ଭୁବନେଶ୍ୱର: ସହିଦ ଲକ୍ଷ୍ମଣ ନାୟକଙ୍କ ନିର୍ଭୀକତା, ତ୍ୟାଗ ଓ ଜାତିପ୍ରୀତିର ପଟାନ୍ତର ନାହିଁ । ଓଡ଼ିଶାର ତେନ୍ତୁଲିଗୁମାରେ ଜନ୍ମିତ ଏହି ମହାନାୟକ ଜଣେ ବିଚକ୍ଷଣ ଆଦିବାସୀ ନେତା ଥିଲେ। ଅତ୍ୟାଚାରୀ ବ୍ରିଟିଶ ଶାସନ ବିରୋଧରେ ଏବଂ ନିଜ ସମ୍ପ୍ରଦାୟର ଅଧିକାର ପାଇଁ ସଂଗ୍ରାମ କରି ସେ ଫାଶୀ ଖୁଣ୍ଟରେ ଝୁଲିଥିଲେ। ଦେଶବତ୍ସଳ ନାମରେ ଅଭିହିତ, ଜନଜାତି ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ ଭାବରେ ସେ ଅବିସ୍ମରଣୀୟ ରହିବେ ବୋଲି ତାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି।
ସୂଚନା ଓ ଲୋକସଂପର୍କ ବିଭାଗ ଓ ଶବରୀ ସାଂସ୍କୃତିକ ପରିଷଦର ମିଳିତ ଆନୁକୂଲ୍ୟରେ ଜୟଦେବ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭାରତର ସ୍ବାଧୀନତା ସଂଗ୍ରାମର ଚିତ୍ର ଓ ଚରିତ୍ର ଅଧ୍ୟୟନ ତଥା ଅନୁଶୀଳନ କଲାବେଳେ ଆଦିବାସୀମାନଙ୍କର ମହାନ୍ ଅବଦାନକୁ ଅସ୍ବୀକାର କରିପାରିବା ନାହିଁ ବୋଲି କହିଥିଲେ। ଲକ୍ଷ୍ମଣ ନାୟକଙ୍କ ଆହ୍ବାନ କ୍ରମେ କୋୟା ଓ ବଣ୍ଡା ଆଦିବାସୀମାନେ ଲୁଚିଛପି ବ୍ରିଟିଶମାନଙ୍କ ଉପରେ ଆକ୍ରମଣ କରିଥିଲେ। ତାଙ୍କର ମହାନ ଦେଶଭକ୍ତି, ଦେଶ ସେବା ଓ ଜନସେବା ନିମନ୍ତେ ସେ ସବୁଦିନ ପାଇଁ ଅମର ହୋଇ ରହିବେ ବୋଲି ଶ୍ରୀ ଗଣ୍ଡ ମତ ଦେଇଥିଲେ।
ମୁଖ୍ୟବକ୍ତା ତଥା ଶିକ୍ଷାବିତ୍ ବାସନ୍ତୀ ମହାନ୍ତି କହିଲେ ଯେ ମାଲକାନଗିରି ଅଞ୍ଚଳର ଆଦିବାସୀମାନଙ୍କ ମଧ୍ୟରେ ସେ ଜଣେ ଲୋକନାୟକ ଭାବରେ ଜଣାଶୁଣା। ସେ ନିଜ ଦେଶୀୟ ଭାଷାରେ ହୃଦୟସ୍ପର୍ଶୀ ଭାଷଣ ଦେଇ ଦେଶପ୍ରେମ ଓ ସ୍ୱାଧୀନତା ବହ୍ନିକୁ ପ୍ରଜ୍ୱଳିତ କରିଥିଲେ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ତଥା ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି କହିଲେ ଯେ ସ୍ୱାଧୀନତା ସଂଗ୍ରାମରେ ଲକ୍ଷ୍ମଣ ନାୟକଙ୍କ ଭୂମିକା ଓଡ଼ିଶାର ଜନଜାତିଙ୍କ ସ୍ୱାଭିମାନକୁ ରୁଦ୍ଧିମନ୍ତ କରିଛି। ତାଙ୍କର ଦେଶପ୍ରୀତି ଉତ୍ତରପିଢ଼ିଙ୍କୁ ଅନୁପ୍ରେରିତ କରୁଥିବ ବୋଲି ସେ ଉଲ୍ଲେଖ କରିଥିଲେ। ସମାରୋହରେ ବିଭାଗର ଉପନିର୍ଦ୍ଦେଶକ (କ୍ଷେତ୍ର ) ସୁଚେତା ପ୍ରିୟଦର୍ଶିନୀ ସ୍ୱାଗତ ଭାଷଣ ଦେଇଥିଲେ। ଶବରୀ ସାଂସ୍କୃତିକ ସଂସଦ, ଭୁବନେଶ୍ବରର ଉପସଭାପତି ଗୋଦାବରୀଶ ମହାପାତ୍ର ଧନ୍ୟବାଦ ଦେଇଥିଲେ। ଲୋକ ସମ୍ପର୍କ ଅଧିକାରୀ ରୋଜାଲିନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଅଶୋକ କୁମାର ବେଉରିଆ, ଜୟଦେବ ଭବନର ଉପନିର୍ଦ୍ଦେଶକ ଦୀପ୍ତିମୟୀ ମହାପାତ୍ରଙ୍କ ସମେତ ବିଭାଗର ବହୁ ବରିଷ୍ଠ ଅଧିକାରୀ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଯୋଗ ଦେଇଥିଲେ।
Follow Us