new indian express
ବାଲିଅନ୍ତା : ସ୍ଥାନୀୟ ପାରିବାସୁଦେଇପୁର ଏବଂ ଓଲାରବିନ୍ଧା ମୌଜା ଗୋଚର ଜମିରୁ ବେଆଇନ ମାଟି ଚାଲାଣ ମାମଲାରେ ଆଜି ଧଉଳି ଥାନା ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ଓଲାରବିନ୍ଧା ଗ୍ରାମର ମାଟି ଉଠାଣକାରୀ ଗୌତମ ଲେଙ୍କା (୪୦) ଏବଂ ଜେସିବି ଚାଳକ ଅନୁଗୁଳ ଜିଲ୍ଲାର ଭରତ ଚନ୍ଦ୍ର ସାହୁ(୨୧)। କୋର୍ଟରେ ଉଭୟଙ୍କ ଜାମିନ ଖାରଜ ହେବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଦୁହିଁଙ୍କ ବିରୋଧରେ ତହସିଲ ପ୍ରଶାସନ ପକ୍ଷରୁ ଉପରୋକ୍ତ ମୌଜାରୁ ମାଟି ଚାଲାଣ ନେଇ ଅଭିଯୋଗ ହୋଇଥିଲା। ଗତ ସପ୍ତାହରେ ବାଲିଅନ୍ତା ଥାନା ପୁଲିସ ଏବଂ ତହସିଲଦାର ସରୋଜ କୁମାର ପଣ୍ଡା ମିଳିତ ଭାବେ ଚଢ଼ଉ କରି ଦୁଇଗୋଟି ମାଟିବୋଝେଇ ହାଇୱା ଏବଂ ଗୋଟିଏ ଜେସିବି ଜବତ କରିଥିଲେ। ହେଲେ ଚାଳକଙ୍କୁ ପୁଲିସ ଥାନାକୁ ନେଇ ପଚରାଉଚରା କରି ଛାଡ଼ିଦେଇଥିଲା। କିନ୍ତୁ, ସପ୍ତାହକ ପରେ ପୁଲିସ କାହା ଚାପରେ ସେମାନଙ୍କୁ ଗିରଫ କଲା, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷେ ହାଇୱା ଚାଳକଦ୍ବୟଙ୍କୁ ପୁଲିସ ଗିରଫ କରିପାରି ନାହିଁ।
ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟହାର, ଥାନାରେ ଏତଲା
ଧଉଳି : ବାଲିଅନ୍ତା ଥାନା ଅଧୀନ ଗୋତଳଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ଶିକ୍ଷୟିତ୍ରୀଙ୍କୁ ଜଣେ ଉପରିସ୍ଥ ଅଧିକାରୀ ଦୁର୍ବ୍ୟବହାର କରିଥିବା ନେଇ ଧଉଳି ଥାନାରେ ଅଭିଯୋଗ ହୋଇଛି। ଏ ସଂପର୍କରେ ସଂପୃକ୍ତ ଶିକ୍ଷୟିତ୍ରୀ ଆଜି ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତ ଅଧିକାରୀଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି। ସୂଚନା ଅନୁସାରେ, ଅଧିକାରୀଜଣକ ଶିକ୍ଷୟିତ୍ରୀଙ୍କୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ବ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଶିକ୍ଷୟିତ୍ରୀ ନିଜର ଅସୁସ୍ଥତା ଦର୍ଶାଇ ଦାୟିତ୍ବ ନେବାକୁ ମନା କରିଦେଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଅଧିକାରୀଜଣଙ୍କ ଗତ ୨୬ ତାରିଖ ରାତିରେ ଶିକ୍ଷୟିତ୍ରୀଙ୍କୁ ଫୋନ୍ କରି ଗାଳିଗୁଲଜ କରିଥିଲେ।
ଭୁବନପୁର ଉତ୍ତରମୁଖୀଙ୍କ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟ୍
ବାଲିଅନ୍ତା : ସ୍ଥାନୀୟ ଭୁବନପୁରସ୍ଥିତ ମା’ ଉତ୍ତରମୁଖୀଙ୍କ ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଛନ୍ତି। ଟଙ୍କା କାଢ଼ି ନେବା ପରେ ବାକ୍ସକୁ ଅନ୍ୟତ୍ର ଫିଙ୍ଗି ଦେଇଛନ୍ତି। ଏ ସଂପର୍କରେ ମନ୍ଦିର ପୂଜକ ମଇନ ପଣ୍ଡା ଏବଂ ପରିଚାଳନା କାର୍ଯ୍ୟକର୍ତ୍ତା ଆଜି ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ରିପୋର୍ଟ ଲେଖା ହେବା ବେଳକୁ ପୁଲିସ ଲୁଟେରାଙ୍କ ଟେର୍ ପାଇ ପାରିନାହିଁ। ସୂଚନା ଅନୁସାରେ, ଦଶହରା ପୂର୍ବରୁ ଦୁର୍ବୃତ୍ତମାନେ ହୁଣ୍ଡିରେ ଥିବା ୩ ମାସର ଦାନ ଟଙ୍କା ଲୁଟି ନେଇଥିଲେ। ଅନୁରୂପ ଭାବେ ପୁଣିଥିରେ ହୁଣ୍ଡିରେ ଥିବା ୩ ମାସର ଟଙ୍କା ଲୁଟି ନେଇଛନ୍ତି। ଏ ଦିଗରେ ଥାନା ଅଧିକାରୀ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।
Follow Us