ପ୍ରଥମ ଓଡ଼ିଆ ଫିଚର୍‌ ଫିଲ୍ମ ଭାବେ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ସ୍ଥାନ ପାଇଲା ‘ତୁଳସୀ ଅପା’

Advertisment
ପ୍ରଥମ ଓଡ଼ିଆ ଫିଚର୍‌ ଫିଲ୍ମ ଭାବେ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ସ୍ଥାନ ପାଇଲା ‘ତୁଳସୀ ଅପା’

Incredible Orissa

ଭୁବନେଶ୍ବର: ଦିବଂଗତ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ଅମିୟ ପଟ୍ଟନାୟକଙ୍କ ଶେଷ ଚଳଚ୍ଚିତ୍ର ତଥା ଓଡ଼ିଶାର ପ୍ରଥମ ବାୟୋପିକ୍‌ ‘ତୁଳସୀ ଅପା’ ପ୍ରଥମ ଓଡ଼ିଆ ଫିଚର୍‌ ଫିଲ୍ମ ଭାବେ ଆମାଜନର ପ୍ରାଇମ ଭିଡିଓ ସୂଚୀରେ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛି। ଫଳରେ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଉଚ୍ଚ ପ୍ରଶଂସା ଓ ପୁରସ୍କାର ସାଉଁଟିଥିବା ‘ତୁଳସୀ ଅପା’କୁ ଏବେ ବିଶ୍ବର ସବୁ ଦେଶର ଦର୍ଶକ ଦେଖିବାର ସୁଯୋଗ ପାଇ ପାରିବେ। ସେହିପରି ଓଡ଼ିଶାର ଯେଉଁ ଦର୍ଶକ ସିନେମା ହଲରେ ଏହାକୁ ଦେଖି ପାରିନାହାନ୍ତି, ସେମାନେ ମଧ୍ୟ ଏବେ ଏହାକୁ ଦେଖି ପାରିବେ।

publive-image ନିର୍ମାତା ଓ ନିର୍ଦ୍ଦେଶକ ଅମିୟ ପଟ୍ଟନାୟକ

ଅମିୟ ପଟ୍ଟନାୟକଙ୍କ ପୁତ୍ର ତଥା ଯୁବ ନିର୍ଦେଶକ ଅନୁପମ ପଟ୍ଟନାୟକଙ୍କ ପ୍ରଯୋଜିତ ଓ ଅମିୟ ପଟ୍ଟନାୟକଙ୍କ ନିର୍ଦେଶିତ ‘ତୁଳସୀ ଅପା’ ଓଡ଼ିଆ ସିନେମା କ୍ଷେତ୍ରରେ ଏକ ମାଇଲଖୁଣ୍ଟ। ଓଡ଼ିଶାର ପ୍ରଖ୍ୟାତ ଆଦିବାସୀ ନେତ୍ରୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଜୀବନୀକୁ ନେଇ ୨୦୧୫ରେ ନିର୍ମିତ ହୋଇଥିବା ଏହି ନିଆରା ଚଳଚ୍ଚିତ୍ରଟି ୬ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବା ସହ ତେହରାନ, ବେଙ୍ଗାଲୁରୁ, କୋଲକାତାରେ ଅଫିସିଆଲ ଏଣ୍ଟ୍ରି ଭାବେ ପ୍ରଦର୍ଶିତ ହୋଇସାରିଛି। ଶିମଲା ଚଳଚ୍ଚିତ୍ର ଉତ୍ସବରେ ମଧ୍ୟ ଏହା ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଥିଲା। ତୁଳସୀ ଅପାଙ୍କ ଭୂମିକାରେ ବଳିଷ୍ଠ ଅଭିନୟ କରିଥିବା ବର୍ଷା ନାୟକ ହରିୟାଣା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ହାସଲ କରିଥିଲେ। ବିଶିଷ୍ଟ ସଙ୍ଗୀତଜ୍ଞ ପଙ୍କଜ ଜାଲ ‘ତୁଳସୀ ଅପା’ର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିବା ବେଳେ ପ୍ରେମାଞ୍ଜନ ପରିଡ଼ା, ଚୌଧୁରୀ ବିକାଶ ଦାସ, ଜୟପ୍ରକାଶ (ଟିଲୁ) ଦାସ, ମଧୁସ୍ମିତା, ଲୋଚନୀ ବାଗ୍‌, ମମତା ପଣ୍ଡା, ସୁଜିତ ପାଇକରାୟଙ୍କ ନିଖୁଣ ଓ ପ୍ରଭାବୀ ଅଭିନୟ ଚଳଚ୍ଚିତ୍ରକୁ ବଳିଷ୍ଠ କରିଛି। ଅର୍ଜୁନ ଜେନା ସିନେମାଟୋଗ୍ରାଫି ଦାୟିତ୍ବ ତୁଲାଇଥିବା ବେଳେ ଚିନ୍ମୟ ଦାସପଟ୍ଟନାୟକ ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe