NewsKarnataka
ଚନ୍ଦ୍ରଶେଖରପୁର : ସୁବିଧାରେ ଓ ଶସ୍ତାରେ କାର୍ କିଣାଇଦେବା ବାହାନାରେ ଜଣେ ଡାକ୍ତରଙ୍କଠାରୁ ଅଢ଼େଇ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ଝାଡ଼ଖଣ୍ଡର ଜଣେ ଯୁବକ ଓ ତାଙ୍କ ସହଯୋଗୀ ଯୁବତୀଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଜୟଶ୍ରୀ ଶୁକ୍ଳା ଓ ରାହୁତ ଦୌଲତ। କୌତୂହଳର ବିଷୟ ହେଲା, ଏମାନେ ଟଙ୍କା ନ ଫେରାଇବା ପାଇଁ ଡାକ୍ତରଙ୍କୁ ଦୁଷ୍କର୍ମ ଅଭିଯୋଗ କରିବା ନେଇ ଧମକ ଦେଉଥିଲେ। ତେବେ ଡରି ନଯାଇ ଡାକ୍ତର ପୁଲିସର ସହଯୋଗ ନେବା ପରେ ଠକ ଯୁବକଯୁବତୀ ଗିରଫ ହୋଇଛନ୍ତି।
ପୁଲିସ ସୂଚନାନୁସାରେ ଏହି ଯୁବକ ଓ ଯୁବତୀ ଡମଣା ଅଞ୍ଚଳରେ ରହୁଥିଲେ। ସେମାନେ ଝାଡ଼ଖଣ୍ଡରୁ ପୁରୁଣା କିନ୍ତୁ ଭଲ କାର୍ ଆଣି ଏଠାରେ ବିକ୍ରି କରୁଥିଲେ। କୌଣସି ସୂତ୍ରରେ ଏମାନେ ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ଡାକ୍ତରଙ୍କ ସହ ପରିଚିତ ହେବା ପରେ ତାଙ୍କୁ ଏକ ଭଲ ପୁରୁଣା କାର୍ କିଣାଇ ଦେବେ ବୋଲି ପ୍ରଲୋଭନ ଦେଖାଇଥିଲେ। ତେଣୁ ଡାକ୍ତର ଜଣକ ସେମାନଙ୍କୁ ଦୁଇଟି କିସ୍ତିରେ ଅଢ଼େଇ ଲକ୍ଷ ଟଙ୍କା ଦେଇଥିଲେ। ମାତ୍ର ପରେ ସେମାନେ ନା କାର୍ ଦେଲେ ନା ଟଙ୍କା ଫେରାଇଲେ। ଡାକ୍ତର ଜଣକ ତାଙ୍କୁ କାର୍ ମାଗିବାରୁ ସେମାନେ ଅଧା ଟଙ୍କା ଦେଇଛ ବୋଲି କହି ପୁଣି ଦେଢ଼ ଲକ୍ଷ ଟଙ୍କା ମାଗିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ହେବା ପରେ ଠକ ଦ୍ବୟ ଡାକ୍ତରଙ୍କୁ ବ୍ଲାକ୍ମେଲିଂ କରିବା ଆରମ୍ଭ କରି ଦେଇଥିଲେ। ଟଙ୍କା ମାଗିଲେ ଜୟଶ୍ରୀଙ୍କୁ ଦୁଷ୍କର୍ମ କରିଛ ବୋଲି ପୁଲିସରେ ଅଭିଯୋଗ କରିବାକୁ ରାହୁତ ଡାକ୍ତରଙ୍କୁ ଧମକ ଦେଇଥିଲା। ତେବେ ରାହୁତର ଧମକରେ ଦବି ନ ଯାଇ ଡାକ୍ତର ଥାନାରେ ଅଭିଯୋଗ କରିଥିଲେ। ଟଙ୍କା ଦେଇଥିବାର ସବୁ ପ୍ରମାଣପତ୍ର ନେଇ ଥାନାର ଦ୍ବାରସ୍ଥ ହୋଇଥିଲେ। ଏହି ଠକ ଯୁବକ ଓ ଯୁବତୀ ପୂର୍ବରୁ ମଧ୍ୟ ଏମିତି କିଛି ଲୋକଙ୍କୁ ଠକିଥିବା ସନ୍ଦେହ କରାଯାଉଥିବାରୁ ପୁଲିସ ତଦନ୍ତ ଚଳାଇଛି।
Follow Us