ରାଉରକେଲା): ଶୀତଦିନ କହିଲେ ମନକୁ ଆସେ କୁହୁଡ଼ି ଘେରା ସକାଳ। ଗରମ ଚା’ଆଉ ହାଟଭର୍ତ୍ତି ସତେଜ ପରିବା। ସକାଳର ଶୀତଲହରି ସାଙ୍ଗକୁ କଅଁଳଖରାରେ ପରିବା କିଣାକିଣିର ଅନୁଭବ ନିଆରା। ଶୀତଋତୁର ସାଧାରଣତଃ ପରିବା ଦର କମିଥାଏ। ଆଉ ଏହି ସମୟରେ ବାହାଘର ଆଦି ଅନୁଷ୍ଠାନ ସାଙ୍ଗକୁ ବଣଭୋଜି ସମସ୍ତଙ୍କ ଚଳଚଂଚଳ କରିଦିଏ।

Advertisment

ଏଥର ପୂର୍ବଭଳି ପରିବା ଦର ବିଶେଷ ହ୍ରାସ ପାଇନାହିଁ। ଆପଣ ଯଦି କମ୍‌ ଟଙ୍କା ନେଇ ବ୍ୟାଗ୍ ଭର୍ତ୍ତି ପରିବା ମିଳିବ ବୋଲି ହାଟକୁ ଯିବେ ତେବେ ଝଟ୍‌କା ଲାଗିପାରେ। ଡିସେମ୍ବର ମାସ ଅଧା ହେବାକୁ ବସିଲାଣି, ତଥାପି ପରିବା ଦର କମିନି।

ପରିବା ବଜାରରେ ନିଆଁ

ଆହୁରି ପଢ଼ନ୍ତୁ:Gas Tanker Overturned: ରାସ୍ତାରେ ଓଲଟିପଡ଼ିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର: ଡ୍ରାଇଭର ଗୁରୁତର

ସାଧାରଣତଃ ଏହି ସମୟରେ ଫୁଲକୋବି, ବନ୍ଧାକୋବି ପ୍ରଭୃତି ପରିବା ଶସ୍ତାରେ ମିଳିଥାଏ, ତାର ଦର ୫୦ ଟଙ୍କା ଯାଏ ରହିଛି। ସେହିପରି ଟମାଟୋ ଶୀତରେ ୨୦ ରୁ ୩୦ ଟଙ୍କାରେ ମିଳିବା କଥା, ତାହା ୪୫ ରୁ ୫୦ ଟଙ୍କାରେ ବିକ୍ରି ହେଉଛି। ଗାଜର, ସିମଳା ମରିଚ, ଗ୍ରିନ୍ ମଟର ଦର ମଧ୍ୟ ୮୦ ରୁ ୧୦୦ ଟଙ୍କା ରହିଛି। ଶାଗ ବିଡ଼ା ମଧ୍ୟ ୨୦ ଟଙ୍କାରୁ କମ୍ ନୁହେଁ।
 
ବ୍ୟବସାୟୀମାନଙ୍କ କହିବା ଅନୁଯାୟୀ, ଏଥର ଲଗାଣ ବର୍ଷାର ପ୍ରଭାବ ଯୋଗୁଁ ଓଡ଼ିଶାର ଅନେକ ସ୍ଥାନରେ ଶୀତକାଳୀନ ପରିବା ଚାଷ ନଷ୍ଟ ହୋଇଛି। ସ୍ଥାନୀୟ ଅମଳ ବଜାରକୁ ଆସିବା ବିଳମ୍ବ ହେଉଥିବାରୁ ବାହାର ରାଜ୍ୟ (ଝାଡ଼ଖଣ୍ତ , ଛତିଶଗଡ଼) ଉପରେ ନିର୍ଭର କରିବାକୁ ପଡ଼ୁଛି। ପରିବହନ ଖର୍ଚ୍ଚ ବଢ଼ିବା ଯୋଗୁଁ ଏହାର ସିଧା ପ୍ରଭାବ ଗ୍ରାହକଙ୍କ ପକେଟ୍ ଉପରେ ପଡୁଛି। 

ଏହିଭଳି ଅବସ୍ଥା ଏବେ ରାଉରକେଲା ବଜାରରେ ମଧ୍ୟ ଦେଖିବାକୁ ମିଳିଛି। ଜଣେ ଗୃହିଣୀଙ୍କ କହିବା କଥା, ପୂର୍ବରୁ ୨୦୦ ଟଙ୍କାରେ ସପ୍ତାହକର ପରିବା ହୋଇଯାଉଥିଲା। ଏବେ ୫୦୦ ଟଙ୍କା ନେଲେ ବି ବ୍ୟାଗ୍ ଭର୍ତ୍ତି ହେଉନି। ଡାଲମା କରିବାକୁ ଚାହିଲେ  ବି ଦୁଇଥର ଭାବିବାକୁ ପଡ଼ୁଛି। ତେବେ ସ୍ଥାନୀୟ ବ୍ୟବସାୟୀଙ୍କ ମତରେ, ଆସନ୍ତା ୧୫-୨୦ ଦିନ ମଧ୍ୟରେ ଓଡ଼ିଶା ତଥା ସ୍ଥାନୀୟ ଅମଳ ବଜାରକୁ ପୂର୍ଣ୍ଣ ମାତ୍ରାରେ ଆସିବା ଆରମ୍ଭ ହେବ। ଥରେ ସ୍ଥାନୀୟ ପରିବା ଆସିଗଲେ ଦରଦାମ୍ ନିୟନ୍ତ୍ରଣକୁ ଆସିବ। 

ଶୀତଦିନେ ବଜାରରେ ଫୁଲକୋବିର ମୂଲ୍ୟ କମିବା କଥା କିନ୍ତୁ  କେଜି ୫୦ ରୁ୬୦ ଟଙ୍କାରେ ବିକ୍ରି ହେଉଛି। ବର୍ଷା ହେବା ଏବଂ ଚାହିଦା ଅନୁସାରେ ଫୁଲକୋବି ବଜାରକୁ ନଆସିବାରୁ ଦର କମୁନି।  ତେବେ, ଆସନ୍ତା ମାସକୁ ପରିବାର ଦର କମିଯିବ ବୋଲି କହିଛନ୍ତି। 

ରାଜାରାମ ପ୍ରସାଦ, ସ୍ଥାନୀୟ ବ୍ୟବସାୟୀ

ଏହା ପୂର୍ବରୁ ପରିବାଦର ଅଧିକ ଥିବାବେଳେ ଏବେ କିଛିଟା କମିଛି। ଜାନୁଆରି ମାସରେ ଦର କିଛିଟା କମିବ ତେବେ, ପୁଣି ଫେବ୍ରୁଆରି ବେଳକୁ ବଢ଼ିପାରେ। 

ଆନନ୍ଦ ଚୌଧୁରୀ, ସ୍ଥାନୀୟ ବ୍ୟବସାୟୀ

ଶୀତଦିନେ କୋବି ଓ ଟମାଟୋ ଦର କମ୍ ହେବା କଥା  କିନ୍ତୁ କୋବି କେଜି  ୫୦ ଥିବା ବେଳେ ଟମାଟୋ କେଜି ୪୫/ ୫୦ ଟଙ୍କା ରହିଛି।  ସରକାର ଯଦି ଚାଷୀଙ୍କୁ ସହଯୋଗ କରନ୍ତେ, ତେବେ ପରିବା ଦର ହ୍ରାସ ହୁଅନ୍ତା ଏବଂ ଖାଉଟି ଉପକୃତ ହୁଅନ୍ତେ। 

ଆହୁରି ପଢ଼ନ୍ତୁ:Cold Wave Intensified: ଶୀତରେ ହାତଗୋଡ଼ କୋଲ ମାରିଲା: ରାଜ୍ୟର ୧୬ ସହର ୧୦ ଡିଗ୍ରି ତଳେ, ସେମିଲିଗୁଡ଼ା ୩.୫ ଡିଗ୍ରି, ଭୁବନେଶ୍ବର ୧୩ ଡିଗ୍ରି

ରଶ୍ମିକାନ୍ତ ମହାନ୍ତି, ପରିବା କ୍ରେତା

ଇସ୍ପାତ ହାଟ (ମୁଣ୍ଡା ମାର୍କେଟ)ରେ ପରିବା ଦର:

  • ଆଳୁ              ୨୨              
  • ପିଆଜ           ୩୦ 
  • ଟମାଟୋ         ୫୦ 
  • ଫୁଲକୋବି      ୫୦ 
  • ପତ୍ରକୋବି       ୪୦ 
  • ଗ୍ରିନମଟର     ୧୦୦ 
  • ଗାଜର             ୬୦ 
  • ଶିମିଳା ମରିଚ     ୮୦ 
  • ଶିମ୍ବ                  ୮୦ 
  • ବିନ୍                 ୬୦ 
  • ମୂଳା                 ୩୦ 
  • କାକୁଡି               ୬୦ 
  • ବାଇଗଣ            ୩୦
  • କନ୍ଦମୂଳ             ୩୦ 
  • କଖାରୁ               ୨୦ 
  • ପୋଟଳ              ୮୦ 
  • ସାରୁ                  ୫୦

                                                                                             ରିପୋର୍ଟ: ମଳୟ ରଞ୍ଜନ ସାହୁ