The Economic Times
ଭୁବନେଶ୍ୱର : ଆଜିଠାରୁ ଖୋର୍ଧା ଓ କଟକ ଜିଲ୍ଲାରେ ଆରମ୍ଭ ହେଉଛି ଟ୍ରକ୍ ଧର୍ମଘଟ। ଅତ୍ୟାବଶ୍ୟକ ସାମଗ୍ରୀ ଛଡ଼ା ବାଲି, ପଥର ଓ ମୋରମ୍ ଭଳି ନିର୍ମାଣ ସାମଗ୍ରୀ ପରିବହନ କରିବେନି ଟ୍ରକ୍, ହାଇୱା। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଧର୍ମଘଟ ଜାରି ରହିବ ବୋଲି ଏକାଧିକ ସଂଘକୁ ନେଇ ଗଠିତ ଟ୍ରକ୍ ମାଲିକ ସଂଘ ସମନ୍ବୟ କମିଟି ଘୋଷଣା କରିଛି। ବାହାର ଟ୍ରକ୍ ନିର୍ମାଣ ସାମଗ୍ରୀ ଆଣିଲେ, ସେମାନଙ୍କୁ ଅଟକାଇବା ପାଇଁ ସଂଘ ଯୋଜନା କରିଛି। ଏଥିରେ ହଜାର ହଜାର ଟ୍ରକ୍ ମାଲିକ ଓ କର୍ମଚାରୀଙ୍କ ପେଟପାଟଣା ଚିନ୍ତା ରହିଥିବାରୁ ବାହାର ଜିଲ୍ଲାର ଟ୍ରକ୍ ମାଲିକ ସଂଘକୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ଯଦି କେହି ନ ମାନି ବ୍ୟବସାୟ କରେ, ତେବେ ସେମାନଙ୍କୁ ଅବରୋଧ କରାଯିବ ବୋଲି ସମନ୍ବୟ କମିଟି ପକ୍ଷରୁ କୁହାଯାଇଛି।
ସମନ୍ବୟ କମିଟି ବିଭିନ୍ନ ଦାବି ଉପସ୍ଥାପନ କରିବା ସହ ଏକ ସଙ୍ଗିନ୍ ଅଭିଯୋଗ କରିଛି। ଟ୍ରାଞ୍ଜିଟ ପାସ୍ ମ୍ୟାଜିକ୍ କାଳିରେ ଦସ୍ତଖତ ହେଉଥିବାରୁ ବାଟରେ ଲିଭି ଯାଉଛି। ଫଳରେ ଗାଡ଼ି ମାଲିକ କାର୍ଯ୍ୟାନୁଷ୍ଠାନର ଶିକାର ହେଉଛି। ବାଲିଘାଟ ଲିଜ୍ଧାରୀ ଏହି ପାସ୍ ଦେଉଛି। ରାଜସ୍ବ ବିଭାଗୀୟ ଅଧିକାରୀ ଓ ଲିଜ୍ଧାରୀ ଭିତିରି ସମ୍ପର୍କ ରହୁଥିବାରୁ ଅଭିଯୋଗ ହେଲେ ମଧ୍ୟ ଲିଜ୍ଧାରୀ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ଏଣୁ ଏଭଳି ହାତଲେଖା ବନ୍ଦ କରି ଟ୍ରାଞ୍ଜିଟ୍ ପାସ୍ର କମ୍ପ୍ୟୁଟରୀକରଣ କରିବା ପାଇଁ ସଂଘ ଦାବି କରିଛି। କମିଟିର ଅନ୍ୟତମ ସଦସ୍ୟ ପ୍ରଣବ ପରିଜା କହିଛନ୍ତି, ସରକାରଙ୍କ ବ୍ୟବସ୍ଥାରେ ଥିବା ତ୍ରୁଟି ପାଇଁ ଟ୍ରକ୍ ମାଲିକ ଜରିମାନା ଗଣି କାଙ୍ଗାଳ ହେଲେଣି। ତେଣୁ ଲଘୁ ଖଣିଜ ଦ୍ରବ୍ୟ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବ୍ୟବସ୍ଥିତ ନ ହେବା ପର୍ଯ୍ୟନ୍ତ ଟ୍ରକ୍ ଚାଲିବ ନାହିଁ ବୋଲି ସେ କହିଛନ୍ତି।
Follow Us