ରାଜଧାନୀରେ ଗଛ କଟାରେ ଲାଗୁନି ବିରାମ: ସରକାରୀ ସ୍କୁଲ୍‌ରୁ ବି କାଟିଲେ

ଭରତପୁର ଥାନାରେ ଏତଲା ଦେଲେ ଆଇନଜୀବୀ, ଔଷଧୀୟ ଓ ଫଳନ୍ତି ଗଛ କଟାଯାଇଥିବା ଅଭିଯୋଗ

ରାଜଧାନୀରେ ଗଛ କଟାରେ ଲାଗୁନି ବିରାମ: ସରକାରୀ ସ୍କୁଲ୍‌ରୁ ବି କାଟିଲେ

ଭୁବନେଶ୍ବର : ରାଜଧାନୀରେ ଗଛ କଟାରେ ଲାଗୁନି ବିରାମ। ଗୋଟିଏ ପରେ ଗୋଟିଏ ଅଞ୍ଚଳରୁ ବେଧଡ଼କ ଭାବେ ଗଛ କଟା ଚାଲିଛି। ନୀଳାଦ୍ରିବିହାର, ପୋଖରୀପୁଟ, ପୁରୁଣା ଭୁବନେଶ୍ବର, ୟୁନିଟ୍‌-୪ ବିଧାୟକ କ୍ବାର୍ଟର୍ସ ପରିସରରୁ ଶହ ଶହ ଗଛ କଟାଯାଇଥିବା ବେଳେ ଏବେ ବରମୁଣ୍ଡାରୁ ଆସିଛି ସମାନ ଚିତ୍ର। ବରମୁଣ୍ଡା ହାଉସିଂ ବୋର୍ଡ କଲୋନିସ୍ଥିତ ସରକାରୀ ବିଦ୍ୟାଳୟ ହତା ଭିତରେ ପଶି କେହି ଦୂର୍ବୁର୍ତ୍ତ ଜେସିବି ଲଗାଇ ଗଛ ନଷ୍ଟ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। କେବଳ ସେତିକି ନୁହେଁ, ଏନେଇ ଥାନାରେ ମାମଲା ପହଞ୍ଚିଲାଣି। କେଉଁ ପରିସ୍ଥିତିରେ କିଏ ଓ କାହିଁକି ୪ରୁ ୫ ବର୍ଷ ତଳେ ପୋତାଯାଇଥିବା ଚାରାଗୁଡ଼ିକୁ ନଷ୍ଟ କରୁଛି ତାହା ଜଣାପଡ଼ି ନ ଥିଲେ ମଧ୍ୟ ଥାନାରେ ଦିଆଯାଇଥିବା ଏତଲାକୁ ନେଇ ଏବେ ହଟଚମଟ ସୃଷ୍ଟି ହୋଇଛି। ଗୋଟିଏ ପଟେ ବନ ବିଭାଗ ବନ ଦିବସ ପାଳନ କରି ବୃକ୍ଷରୋପଣ ଉପରେ ଗୁରୁତ୍ବ ଦେଉଥିବା ବେଳେ ଅନ୍ୟପଟେ ରାଜଧାନୀରେ ବେଧଡ଼କ ଗଛ କଟାକୁ ପରିବେଶବିତ୍‌ ସହଜରେ ଗ୍ରହଣ କରିପାରିନାହାନ୍ତି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ବେଧଡ଼କ ଭାବେ ଗଛ କଟା ଚାଲିଥିଲେ ମଧ୍ୟ କେହି ମୁହଁ ଖୋଲି ନ ଥିଲେ। ଯିଏ ବି ସାହସ ଜୁଟାଇ ଏହାର ବିରୋଧ କରିଥିଲେ ତାଙ୍କୁ ମିଳିଥିଲା ଧମକ। ଯେଉଁଥିପାଇଁ ସ୍ଥାନୀୟ ଅଞ୍ଚଳବାସୀ ସବୁ ଦେଖି କିଛି ବି କହି ନ ଥିଲେ। ତେବେ ଏନେଇ ଆଇନଜୀବୀ ପ୍ରତାପ କିଶୋର ସାହୁ ଆଜି ଭରତପୁର ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି। ପ୍ରତାପଙ୍କ ଏତଲା ଅନୁଯାୟୀ, ଗତ ୪ ବର୍ଷ ତଳେ ସ୍ବେଚ୍ଛାସେବୀ ସଙ୍ଗଠନ ‘ଗ୍ରିନ ଵାର୍ଲ୍ଡ’ ପକ୍ଷରୁ ଏହି ବିଦ୍ୟାଳୟରେ ଚାରା ରୋପଣ କରାଯାଇଥିଲା। ଔଷଧୀୟ ଚାରା ସମେତ ଶତାଧିକ ଫଳନ୍ତି ବୃକ୍ଷ ଚାରା ରୋପଣ ହୋଇଥିଲା। ବର୍ତମାନ କୌଣସି ଅସାଧୁ ବ୍ୟକ୍ତି ମନ୍ଦ ଉଦ୍ଦେଶ୍ୟ ରଖି ସରକାର କିମ୍ବା ସ୍କୁଲର ବିନା ଅନୁମତିରେ ବେଆଇନ ଭାବେ ଗଛଗୁଡ଼ିକୁ କାଟି ପକାଉଛି। ଜେସିବି ସହାୟତାରେ ଗଛଗୁଡ଼ିକୁ ଓପାଡ଼ି ନଷ୍ଟ କରିଦିଆଯାଉଛି। ଏହାର ବିରୋଧ କରିବାରୁ ଧମକ ଦିଆଯାଉଛି ବୋଲି ସେ ଏତଲାରେ ଉଲ୍ଲେଖ କରିଛନ୍ତି। ଏନେଇ ଶ୍ରୀ ସାହୁ ଥାନାରେ ଅଭିଯୋଗ କରିବା ସହ ଡିଏଫ୍‌ଓଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ନର୍ମଦା ବଞ୍ଚାଅ ଅଭିଯାନର ମୁଖ୍ୟ ପୁରୋଧା ମେଧା ପାଟକର ପରିବେଶ ସୁରକ୍ଷାକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ। ଏପରିକି ପ୍ରତିବର୍ଷ ବୃକ୍ଷ କଟିବା ଯୋଗୁଁ ପରିବେଶ ଉପରେ ବଡ଼ ପ୍ରଭାବ ପଡ଼ୁଛି ବୋଲି କହିବା ସହ ଏବେଠାରୁ ସତର୍କ ନ ହେଲେ ଆଗକୁ ଭୟଙ୍କର ପରିସ୍ଥିତି ଉପୁଜିବ ବୋଲି କହିଥିଲେ। ବିଧାୟକ କ୍ବାର୍ଟର୍ସ ପରିସରରୁ ୫୦ରୁ ୬୦ ବର୍ଷ ତ‌ଳର ୩୫୦ରୁ ଅଧିକ ଗଛ କଟାଯିବା ନେଇ ବିଭିନ୍ନ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇଥିଲେ। ହାଇକୋର୍ଟରେ ବି ମାମଲା ହୋଇଛି। ଏତେ ସବୁ ପରେ ରାଜଧାନୀରେ ପୁଣି ଗଛ କଟାଯିବା ବନ ବିଭାଗ କର୍ମଚାରୀଙ୍କ ଉଦାସୀନତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ସ୍କୁଲ ପରିସରରେ କୌଣସି ବିକାଶମୂଳକ କାର୍ଯ୍ୟ କରାଯାଉଛି ତେବେ ଗଛକୁ ସୁରକ୍ଷା ଦିଆଯାଇ କାର୍ଯ୍ୟ ହୋଇପାରିଥାନ୍ତା ବୋଲି ପରିବେଶବିତ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe