ଫ୍ଲାଏଓଭର୍‌କୁ ଗଛ ବିପଦ, ନଜର ଦେଉନି ଏନ୍‌ଏଚ୍ଏଆଇ

ଫ୍ଲାଏଓଭର୍‌କୁ ଗଛ ବିପଦ, ନଜର ଦେଉନି ଏନ୍‌ଏଚ୍ଏଆଇ

ଖଣ୍ଡଗିରି: ରାଜଧାନୀ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ବହୁ ଓଭରବ୍ରିଜ୍‌‌ ଏବେ ବିପଦସଂକୁଳ ଅବସ୍ଥାରେ। ପ୍ରାୟ ସବୁ ଓଭରବ୍ରିଜ୍‌ରେ ବର ଓ ଅଶ୍ବତ୍‌ଥ ଗଛ ବଢ଼ୁଛି। ମାତ୍ର ସେସବୁକୁ କାଟିବା ବା ଉପାଡ଼ିବା ପାଇଁ ଠିକଣା ସମୟରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) କର୍ତ୍ତୃପକ୍ଷ ନଜର ଦେଉନାହାନ୍ତି। ଫଳରେ ଦିନକୁ ଦିନ ଗଛ ବଡ଼ ହେଉଛି ଓ ଚେର୍ ବ୍ରିଜ୍‌ରେ ଫାଟ ସୃଷ୍ଟି କରୁଛି। ଗଛ ବଡ଼ ହେବା ସହ ଫାଟ ମେଲୁଛି ଓ ବ୍ରିଜ୍‌ ପ୍ରତି ବିପଦ ବଢ଼ିବାରେ ଲାଗିଛି।

ସାଧାରଣତଃ ଓଭରବ୍ରିଜ୍‌ର ଯୋଡ଼େଇ ସ୍ଥାନ, ଭାଙ୍ଗିଯାଇଥିବା ସ୍ଥାନ ଓ ପାଚେରିର ଫାଟରେ ବର, ଅଶ୍ବତ୍‌ଥ ଗଛ ଉଠିଥାଏ। ଏବେ ୧୬ ନମ୍ବର ଜାତୀୟ ରାଜପଥରେ ରସୁଲଗଡ଼ରୁ ଆରମ୍ଭ କରି କଳିଙ୍ଗବିହାର ପର୍ଯ୍ୟନ୍ତ ସବୁ ଓଭରବ୍ରିଜ୍‌ରେ ଗଛ ବଢ଼ୁଛି। ବରମୁଣ୍ଡା ଓ ଖଣ୍ଡଗିରି ଓଭରବ୍ରିଜ୍‌ରେ ଗଛ ଅଧିକ ବଢ଼ୁଛି। ବର୍ତ୍ତମାନ କିଛି କିଛି ସ୍ଥାନରେ ଏସବୁ ଗଛର ଉଚ୍ଚତା ୪ ଫୁଟ୍‌ ପର୍ଯ୍ୟନ୍ତ ହେଲାଣି। ତେଣୁ ସେହି ଅନୁସାରେ ଉକ୍ତ ଗଛର ଚେର ବହ‌ୁତ ଗଭୀରକୁ ‌ମାଡ଼ିଯିବା ସ୍ବାଭାବିକ।

ଏନେଇ କିଟ୍‌ ବିଶ୍ବବିଦ୍ୟାଳୟର ଯନ୍ତ୍ରୀ ତଥା ସିଭିଲ ଡିପାର୍ଟମେଣ୍ଟ ମ୍ୟ‌ାନେଜ୍‌ମେଣ୍ଟ ମୁଖ୍ୟ ଦିଲ୍ଲୀପ କୁମାର ବେରାଙ୍କ କହିବା କଥା ବ୍ରିଜ୍‌ ନିର୍ମାଣ ବେଳେ ଯେତିକି ଯତ୍ନବାନ ହେବାର ବିଧି ରହିଛି, ରକ୍ଷଣାବେକ୍ଷଣକୁ ମଧ୍ୟ ସେତିକି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଯଦି ଗଛଗୁଡ଼ିକ ଦୀର୍ଘ ଦିନ ପର୍ଯ୍ୟନ୍ତ ରୁହେ, ତେବେ ଗଛର ମୋଟେଇ ବଢ଼ିବା ସହ କଂକ୍ରିଟ ଉପରେ ଚାପ ପଡ଼ି ଫାଟ ସୃଷ୍ଟି ହୁଏ। ଫଳରେ ଓଭରବ୍ରିଜର ପାରାପେଟି ଦୁର୍ବଳ ହୁଏ। ତେଣୁ ଗଛଗୁଡ଼ିକୁ ଦୃଶ୍ୟମା‌ନ ହେବା ମାତ୍ରେ ମୂଳରୁ ଉପାଡ଼ିବା ଆବଶ୍ୟକ। କେବଳ ସେତିକି ନୁହେଁ ସମୟ ସମ‌ୟରେ ଗଛ ଉଠୁଥିବା ସ୍ଥାନରେ କୀଟନାଶକ ଔଷଧ ପକାଇବା, ଭାଙ୍ଗିଥିବା ସ୍ଥାନକୁ ମରାମତି କରିବା ଓ ଆବଶ୍ୟକ କେମିକାଲ୍‌ ବ୍ୟବହାର କରି ବ୍ରିଜ୍‌କୁ ସଫା ରଖିବା ଜରୁରୀ ବୋଲି ସେ କହିଛନ୍ତି। କିନ୍ତୁ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଏଦିଗକୁ ନଜର ଦେଉନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe