ରଥ ପାଇଁ ଗଛ ଲଗାଇବେ ଛାତ୍ରଛାତ୍ରୀ

Advertisment
ରଥ ପାଇଁ ଗଛ ଲଗାଇବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ରଥ ପାଇଁ ଗଛ ଲଗାଇବେ ଛାତ୍ରଛାତ୍ରୀ। ନିଜ ଘର ବାଡ଼ିରେ ଅବା ଚଉରାମୂଳେ ରୋପଣ କରିବେ ଫାଶି, ଅସନ ଅବା ଧଉରା ଭଳି ଗଛ। ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ ପାଇଁ ସେମାନେ ଗଛ ଲଗାଉଛନ୍ତି ବୋଲି ୧୦ ଟଙ୍କିଆ ଷ୍ଟାମ୍ପ୍‌ ପେପରରେ ଓ୍ଵିଲ୍‌ (ଇଚ୍ଛାପତ୍ର) କରି ବନ ବିଭାଗକୁ ଦେବେ। ଗଛ ବଡ଼ ହେବା ଯାଏଁ ତା’ର ଯତ୍ନ ନେବେ। ବଡ଼ ହେବା ପରେ ରଥ ନିର୍ମାଣ ପାଇଁ ଗଛ ଦାନ କରିବେ। ଏମିତି ଏକ ପଦକ୍ଷେପ ନେଇଛି ‘ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ’। ଏଥିରେ ସହଯୋଗର ହାତ ବଢ଼ାଇଛି ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ। ସଂସ୍ଥାନ ଅଧୀନରେ ପଢ଼ୁଥିବା ୨ ଲକ୍ଷ ୮୮ ହଜାର ଛାତ୍ରଛାତ୍ରୀ ଏଥିରେ ସାମିଲ୍‌ ହେବେ। ପ୍ରତ୍ୟେକେ ୨ଟି ଲେଖାଏଁ ଗଛ ଲଗାଇବେ। ଜଙ୍ଗଲ ବିଭାଗ ପ୍ରଥମ ପର୍ଯ୍ୟାୟରେ ୮୦ ହଜାର ଚାରା ଯୋଗାଇ ଦେବ। ଆଜି ଆଇଟିଇଆର୍‌ରେ ଆୟୋଜିତ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ଏହି ଅଭିଯାନକୁ ଉଦ୍‌ଘାଟନ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ମହାରାଜ ଶ୍ରୀ ଦିବ୍ୟସିଂହଦେବ କହିଲେ, ୨୦୦୦ ମସିହାରୁ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ଯୋଜନା ଆରମ୍ଭ ହୋଇଛି। ଏଥିପାଇଁ ୨୬୮୬ ହେକ୍ଟର ଜମିରେ ବୃକ୍ଷରୋପଣ କରାଯାଇଛି। ଗଛ ଲାଗିଥିବା ସ୍ଥାନୀୟ ଅଞ୍ଚଳର ବାସିନ୍ଦାମାନେ ସ୍ୱେଚ୍ଛାକୃତ ଭାବେ ଗଛର ଯତ୍ନ ନିଅନ୍ତୁ ବୋଲି ସେ କହିଥିଲେ। ଖାଦ୍ୟ ଯୋଗାଣ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଏଥିରେ ସମସ୍ତ ଛାତ୍ରଛାତ୍ରୀ ସାମିଲ୍‌ ହେବାକୁ ଆହ୍ଵାନ ଦେଇଥିଲେ। ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ,ଏବେ ୧୧ ହଜାର କ୍ୟୁବିକ ଫୁଟ କାଠରେ ରଥ ନିର୍ମିତ ହେଉଛି। ମାତ୍ର ରଥ ନିର୍ମାଣ ଉପଯୋଗୀ ଫାଶି, ଅସନ ଓ ଧଉରା କାଠ ଦଶପଲ୍ଲା ଜଙ୍ଗଲରୁ ସରି ଆସିଲାଣି। ତେଣୁ ଏଭଳି ଉଦ୍ୟମ ପ୍ରଶଂସନୀୟ। ଏଥିପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ପଂଜୀକରଣ କରାଯିବା ସହ ମନିଟରିଂ କରାଯିବ ବୋଲି ସେ କହିଛନ୍ତି। ଡ.ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫୁଲ୍ଲ କୁମାର ମିଶ୍ର, ଅତିରିକ୍ତ ବନ ସଂରକ୍ଷକ ଅଭୟକାନ୍ତ ପାଠକ ପ୍ରମୁଖ ମହତ୍ତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ। ସଂସ୍ଥାନର ପ୍ରତିଷ୍ଠାତା କରୁଣାକର ପ୍ରଧାନ ଅଭିଯାନର ଆଭିମୁଖ୍ୟ ସମ୍ପର୍କରେ ମତ ରଖିଥିବା ବେଳେ ସଂସ୍ଥାନର ସଭାପତି ପ୍ରସନ୍ନ କୁମାର ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe