Image Courtesy of India Today
ଭୁବନେଶ୍ୱର : ଓସ୍କାର ସିଟିରେ ନିଶାସକ୍ତ ଯୁବକଙ୍କ ଆତଙ୍କ ଘଟଣାରେ ଲକ୍ଷ୍ମୀସାଗର ଥାନା ପୁଲିସ ଦୁଇ ଭାଇଙ୍କୁ ଗିରଫ କରିଛି। ସେମାନେ ହେଲେ ମଣ୍ଡପସାହି ପତିତପାବନ ମନ୍ଦିର ଅଞ୍ଚଳର ନିରଂଜନ ନାୟକ ଓରଫ କାଳିଆ(୩୪) ଓ ଗଗନ ନାୟକ ଓରଫ କାପୁନା(୨୮)।
ସୂଚନା ମୁତାବକ, ଗତ ୩୦ତାରିଖ ବିଳମ୍ବିତ ରାତିରେ କାପୁନା, କାଳିଆ ଏବଂ ସେମାନଙ୍କ ସହଯୋଗୀମାନେ ହାତରେ ଖଣ୍ଡା, ଭୁଜାଲି ଆଦି ମାରଣାସ୍ତ୍ର ଧରି ଓସ୍କାର ସିଟିରେ ଆତଙ୍କ ସୃଷ୍ଟି କରିଥିଲେ। ଲୋକଙ୍କ ସାମ୍ନାରେ ମଣ୍ଟୁ ବେହେରା ନାମକ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ସହ କାର, ବାଇକ୍ ଆଦି ଭାଙ୍ଗି ଦେଇଥିଲେ। ଏନେଇ ମଣ୍ଟୁ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ରବିବାର ପୁଲିସ ଦୁଇ ଭାଇଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ତନାଘନା ଜାରି ରଖିଛି।
ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ସନ୍ଧ୍ୟାରେ ଯୁବକମାନେ କଳ୍ପନା ରୋଡ୍ରେ ଥିବା ଏକ ବାର୍କୁ ଯାଇଥିଲେ। ସେଠାରେ ପ୍ରଚୁର ମଦ ପିଇବା ସହ ନିଶାରେ ଯୁବତୀମାନଙ୍କ ଉପରେ ଟଙ୍କା ଉଡ଼ାଇଥିଲେ। ମଣ୍ଟୁ ଏହାକୁ ପ୍ରତିବାଦ କରିବାରୁ ନିଶାସକ୍ତ ଅବସ୍ଥାରେ ଥିବା ଯୁବକମାନେ ରାଗିଯାଇ ତାଙ୍କୁ ଧକ୍କା ମାରିଥିଲେ। ହେଲେ ସେଠାରେ ଅନ୍ୟକର୍ମାରୀମାନେ ବିରୋଧ କରିବାରୁ ଯୁବକମାନେ ସେଠାରୁ ପଳାଇଥିଲେ ସତ; କିନ୍ତୁ ମଣ୍ଟୁ ବାର୍ରୁ ବାହାରିବା ମାତ୍ରେ ଯୁବକମାନେ ତାଙ୍କୁ ପିଛା କରି ଓସ୍କାର୍ ସିଟିରେ ଅତର୍କିତ ଆକ୍ରମଣ କରିଥିଲେ।
Follow Us