ଶରୀର ଅପେକ୍ଷା ମାନସିକ ଭାବେ ଅଧିକ ଦୁର୍ବଳ ହୋଇପଡ଼ନ୍ତି। ତେଣୁ ସେପରି କ୍ଷେତ୍ରରେ ରୋଗୀକୁ ଔଷଧପତ୍ର ଠିକ୍‌ ଭାବେ ଦେବା ସହ ତା’ର କାଉନସେଲିଂ କରିବା ନିହାତି ଆବଶ୍ୟକ ହୋଇପଡ଼େ। ଗତ ବର୍ଷେ ହେବ ଏହି କେନ୍ଦ୍ର ପକ୍ଷରୁ ଏଭଳି ସେବା ଯୋଗାଇ ଦିଆଯାଇ ଆସୁଅଛି। ଦେଶର ବିଭିନ୍ନ ସ୍ଥାନରେ ପାଲିଏଟିଭ୍ ସେବା କେନ୍ଦ୍ର ରହିଛି। ଓଡ଼ିଶାରେ ଏମ୍ସ ସମେତ କିଛି ଘରୋଇ ଡାକ୍ତରଖାନାରେ ପେନ୍ କ୍ଲିନିକ୍‌ ମଧ୍ୟ ରହିଛି, ଯେଉଁଠି ରୋଗୀଙ୍କ କଷ୍ଟର ଉପଶମ ହେଉଛି। କିନ୍ତୁ ଏଭଳି ରୋଗୀଙ୍କ ପାଇଁ ରହିବା କିମ୍ବା ତାଙ୍କ ଘରକୁ ଯାଇ ଚିକିତ୍ସାର ବ୍ୟବସ୍ଥା ନାହିଁ। ଅପରପକ୍ଷେ, ୨୦୨୩ ଜୁଲାଇ ସୁଦ୍ଧା ୧୧୦ଶଯ୍ୟା ବିଶିଷ୍ଟ ପୂର୍ଣ୍ଣକାଳୀନ ବାଗ୍‌ଚୀ କରୁଣାଶ୍ରୟ ପା‌ଲିଏଟିଭ୍‌ କେନ୍ଦ୍ର ନିର୍ମାଣ ସମ୍ପୂର୍ଣ୍ଣ ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେଠାରେ ରାଜଧାନୀ ସମେତ ସମଗ୍ର ରାଜ୍ୟର କର୍କଟ ରୋଗୀଙ୍କ କଷ୍ଟର ଉପଶମ ହେବ। ଏଥିପାଇଁ ସ୍ବତନ୍ତ୍ର ଭାବେ ୧୦ଟି ଶଯ୍ୟା ଶିଶୁରୋଗୀଙ୍କ ପାଇଁ ସଂରକ୍ଷିତ ରହିବ। ୬ ଡାକ୍ତର, ୧୦୦ ନର୍ସ ଏବଂ କାଉନସିଲର୍‌ଙ୍କ ନିଯୁକ୍ତି ଦିଆଯିବ।

ଅର୍ଥାଭାବରୁ ସୁମିତ୍ରାଙ୍କ ଚିକିତ୍ସା ବନ୍ଦ ହୋଇଯାଇଥିଲା, ଟୁଲୁଙ୍କୁ ଛାଡ଼ି ଦେଇଥିଲେ ସ୍ତ୍ରୀ

ଏହି କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ସତୀଶ ଷଡ଼ଙ୍ଗୀ କହନ୍ତି, ପ୍ରଥମଥର ଭେଟିବା ବେଳେ ସ୍ତନ କର୍କଟରେ ପୀଡ଼ିତ ସୁମିତ୍ରାଙ୍କ ଅବସ୍ଥା ବଡ଼ ଜଟିଳ ହୋଇପଡ଼ିଥିଲା। ଚିକିତ୍ସା ନ ପାଇ ତାଙ୍କ ବାମ ସ୍ତନରେ ଥିବା ଘା’ ଗୁରୁତର ହୋଇଯାଇଥିଲା। ତାଙ୍କୁ ଏତେ କଷ୍ଟ ହେଉଥିଲା ଯେ ସେ ଖାଇ ପାରୁନଥିଲେ। ଘା’ରୁ ଅନବରତ ପୂଜ ବାହାରୁଥିଲା। ସେହିପରି ପୁରୁଣା ଭୁବନେଶ୍ବରର ଟୁଲୁ ଦାସ ମୁଖଗହ୍ବର କର୍କଟରେ ପୀଡ଼ିତ ଥିବା ଜଣାପଡ଼ିବା ପରେ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି ଦେଇଥିଲେ। ପର ଘରେ ଆଈ ବାସନ ମାଜି ତାଙ୍କର ସେବା କରୁଥିଲେ। ଟୁଲୁଙ୍କ ଘର ଏତେ ଛୋଟ ଥିଲା ଯେ ଗଛ ତଳେ ତାଙ୍କ ଡ୍ରେସିଂ କରାଯାଇଥିବା ନର୍ସ ଇତିଶ୍ରୀ କହିଛନ୍ତି। ଅନ୍ୟ ଏକ ହୃ୍ଦୟ ବିଦାରକ ଘଟଣା ହେଲା, ମୁଖଗହ୍ବରରେ ପୀଡ଼ିତ ଜଣେ ରୋଗୀ(ଶିକ୍ଷକ)ଙ୍କ ଡ୍ରେସିଂ କରିବାକୁ ତାଙ୍କ ପରିବାର ମନା କରିଦେଇଥିଲେ। ରାଜଧାନୀର ବସ୍ତିରେ ରହୁଥିବା ଅନେକ କର୍କଟ ରୋଗୀଙ୍କ ଏଭଳି ଅବସ୍ଥା। ଅର୍ଥାଭାବରୁ ଅଧାରୁ ଚିକିତ୍ସା ବନ୍ଦ ହେବା ସହ ପୋଷଣଯୁକ୍ତ ଖାଦ୍ୟା‌ଭାବରେ ସେମାନଙ୍କ ଅବସ୍ଥା ଗୁରୁତର ହୋଇ କଷ୍ଟ ବଳିପଡ଼େ। ଏଥିପାଇଁ ଅନେକ ଆତ୍ମହତ୍ୟାର ପ୍ରୟାସ ମଧ୍ୟ କରିଥା’ନ୍ତି। ବାଗ୍‌ଚୀ କରୁଣାଶ୍ରୟ ପା‌ଲିଏଟିଭ୍‌ କେନ୍ଦ୍ର ଏବେ ଏଭଳି କିଛି ଅବହେଳିତ କର୍କଟ ରୋଗୀଙ୍କୁ ବଡ଼ ସହାୟ ହୋଇପାରିଛି।

କର୍କଟ ରୋଗୀଙ୍କୁ ବି ବାସନ୍ଦ

ଏହି କେନ୍ଦ୍ରରେ କାର୍ଯ୍ୟରତ କାଉନସେଲର୍‌ ସରିତା ପାତ୍ର କହିଛନ୍ତି ଯେ ସେ ଏଭଳି ଏକ ଘଟଣା ମଧ୍ୟ ଦେଖିଛନ୍ତି ଯେଉଁଠି ଜଣେ କର୍କଟ ରୋଗୀଙ୍କୁ ବାସନ୍ଦ କରି ଦିଆଯାଇଥିଲା। ପରିବାରଲୋକ ତାଙ୍କୁ ଶୋଇବାକୁ ଖଟ ପରିବର୍ତ୍ତେ କେବଳ ଅଖା ଖଣ୍ଡିଏ ଦେଇଥିଲେ। ପଡ଼ୋଶୀ ଆଶ୍ବସ୍ତର ଦୁଇପଦ କହିବେ କ’ଣ, ରୋଗ ଡେଇଁବା ଭୟରେ ତାଙ୍କ ପାଖ ମାଡ଼ୁ ନଥିଲେ। ଅନେକ ପରିବାରରେ ଏଭଳି ଅନ୍ଧବିଶ୍ବାସ ଯୋଗୁଁ ତାଙ୍କ ବୁଢ଼ା ବାପା, ମା’ଙ୍କୁ ପୁଅ-ବୋହୂ ଏକପ୍ରକାର ଅଲଗା କରିଦିଅନ୍ତି। ଏଭଳି ପରିବାରରେ ରୋଗୀ ସହ ପରିଜନଙ୍କୁ ମଧ୍ୟ କାଉନସେଲିଂର ଆବଶ୍ୟକତା ରହିଛି ବୋଲି ସରିତା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe