ଭୁବନେଶ୍ବର: ଟ୍ରେଣ୍ଡସ୍, ଓଡ଼ିଶା ପକ୍ଷରୁ ‘ଟ୍ରେଣ୍ଡସ୍ ରଜ ରାଜକୁମାରୀ ପ୍ରତିଯୋଗିତା’ର ପୁରସ୍କାର ବିତରଣ ଉତ୍ସବ ଆଜି ଜନପଥସ୍ଥିତ ଟ୍ରେଣ୍ଡସ୍ ମଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରତିଯୋଗିତାର ସେଲିବ୍ରିଟି ବ୍ରାଣ୍ଡ ଆମ୍ବାସାଡାର୍ ଅଭିନେତା ସମ୍ବିତ୍ ଆଚାର୍ଯ୍ୟ ଓ ଶିବାନୀ ସଙ୍ଗୀତା ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ୧୬ଦିନ ବ୍ୟାପୀ ଚାଲିଥିବା ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ‘ରଜ ସେଲ୍ଫି ପ୍ରତିଯୋଗିତା’ରେ ଭୁବନେଶ୍ବରର ଅର୍ପିତା ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସେମିଳିଗୁଡ଼ାର ସୋନାଲିନି ସ୍ବାଇଁ ଓ ନବରଙ୍ଗପୁରର ବର୍ଷା ମହାନ୍ତି ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିଭଳି ‘୧ ମିନିଟ୍ର ସର୍ଟ ଭିଡିଓ କ୍ଲିପ୍’ (ରିଲ୍ସ) ପ୍ରତିଯୋଗିତାରେ ପାରାଦୀପର ସାୟନ୍ତୀ ଚାଟାର୍ଜୀ ପ୍ରଥମ, ଭୁବନେଶ୍ବରର ନନ୍ଦିନୀ ରାୟ ଦ୍ବିତୀୟ ଓ ଢେଙ୍କାନାଳର ପ୍ରିନ୍ସେସସ୍ ସିମରନ୍ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରତିଯୋଗୀମାନଙ୍କୁ ଯଥାକ୍ରମେ ୩୧ହଜାର, ୨୧ହଜାର ଓ ୧୧ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଉପସ୍ଥିତ ଦର୍ଶକମାନେ ବିଭିନ୍ନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ସଠିକ୍ ଉତ୍ତରଦାତାଙ୍କୁ ମଧ୍ୟ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। କିଛି ଦର୍ଶକ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ସୋସିଆଲ ମିଡିଆ ଇନଫ୍ଲ୍ୟୁଏନ୍ସର ନମ୍ରତା, ପ୍ରଜ୍ୟୋତି, ପିହୁ ଓ ଦାମିନୀ ଉପସ୍ଥିତ ଥିଲେ। ରେଡିଓ ଚକଲେଟ୍ର ଆର୍.ଜେ ଅନିଲ ଓ ଆର୍.ଜେ ସୋନାଲି ମଞ୍ଚ ପରିଚାଳନା କରିଥିଲେ। ରେଡିଓ ଚକଲେଟ୍ ଓ ସମ୍ବାଦ ଡିଜିଟାଲ୍ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Follow Us