ବାଗ୍ମୀ ରଜତ କରଙ୍କୁ ରାଜ୍ୟ ଗ୍ରନ୍ଥାଗାରରେ ଶ୍ରଦ୍ଧାଞ୍ଜଳି

Advertisment
ବାଗ୍ମୀ ରଜତ କରଙ୍କୁ ରାଜ୍ୟ ଗ୍ରନ୍ଥାଗାରରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଭଞ୍ଜ ସାହିତ୍ୟ ବିଶାରଦ, ଶ୍ରୀଜଗନ୍ନାଥ ତତ୍ତ୍ୱ ବିଦ୍ୱାନ, ଓଡ଼ିଶାର ପାଲା ସଂସ୍କୃତିକୁ ବିକଶିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବାଗ୍ମୀ ରଜତ କୁମାର କରଙ୍କ ବିୟୋଗରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଆଜି ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାଠାଗାରର ସମସ୍ତ କର୍ମଚାରୀ, ପାଠକ ଓ ରଜତ୍ ପ୍ରେମୀ ଯୋଗଦେଇ ସ୍ବର୍ଗତ କରଙ୍କ ସ୍ମୃତିଚାରଣ କରିଥିଲେ।

ସେ ଅଧ୍ୟାପନା ବୃତ୍ତିରେ ଥାଇ ରାଜ୍ୟର ସାହିତ୍ୟ, କଳା, ସଂସ୍କୃତି ଓ ଆଧ୍ୟାତ୍ମିକତାର ପ୍ରଚାର ଓ ପ୍ରସାର ନିମନ୍ତେ ଜୀବନବ୍ୟାପୀ ସାଧନା କରିଥିଲେ। ସ୍ବର୍ଗତ ବିଛନ୍ଦ ଚରଣ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଭଞ୍ଜ ଜୟନ୍ତୀ କାର୍ଯ୍ୟକ୍ରମକୁ ବିକଶିତ କରିବାରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା। ଓଡ଼ିଶାରେ ପାଲା ସଂସ୍କୃତିକୁ ବିକଶିତ କରିବା ପାଇଁ ରାଜ୍ୟର ପାଲାଗାୟକ ପରିଷଦର ମୁଖ୍ୟ ଉପଦେଷ୍ଟା ଭାବରେ ଓଡ଼ିଶାର ଆଧ୍ୟାତ୍ମିକ ଲୋକକଳା ପାଲାକୁ ଅଧିକ ଆକର୍ଷଣୀୟ ଓ ଜନମାନସରେ ଗ୍ରହଣ କରିବା ପାଇଁ ତାହା ଉପରେ ବିଭିନ୍ନ ଆଲୋଚନାଚକ୍ର, ସେମିନାର ଆଦିରେ ଭାଗ ନେଉଥିଲେ। ବିଭିନ୍ନ ପାଲାଗାୟକ, ବାୟକ ଓ ପାଳିଆମାନଙ୍କୁ ନୂତନ ଶୈଳୀରେ ପାଲା ପରିବେଷଣ କରିବା ପାଇଁ ମାର୍ଗଦର୍ଶନ ଦେବା ସହ ବିଭିନ୍ନ ଟିଭି ଚ୍ୟାନେଲ୍‌ର ବାଦିପାଲା ମଞ୍ଚରେ ବିଚାରକ ଭାବରେ ପାଲାର ଲୋକପ୍ରିୟତାକୁ ବୃଦ୍ଧି କରିଥିଲେ।

ପୁସ୍ତକ ଚୟନ କମିଟି ବୈଠକ ହେଉ ବା ବିଭିନ୍ନ ଆଲୋଚନାଚକ୍ର ହେଉ, ସେଥିରେ ଯୋଗଦାନ କରି ଗ୍ରନ୍ଥାଗାରର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ମାତ୍ର ୨୧ ବର୍ଷ ବୟସରେ ସେ ଆକାଶବାଣୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ବିବରଣୀ ପ୍ରଦାନ କରି ଜଗନ୍ନାଥପ୍ରେମୀଙ୍କୁ ଭକ୍ତିମାର୍ଗରେ ଭାବବିହ୍ୱଳ କରିପାରୁଥିଲେ ବୋଲି ଉପସ୍ଥିତ ଅତିଥିମାନେ କହିଥିଲେ। ତାଙ୍କ ବିୟୋଗରେ ରାଜ୍ୟର ଆଧ୍ୟାତ୍ମିକତା କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା। ପାଲା, ଦାସକାଠିଆ, ଚଇତି ଘୋଡ଼ା ନାଚ ଓ ଅନ୍ୟ ଲୋକକଳା କଳାକାରମାନେ ତାଙ୍କ ମାର୍ଗଦର୍ଶକଙ୍କୁ ହରାଇଲେ ବୋଲି ବକ୍ତାମାନେ ମତ ଦେଇ ତାଙ୍କ ପ୍ରତି ଭକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଦୁଇମିନିଟ୍ ନିରବ ପ୍ରାର୍ଥନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe