ଭୁବନେଶ୍ବର: ଖସିବାରେ ଲାଗିଛି ରାତି ପାରଦ। ବଢ଼ୁଛି ଶୀତ। ଏଥିସହ ଥରୁଛି ସାରା ଓଡ଼ିଶା। ବର୍ଷତମାମ ଖରାକୁ ଡରୁଥିବା ଲୋକେ ସକାଳୁ ଖରା ପଡ଼ିବାକୁ ଅନାଇ ବସୁଛନ୍ତି। ଦିନତମାମ ଘର ଭିତରେ ଥଣ୍ଡାରୁ ମୁକ୍ତି ମିଳୁନି। ଦିନ ଢଳିବା ସହ ଶୀତ ପ୍ର‌କୋପ ବଢ଼ୁଛି। ଅନ୍ଧାର ବି ଶୀଘ୍ର ଘୋଟିଆସୁଛି। ଏଥିସହ ହାଡ଼ଭଙ୍ଗା ଜାଡ଼ରେ ଅସ୍ତବ୍ୟସ୍ତ ହେଉଛନ୍ତି ଦ୍ବୈତନଗରବାସୀ। କାରଣ ରାଜଧାନୀ ଭୁବନେଶ୍ବରର ପାରଦ ସ୍ତର ସ୍ବାଭାବିକଠାରୁ ୪.୧ ଡିଗ୍ରି ତଳକୁ ଖସି ଗତକାଲି ରାତିରେ ୧୧.୮ ଡିଗ୍ରିରେ ପହଞ୍ଚିଥିଲା। ସେହିଭଳି କଟକର ରାତି ତାପମାତ୍ରା ସ୍ବାଭାବିକଠାରୁ ୩ ଡିଗ୍ରି ତଳକୁ ଖସି ୧୧.୬ ଡିଗ୍ରି ରେକର୍ଡ ହୋଇଥିଲା।

Advertisment

Woman arrested: କାର୍‌ ଭିତରେ ଛୁରି ଭୁସି ହତ୍ୟା ଉଦ୍ୟମ ମାମଲା, ବନ୍ଧାହେଲା ଖଳନାୟିକା ସ୍ତ୍ରୀ

 
ଏବେ ରାଜ୍ୟକୁ  ଶୁଷ୍କ ଓ ଥଣ୍ଡା ଉତ୍ତରା ବାୟୁର ପ୍ରବାହ ହେତୁ ତାପମାତ୍ରା କମିଛି ଓ ଶୀତ ବଢ଼ିଛି। ପ୍ରବଳ ଶୀତ ଯୋଗୁ ବସ୍ତି ଅଞ୍ଚଳରେ ଲୋକମାନେ ରାସ୍ତାକଡ଼ରେ ନିଆଁ ପୁଆଉଁଥିବା ଦେଖିବାକୁ ମିଳୁଛି। ଗତ କିଛି ଦିନ ହେ‌ଲା ଏହି ଭଳି ଶୀତ ଲାଗି ରହିଥିବା ‌ବେଳେ ବୟସ୍କ ଓ ଶିଶୁମାନେ ଜ୍ବର, ଥଣ୍ଡା ଓ କାଶରେ ଆକ୍ରାନ୍ତ ହେଉଛନ୍ତି। ନିରାଶ୍ରୟମାନେ ରାସ୍ତାକଡ଼ରେ ନିଆଁ ଜାଳି ଶୀତରୁ ରକ୍ଷା ପାଇବାକୁ ଉଦ୍ୟମ କରୁଛନ୍ତି। ଆଗରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦ୍ବୈତନଗରୀର ରାସ୍ତାଘାଟରେ ଭିଡ଼ ପରିଲକ୍ଷିତ ହେଉଥିବା ବେଳେ ଏବେ ୯ଟା ବେଳକୁ ରାସ୍ତାଘାଟ ଖାଁ ଖାଁ ହୋଇଯାଉଛି।

‌BMC shelters: ଶୀତରାତିରେ ନିରାଶ୍ରୟଙ୍କ ସାହା ଫୁଟ୍‌ପାଥ୍‌ ଭଡ଼ାରେ ଲାଗୁଛି ବିଏମ୍‌ସି ଆଶ୍ରୟସ୍ଥଳୀ

 ଗତ ୪ ଦିନ ହେଲା ଦ୍ବୈତନଗରୀ କଟକ ଓ ଭୁବନେଶ୍ବରର ରାତି ପାରଦ ୧୪ ଡିଗ୍ରିକୁ ଖସିଥିଲା। ମଙ୍ଗଳବାର ରାତିରେ ରାଜଧାନୀ ଭୁବନେଶ୍ବରର ରାତି ପାରଦ ୧୩ ଡିଗ୍ରିକୁ ଖସିଥିବା ବେ‌ଳେ କଟକରେ ରହିଥିଲା ୧୨.୬ ଡିଗ୍ରି। ରାତି ତାପମାତ୍ରା ହଠାତ୍‌ ଏଭଳି ଖସିଥିବା ବେଳେ ଶୀତବସ୍ତ୍ର ବଜାର ସହ ଚା’, କଫି ଓ ସୁପ୍‌ ବେପାର ବଢ଼ିଛି। ନଭେମ୍ବରରେ ଦ୍ବୈତନଗରୀ ଥଣ୍ଡାରେ ଥରିଥିବା ବେଳେ ଗତ ୨ରୁ ୩ ଦିନ ହେଲା ଥଣ୍ଡା ଭିନ୍ନ ସ୍ତରରେ ପହଞ୍ଚିଛି। ମଙ୍ଗଳବାର ରାତି ପର୍ଯ୍ୟନ୍ତ ରାଜଧାନୀର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ଉପରେ ରହୁଥିବା ବେଳେ ବୁଧବାର ହଠାତ୍‌ ରାତି ତାପମାତ୍ରା ୧୧ ଡିଗ୍ରିକୁ ଡିଗ୍ରିକୁ ଖସିଆସିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି, ଭୁବନେଶ୍ବର ଓ କଟକରେ ଏବେ ଶୀତ ଲହରି ଜାରି ରହିଥିବା ବେଳେ ଆସନ୍ତା ୨ ଦିନ ବି ଏହି ତାପମା‌ତ୍ରା ଜାରିରହିବ। ୧୩ ତାରିଖରୁ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଦେଖାଯାଇପାରେ। 

ତେବେ ଲୋକେ ବାହାରକୁ ବାହାରିବା ସମୟରେ ଶୀତବସ୍ତ୍ର ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି। ସହରକୁ ଲାଗି ରହିଥିବା ପାହାଡ଼ିଆ ତଥା ଜଙ୍ଗଲ ଅଞ୍ଚଳରେ ଅଧିକ ଥଣ୍ଡା ଅନୁଭୂତ ହେଉଛି। ବିମାନବନ୍ଦର, ଚନ୍ଦ୍ରଶେଖରପୁର, ଚନ୍ଦକା ପ୍ରଭୃତି ଅଞ୍ଚଳରେ ରାତିର ତାପମାତ୍ରାରେ ହ୍ରାସ ଘଟୁଛି। ଗତ ୭ ବର୍ଷର ତଥ୍ୟକୁ ଦେଖିଲେ, ୨୦୧୮ରେ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରି ଥିବା ବେଳେ ୨୦୧୯ରେ ୯.୮ଡିଗ୍ରି , ୨୦୨୦ରେ ୧୧.୭ ଡିଗ୍ରି, ୨୦୨୧ରେ ୧୦ ଡିଗ୍ରି, ୨୦୨୨ରେ ୧୨.୨ ଓ ୨୦୨୩ରେ ୧୨.୪ ଡିଗ୍ରି ରହିଥିଲା। ତେବେ ଗତବର୍ଷ ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୧୦.୯ ଡିଗ୍ରିକୁ ଖସିଥିଲା। ଏହି ରେକର୍ଡକୁ ଦେଖିଲେ, ଭୁବନେଶ୍ବର ତାପମାତ୍ରା‌ରେ ଏଯାଏ ଏହାର ସର୍ବନିମ୍ନ ସ୍ତରକୁ ଖସିନାହିଁ ବୋଲି ଜଣାପଡ଼ୁଛି।