ଧଉଳି: ପ୍ରାୟ ୧୦ ବର୍ଷର ଦାମ୍ପତ୍ୟ ଜୀବନ। ପାଖରେ ୮ବର୍ଷ ବୟସର ପୁଅ। ତଥାପି ମହିଳାଜଣକ ପରପୁରୁଷକୁ ପ୍ରେମ କରିବସିଲେ। ପ୍ରେମରେ ଅନ୍ଧ ମହିଳାଜଣକ ସ୍ବାମୀକୁ ପରକରି ପୁଅକୁ ନେଇ ପ୍ରେମିକ ପାଖକୁ ଚାଲିଗଲେ। କଥା ଏତିକିରେ ସରିନଥିଲା। ସ୍ବାମୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ଲାଗି ମହିଳାଜଣକ ଷଡ୍‌ଯନ୍ତ୍ର ରଚନା କଲେ। ତାଙ୍କୁ ରକ୍ଷିତା କରି ରଖିଥିବା ପ୍ରେମିକ ମୁଣ୍ଡରେ ଭୂତ ପୂରାଇଲେ ଏବଂ ସ୍ବାମୀଙ୍କୁ ହତ୍ୟା କରିବାକୁ ପ୍ରବର୍ତ୍ତାଇଲେ। ଖଳନାୟିକା ମହିଳାଙ୍କ ଷଡ୍‌ଯନ୍ତ୍ର ଅନୁସାରେ ପ୍ରେମିକ ଚାଲ୍‌ କରି ସ୍ବାମୀଙ୍କୁ ଡକାଇ ହତ୍ୟା ଉଦ୍ୟମ କଲା। ମାତ୍ର ସୌଭାଗ୍ୟକୁ ଛୁରାମାଡ଼ରେ ଗୁରୁତର ହୋଇ ବି ମହିଳାଙ୍କ ସ୍ବାମୀ ବର୍ତ୍ତିଗଲେ। ୬ ତାରିଖ ରାତିରେ ଧଉଳି ଥାନା ଲିଙ୍ଗିପୁର ଛକରେ ଘଟିଥିଲା ଏହି ହତ୍ୟା ଉଦ୍ୟମ ମାମଲା। ଅଭିଯୁକ୍ତ ପ୍ରେମିକ ରାଜା ଖାଁର ଛୁରାମାଡ଼ରେ ଅବ୍‌ଦୁଲ ହମିଦ ଗୁରୁତର ହୋଇଥିଲେ। ଏହି ମାମଲାରେ ଆଜି ଧଉଳି ଥାନା ପୁଲିସ ହମିଦ୍‌ର ସ୍ତ୍ରୀ ଖଳନାୟିକା କସିଦା ବେଗମ୍‌(୩୭)କୁ କୋର୍ଟ ଚାଲାଣ କରିଛି ଏବଂ ପୁଅକୁ ହମିଦ୍‌ର ବାପା ଅର୍ଥାତ୍ ନାତିକୁ ଜେଜେ ଜିମାରେ ଦେଇଛି। ଗତକାଲିଠୁ ଥାନାରୁ ଚମ୍ପଟ ମାରିଥିବା ରାଜାକୁ ପୁଲିସ ଗିରଫ କରିବାକୁ ଚଢ଼ଉ ଚଳାଇଛି। 
ପୁଲିସ ସୂଚନାନୁସାରେ କଟକ ସିଡିଏ ଫେଜ୍‌-୨ସ୍ଥିତ ଏକ କାର୍‌ ଗ୍ୟାରେଜ୍‌ର ମେକାନିକ୍‌ ଯାଜପୁରଜିଲ୍ଲା ବରି ଥାନା ଅରୁଆଳ ରାମଚନ୍ଦ୍ରପୁରର ହମିଦ୍‌ଙ୍କ ପତ୍ନୀ କସିଦା ଏହି ଷଡ୍‌ଯନ୍ତ୍ର ରଚିଥିଲା। ଚଳିତ ବର୍ଷ ମେ ମାସରେ କସିଦା ତା’ର ୮ବର୍ଷ ବୟସର ପୁଅକୁ ନେଇ ପ୍ରେମିକ ରାଜା ଖାଁ ପାଖକୁ ଚାଲିଯାଇଥିଲା। ମାତ୍ର ପତ୍ନୀର ପ୍ରେମ କଥା ଜାଣିନଥିବା ହମିଦ ଏହାକୁ ଅପହରଣ ଭାବି ଥାନାରେ ଅଭିଯୋଗ କରିଥିଲେ।

Advertisment

STF: ଏସ୍‌ଟିଏଫ୍‌ ପଞ୍ଝାରେ ୨ମୁଙ୍ଗେର ମାଫିଆ

Sri lingaraj: ଶ୍ରୀଲିଙ୍ଗରାଜଙ୍କ କଣ୍ଠରେ ଫାଟ, ବିନା କରାଳରେ ବିତିଲାଣି ୩୦ବର୍ଷ

କିଛି ଦିନ ପରେ ହମିଦ୍‌, କସିଦା ଓ ରାଜାର ପ୍ରେମ କାହାଣୀ ଜାଣିବାକୁ ପାଇଥିଲେ ଏବଂ ପୁଅକୁ ଫେରାଇଦେବା ଲାଗି ବାରମ୍ବାର ରାଜାକୁ ଫୋନ୍‌ କରୁଥିଲେ। ମାତ୍ର ପତ୍ନୀ କସିଦା ପୁଅକୁ ଛାଡ଼ିବାକୁ ରାଜିନଥିଲା। ତେଣୁ ସେ ହିଁ ହମିଦ୍‌କୁ ହତ୍ୟା କରିବାକୁ ରାଜା ସହ ମିଶି ଷଡ୍‌ଯନ୍ତ୍ର ରଚିଥିଲା। ହିମଦ୍‌କୁ ମାରି ଭାର୍ଗବୀ ନଦୀପଠାରେ ଫୋପାଡ଼ି ଦେବାକୁ ସେମାନେ ନିଷ୍ପତ୍ତି କରିଥିଲେ। ତେଣୁ ଗତ ୬ତାରିଖ ଦିନ ରାଜା ଛଳନା କରି ହମିଦ୍‌କୁ ଡକାଇଥିଲା। ପୁଅ ଓ ସ୍ତ୍ରୀକୁ ଫେରାଇବ ବୋଲି ଫୋନ୍‌ରେ କହିଥିଲା। ହମିଦ୍‌ ଖୁସିରେ କାର୍‌ ଧରି ଧଉଳି ଛକକୁ ଆସିଥିଲେ। ରାଜା ବାହାନା କରି ଭାର୍ଗବୀ ନଦୀବନ୍ଧ‌ରେ ନେଉଥିବା ବେଳେ ସନ୍ଦେହ କରି ହମିଦ୍‌ କାର୍‌ ଫେରାଇ ଆଣିଥିଲେ। ହମିଦ୍‌ ଖସିଯିବା ଚିନ୍ତାକରି ରାଜା କାର୍‌ ଭିତରେ ଛୁରି ଭୁସି ପକାଇଥିଲା। କିନ୍ତୁ ଗୁରୁତର ଅବସ୍ଥାରେ ବି ହମିଦ୍‌, ରାଜ‌ା ଆକ୍ରମଣରୁ ବର୍ତ୍ତି ଖସିଯାଇଥିଲେ। ଏନେଇ ଧଉଳି ଥାନାରେ ଅଭିଯୋଗ ହେବା ପରେ ପୁଲିସ ରାଜାର ମୋବାଇଲ୍‌ ଟ୍ରାକ୍‌ କରିଥିଲା। ଜଣାପଡ଼ିଥିଲା ଯେ ହମିଦ୍‌କୁ ଆକ୍ରମଣ କରିବା ପୂର୍ବରୁ ରାଜ‌ା ଓ କସିଦା ଫୋନ୍‌ ଯୋଗେ ବାରମ୍ବାର କଥା ହୋଇଥିଲେ। ଗତକାଲି ପୁଲିସ ରାଜା ଓ କସିଦାକୁ ଠାବ କରି ଥାନାକୁ ଆଣିଥିଲା। ପଚରାଉଚରା ବେଳେ କସିଦା ଷଡ୍‌ଯନ୍ତ୍ର କଥା ମାନିଯାଇଥିଲା। ତେଣୁ ଜେଲ୍‌ ଯିବା ନିଶ୍ଚିତ ବୋଲି ଜାଣିବା ପରେ ରାଜା ଥାନା ପାଚେରି ଡେଇଁ ଚମ୍ପଟ ମାରିଥିଲା।