ବିଧାୟକଙ୍କ ବାସଭବନ ନିର୍ମାଣ ପାଇଁ ଗଛ କଟା: ବିରୋଧ ପରେ ବନ୍ଦ

Advertisment

ଗଛ କାଟି ବିଧାୟକଙ୍କ ବହୁତଳ କ୍ବାର୍ଟର୍ସ ନିର୍ମାଣ ପ୍ରସଙ୍ଗ

ଗଛ କାଟି ବିଧାୟକଙ୍କ ବହୁତଳ କ୍ବାର୍ଟର୍ସ ନିର୍ମାଣ ପ୍ରସଙ୍ଗ

ବିଧାୟକଙ୍କ ବାସଭବନ ନିର୍ମାଣ ପାଇଁ ଗଛ କଟା: ବିରୋଧ ପରେ ବନ୍ଦ

ଭୁବନେଶ୍ବର: ରାଜଧାନୀକୁ ବୃକ୍ଷ ଶୂନ୍ୟ କରିବାକୁ ଚାଲିଛି ଷଡ଼୍‌ଯନ୍ତ୍ର। ଜାନୁଆରିରୁ ମେ’ ମାସ ମଧ୍ୟରେ ସହରର ଗୋଟିଏ ପରେ ଗୋଟିଏ ଅଞ୍ଚଳରୁ ବୃକ୍ଷ ଛେଦନ ଚାଲିଛି। ତା’ ପୁଣି ସରକାରୀ ବାବୁଙ୍କ ଛତ୍ରଛାୟା ତଳେ। ଏବେ ବିଧାୟକଙ୍କ ପାଇଁ ବହୁତଳ କ୍ବାର୍ଟର୍ସ ନିର୍ମାଣ ନିମନ୍ତେ ଗଛକଟା ଚାଲିଛି, ଯାହାକୁ ତୀବ୍ର ବିରୋଧ ହୋଇଛି। ସମାଜସେବୀଙ୍କଠାରୁ ଆରମ୍ଭ କରି ବୃକ୍ଷପ୍ରେମୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଗଛର ସୁରକ୍ଷା ଲାଗି ଅଣ୍ଟା ଭିଡ଼ିବା ସହ ପ୍ରକଳ୍ପ ନକ୍ସା ନ ବଦଳାଇଲେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଫଳରେ ନିର୍ମାଣକାରୀ ସଂସ୍ଥା ଓ ଜଙ୍ଗଲ ବିଭାଗ ପଛକୁ ହଟିଛି। ଗଛ କଟାକୁ ସାମୟିକ ସ୍ଥଗିତ ରଖିବା ସହ ଏକ ଉଚ୍ଚସ୍ତରୀୟ ବୈଠକ ବସି ସ୍ଥିତି ସମୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ଗତ ଜାନୁଆରି ମାସରେ ବିଧାୟକ କ୍ବାର୍ଟର୍ସ ନିର୍ମାଣ ଲାଗି ଗଛ କଟା ଆରମ୍ଭ ହେଲା। ଦୁଇ ଦିନ ମଧ୍ୟରେ ୭୦ରୁ ଅଧିକ ଗଛ କଟାଯିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଯେଉଁଥିପାଇଁ କାମ କରୁଥିବା ଓଡ଼ିଶା ବ୍ରିଜ୍ ଓ ନିର୍ମାଣ ନିଗମ (ଓବିସିସି) କିଛି ଦିନ ଲାଗି ଗଛ କଟା ବନ୍ଦ ରଖିଥିଲା। ଅସନ୍ତୋଷ ସାମାନ୍ୟ କମିବା ପରେ ସମ୍ପୃକ୍ତ ନିର୍ମାଣକାରୀ ସଂସ୍ଥା ପୁଣିଥରେ ଗଛ କଟା ଆରମ୍ଭ କରିଛି। ୫୦ କି ଶହେ ନୁହେଁ, ବରଂ ଏଥର ସିଧାସଳଖ ୭୮୦ ଗଛ କାଟିବା ଲକ୍ଷ୍ୟରେ ଲାଗିପଡ଼ିଥିବା ବେଳେ ପ୍ରବଳ ବିରୋଧ ହୋଇଛି। ଆଜି ସହରର ଏକାଧିକ ସଂଗଠନ ୬୦ରୁ ୭୦ବର୍ଷ ପୁରୁଣା ବୃକ୍ଷକୁ ସୁରକ୍ଷା ଦେବାକୁ ଆଗକୁ ଆଗେଇ ଆସିଥିବା ଦେଖିବାକୁ ମିଳିଥିଲା।

ଘଟଣାର ଅନୁସନ୍ଧାନ ଲାଗି ଆରସିସିଏଫ୍‌ଙ୍କୁ ଦାୟିତ୍ବ

ତିନି ଦିନ ମଧ୍ୟରେ ବସିବ ଉଚ୍ଚସ୍ତରୀୟ ବୈଠକ

ଆନ୍ଦୋଳନକୁ ଓହ୍ଲାଇଲେ ବିଭିନ୍ନ ସାମାଜିକ ସଙ୍ଗଠନ

ସାମାଜିକ ଅନୁଷ୍ଠାନ ‘ପ୍ରେରଣା’ ପକ୍ଷରୁ ରାଜଧାନୀରେ ଗଛ କଟା ଘଟଣାର ଜୋରଦାର ପ୍ରତିବାଦ କରାଯାଇଛି। ପ୍ରେରଣାର ଅଧ୍ୟକ୍ଷ ଦିଲ୍ଲୀପ ଶ୍ରୀଚନ୍ଦନ ଗଛ ମୂଳେ ଶୋଇ ପ୍ରତିବାଦ ଜଣାଇ କହିଥିଲେ, ଭୁବନେଶ୍ୱର ସହରକୁ ଶ୍ରୀହୀନ କରିବାକୁ ଯୋଜନା ଚାଲିଛି। ଏହାଦ୍ବାରା ଉତ୍ତାପ ବୃଦ୍ଧି ପାଇବ। ସହରର ବାୟୁମଣ୍ଡଳ ଅତିମାତ୍ରାରେ ପ୍ରଦୂଷିତ ହେବ। ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠା ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁ କହିଥିଲେ ସାରା ଦେଶରେ ଭୁବନେଶ୍ୱର ହିଁ ସବୁଜ, ସୁନ୍ଦର ଓ ପ୍ରଦୂଷଣମୁକ୍ତ ରାଜଧାନୀ ହେବ। କାରଣ ଭୁବନେଶ୍ୱରର ସବୁଜିମା ତାଙ୍କୁ ବିମୁଗ୍ଧ କରିଥିଲା। ବର୍ତ୍ତମାନର ସରକାର ଭୁବନେଶ୍ୱରକୁ ଦେଶର ଏକ ନମ୍ବର ସ୍ମାର୍ଟସିଟି କହୁଥିବା ବେଳେ ଅଧିକ ଗଛ ଲଗାଇବା ପରିବର୍ତ୍ତେ ଗଛ କାଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ଗଛ କଟାରୁ ନିବୃତ୍ତ ନ ରହିଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବା ସହ ଆଇନର ଆଶ୍ରୟ ନିଆଯିବ। ଗ୍ରିନ୍ ଟ୍ରିବ୍ୟୁନାଲ, ହାଇକୋର୍ଟରେ ପିଆଇଏଲ୍ ଫାଇଲ୍ କରାଯିବା ସହ ସୁପ୍ରିମକୋର୍ଟର ମଧ୍ୟ ଆଶ୍ରୟ ନିଆଯିବ। ଅନ୍ୟମାନଙ୍କ ମଧ୍ୟରେ ପ୍ରେରଣା ଗ୍ରିନ୍ ଆର୍ମିର ଯୁବ ସଂଯୋଜକ ମୀର ଅହମ୍ମଦ ଅଲ୍ଲୀ, ଅନ୍ୟତମ ସଂଯୋଜକ ନିରୋଦ ଖୁଣ୍ଟିଆ, ମନୋରଞ୍ଜନ ବାରିକ ପ୍ରମୁଖ ସାମିଲ ହୋଇଥିଲେ।

ସେହିପରି ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ମଧ୍ୟ ପ୍ରତିବାଦ କରାଯାଇଛି। ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ ନେତୃତ୍ବରେ ବହୁ ଯୁବକ ଓ ମହିଳା ସାମିଲ ହୋଇ ପ୍ରତିବାଦ କରିବା ସହ ସେଠାରେ ବୃକ୍ଷରୋପଣ କରିଛନ୍ତି। ସେମାନେ କହିଛନ୍ତି ଯେ ବର୍ତ୍ତମାନ ସ୍ଥିତିରେ ପରିବେଶ ଭିତ୍ତିକ ସନ୍ତୁଳନ ରକ୍ଷା କରିବା ନିମନ୍ତେ ଅଧିକ ବୃକ୍ଷରୋପଣର ଆବଶ୍ୟକତା ରହିଛି। ରାଜ୍ୟ ସରକାରଙ୍କ ଦୂର ଦୃଷ୍ଟିହୀନତା କାରଣରୁ ଶହ ଶହ ବର୍ଷର ପୁରାତନ ବୃହତକାୟ ମୂଲ୍ୟବାନ ବୃକ୍ଷଗୁଡ଼ିକୁ ବେପରୱା ଢଙ୍ଗରେ କଟାଯାଇଛି। ଏହାକୁ ତୁରନ୍ତ ବନ୍ଦ କରିବାକୁ ଶ୍ରୀ ନାୟକ ଦାବି କରିଛନ୍ତି।

publive-image

ଗଛ କଟାକୁ ବିରୋଧ କରି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ବରେ ଏଠାରେ ଏକ ଗଣଧାରଣା ଦିଆଯାଇଛି। ଏଥିରେ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ସାଂସଦ ତଥାଗତ ସତପଥୀ, ଅବସରପ୍ରାପ୍ତ ପ୍ରଶାସକ ଅରବିନ୍ଦ ବେହେରା, ଦେବେନ୍ଦ୍ର ମାନସିଂହ, ପରିବେଶବିତ୍‌ ଜୟକୃଷ୍ଣ ପାଣିଗ୍ରାହୀ, ଅନିଲ୍‌ ଧୀର ପ୍ରମୁଖ ସାମିଲ ହୋଇଥିଲେ। ସନ୍ଧ୍ୟାରେ ସଙ୍ଗଠନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ଗଛ କଟା ବନ୍ଦ ରହିଥିବାରୁ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖାଗଲା। ଯଦି ପୁଣି ଗଛ କଟା ହୁଏ ତେବେ ଗଣଧାରଣ ଆରମ୍ଭ କରାଯିବ। ଗଛର ଉପକାରିତା ଏବଂ କଟାଯିବା ଦ୍ବାରା କିଭଳି କୁପ୍ରଭାବ ପଡ଼ୁଛି ସେନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ କାର୍ଯ୍ୟକ୍ରମ କରାଯିବ। ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରୁ ଫେରିଲେ ଏକ ପାଞ୍ଚ ଜଣିଆ ପ୍ରତିନିଧି ଦଳ ତାଙ୍କୁ ଭେଟି ଗଛ କାଟିବାକୁ ବନ୍ଦ କରିବାକୁ ଅନୁରୋଧ କରାଯିବ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନର ପ୍ରବକ୍ତା ପ୍ରସନ୍ନ ବି‌ଶୋଇ କହିଛନ୍ତି।

ଗତ ୫ ମାସ ହେଲା ଭୁବନେଶ୍ବର ସହରରେ ଚାଲିଥିବା ଗଛ କଟା ଘଟଣାକୁ ବନ ବିଭାଗ ଗୁରୁତ୍ବର ସହ ନେଇଛି। ପ୍ରକଳ୍ପ ନିର୍ମାଣ ସମୟରେ ଯେତେଦୂର ସମ୍ଭବ ଗଛର ସୁରକ୍ଷା ଦେବାକୁ ପ୍ରାଥମିକତା ଦିଆଯାଇଛି। ବିଧାୟକ କ୍ବାର୍ଟର୍ସ ନିର୍ମାଣରେ ଗଛ କଟାଯିବା ଘଟଣାର ଅନୁଧ୍ୟାନ କରିବା ଲାଗି ଆରସିସିଏଫ୍‌ଙ୍କୁ ଦାୟିତ୍ବ ଦିଆଯାଇଛି। ଦୁଇରୁ ତିନି ଦିନ ମଧ୍ୟରେ ଆରସିସିଏଫ୍‌ଙ୍କ ଅଧ୍ୟକ୍ଷତାରେ ଓବିସିସି, ଓଏଫ୍‌ଡିସି ଓ ଡିଏଫ୍‌ଓଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିବ। ଏଥିରେ ବିଧାୟକ କ୍ବାର୍ଟର୍ସ ନିର୍ମାଣ ବାବଦରେ ବିଶଦ ଆଲୋଚନା ହେବ। ଆଗକୁ ଯେପରି ଗଛ ନ କାଟି ଏହି ପ୍ରକଳ୍ପଗୁଡ଼ିକୁ ପୂର୍ଣ୍ଣାଙ୍ଗ କରାଯିବ ସେନେଇ ମାନସମନ୍ଥନ କରାଯିବ।
ସୂଚନା ଅନୁଯାୟୀ, ବିଧାୟକ କଲୋନିର ରୂପରେଖ ବଦଳାଇବା ଲାଗି ସାଧାରଣ ପ୍ରଶାସନ ବିଭାଗ ଅଧୀନ ୪୨ଟି କ୍ବାର୍ଟର୍ସକୁ ଭଙ୍ଗାଯିବା ସହ ସେଠାରେ ନୂଆ ବିଲ‌୍ଡିଂ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ବହୁତଳ କୋଠା ସହ ସେଠାରେ ଗାର୍ଡେନ୍‌, ଜିମ୍‌, ବିଶ୍ରାମ ଗୃହ, ପାର୍କିଂ ବ୍ୟବସ୍ଥା ରହିବ। କମ୍ୟୁନିଟି ହଲ୍‌, କଲ୍ୟାଣ ମଣ୍ଡପ, ମଲଟି ଜିମ୍‌, ଖାଲି ସ୍ଥାନ, ମର୍ଣ୍ଣିଂ ୱାର୍କ, ବ୍ୟବସାୟ ପ୍ରତିଷ୍ଠାନ ରହିବ। ଏଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ବି ଉପଲବ୍ଧ ହେବ। ଏହି ପ୍ରକଳ୍ପ ଲାଗି ପ୍ରାୟ ୪୦୦କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି କୋଠାର ନିର୍ମାଣ ଦାୟିତ୍ବ ଓଡ଼ିଶା ବ୍ରିଜ୍ ଓ ନିର୍ମାଣ ନିଗମ (ଓବିସିସି)କୁ ଦିଆଯାଇଛି।

‘ଫନି’ ଭରଣା ଏଯାଏ ହୋଇନି

୨୦୧୯ରେ ଭୁବନେଶ୍ବରକୁ ଧ୍ବଂସ ସ୍ତୁପରେ ପରିଣତ କରିଥିଲା ବାତ୍ୟା ‘ଫନି’। ପବନ ମାଡ଼ରେ ହଜାର ହଜାର ଗଛ ଟଳି ପଡ଼ିଥିଲା। ସହରର ସବୁଠାରୁ ଅଧିକ ସୌନ୍ଦର୍ଯ୍ୟଭରା ରାସ୍ତା ଏୟାରପୋର୍ଟ ଛକରୁ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତାରେ ଥିବା ହଜାର ହଜାର ଗଛ ଧରାଶାୟୀ ହୋଇପଡ଼ିଥିଲା। ୧୯୯୯ ମହାବାତ୍ୟାରେ ଯେଉଁ ବରଗଛ ଛିଡ଼ା ହୋଇ ରହିଥିଲା, ତାହା ଭାଙ୍ଗି ଯାଇଥିଲା। ଏକାମ୍ରକାନନ, ଚନ୍ଦକା-ଡମପଡ଼ା ଅଭୟାରଣ୍ୟ, ଫରେଷ୍ଟ ପାର୍କ ଭିତରେ ବି ବ୍ୟାପକ ବୃକ୍ଷ ନଷ୍ଟ ହୋଇଥିଲା। ଯାହାର ଭରଣା ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ। ବନ ବିଭାଗର ସୂଚନା ଅନୁଯାୟୀ ଫନି’ରେ ଲକ୍ଷାଧିକ ଗଛ ଭାଙ୍ଗିଥିଲା। ପାଖାପାଖି ୧୫ ହଜାର ଗଛ ଉପୁଡ଼ି ପଡ଼ିଥିବାରୁ ତାହାକୁ ପୁନରୁଦ୍ଧାର କରାଯାଇପାରି ନାହିଁ। ଅବଶ୍ୟ ଓଏଫ୍‌ଡିସି ସହରର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ରାଜ୍ୟ ବାହାରୁ କିଣି ଆଣି ଲଗାଯାଇଛି। ତେବେ ତାହା ବଢ଼ିବାକୁ କେତେ ବର୍ଷ ଲାଗିବ ତାହା କହିବା ମୁସ୍କିଲ ହୋଇପଡ଼ିଛି। କାରଣ ୨୦୧୯ରେ ଗଛ ଲାଗିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେଭଳି ଆଖିଦୃଶିଆ ବୃଦ୍ଧି ହୋଇନି। ଗୋଟିଏରୁ ଦୁଇ ଫୁଟ୍‌ ପର୍ଯ୍ୟନ୍ତ ବଢ଼ିଥିବା ଦେଖିବାକୁ ମିଳିଛି। ତାହା କେବେ ରାଜଧାନୀବାସୀଙ୍କ ହିତରେ ଲାଗିବ ତାହାକୁ ନେଇ ପ୍ରଶ୍ନ ଉଠିଛି।

publive-image

ଅଳ୍ପକେ ବର୍ତିଥିଲା ଏକାମ୍ରକାନନ ଫାର୍ମ

ସିଆରପି ଛକ ନିକଟ ଏକାମ୍ରକାନନ ଫାର୍ମର ମୋଟ୍‌ ୨୫.୯୬୭ ଏକର ଜମିରୁ ୨୦.୧୯୨ ଏକର ଜମି ହସ୍ତାନ୍ତର କରିବାକୁ ନିଷ୍ପତ୍ତି ହୋଇଥିଲା। ଏନେଇ ସରକାରୀସ୍ତରରେ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ‘ସମ୍ବାଦ’ ସମେତ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଜେପି ଓ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରିଣାମସ୍ବରୂପ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ରୋକାଯାଇଥିଲା। ପୂର୍ବଭଳି ଫାର୍ମର ରକ୍ଷଣାବେକ୍ଷଣ କାମ ଚାଲିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହାଦ୍ବାରା ପାଖାପାଖି ହଜା‌ରେ ମୂଲ୍ୟବାନ ବୃକ୍ଷ ଛେଦନ ହେବାରୁ ରକ୍ଷା ପାଇଯାଇଛି। ମାତ୍ର ଏହି ନିଷ୍ପତ୍ତି କେତେ‌ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ତାହାକୁ ନେଇ ଏବେ ବି ସନ୍ଦେହ ଲାଗିରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe