ଲଢ଼ି ଲଢ଼ି କୂଅ ଭିତରେ ଗଳି ପଡ଼ିଲେ ଦୁଇ ଷଣ୍ଢ

ଲଢ଼ି ଲଢ଼ି କୂଅ ଭିତରେ ଗଳି ପଡ଼ିଲେ ଦୁଇ ଷଣ୍ଢ

ଖଣ୍ଡଗିରି: ପ୍ରାୟ ଘଣ୍ଟାଏ କାଳ ନିଜ ନିଜ ଭିତରେ ଲଢ଼ିଲେ। କିଏ କାହାକୁ ଛାଡ଼ିବାକୁ ପ୍ରସ୍ତୁତ ନଥିଲେ। ଶେଷକୁ ଠେଲାପେଲା ହୋଇ ଦୁଇଜଣଯାକ କୂଅ ଭିତରକୁ ଗଳି ପଡ଼ିଲେ। ସାଢ଼େ ତିନିଫୁଟିଆ କୂଅ ଭିତରେ ଜଣେ ଅନ୍ୟ ଜଣଙ୍କ ଉପରେ ଲଦି ହୋଇ ରହିଲା। ନା ହଲିବାକୁ ଜାଗା ଥିଲା ନା ଆଉ ଲଢ଼େଇ କରିବାକୁ ମନ ଥିଲା। କେମିତି ବଞ୍ଚିବେ ବୋଲି ପାଣି ଉପରକୁ ମୁହଁ ଟେକି ଚୁପ୍‌ଚାପ୍‌ ରହିଲେ। ଶେଷକୁ ପ୍ରାୟ ୨ ଘଣ୍ଟାର ଅପରେସନ୍‌ ପରେ ଅଗ୍ନିଶମ ବିଭାଗ ସେମାନଙ୍କୁ କୂଅ ଭିତରୁ ଉଦ୍ଧାର କଲା। ମରୁ ମରୁ ବଞ୍ଚିଗଲେ ଦୁଇଜଣଯାକ। ଏ ହେଉଛି ରବିବାର ସନ୍ଧ୍ୟାରେ ତମାଣ୍ଡୋ ବଜାରରେ ଲଢ଼େଇ କରି କରି କୂଅ ଭିତରେ ଗଳି ପଡ଼ିଥିବା ଦୁଇ ଷଣ୍ଢଙ୍କ କଥା।

ସନ୍ଧ୍ୟା ପ୍ରାୟ ୬ଟାବେଳର କଥା। ତମାଣ୍ଡୋ ବଜାରରେ ଦୁଇ ଷଣ୍ଢଙ୍କ ଭିତରେ ଲାଗିଗଲା ଜୋର୍‌ଦାର ଲଢ଼େଇ। ସଂକ୍ରାନ୍ତି ପାଇଁ ବଜାର ବନ୍ଦ ଥିବାରୁ ଜନଗହଳି ନଥିଲା। ତେଣୁ କେହି ସେମାନଙ୍କୁ ଛଡ଼ାଇବାକୁ ନଥିଲେ। ଫଳରେ ଦୁଇଜଣଯାକ ଠେଲାପେଲା ହୋଇ ଏକ କୂଅ ଭିତରକୁ ଗଳି ପଡ଼ିଲେ। ସାଢ଼େ ତିନିଫୁଟିଆ କୂଅ ଭିତରେ ଜଣେ ଅନ୍ୟ ଜଣଙ୍କ ଉପରେ ଲଦି ହୋଇ ରହିଲା। ଖବର ପାଇ ଭୁବନେଶ୍ୱରରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବାକୁ ଲାଗିପଡ଼ିଲେ। ଅଣଓସାରିଆ କୂଅ ପୁଣି ଚାରିକଡ଼ରେ ଯଥେଷ୍ଟ ଜାଗା ନଥିବାରୁ ଅଗ୍ନିଶମ କର୍ମଚାରୀମାନେ ଅସୁବିଧାରେ ପଡ଼ିଥିଲେ। ଶେଷକୁ ସେମାନଙ୍କୁ ବାହାର କଲାବେଳକୁ ଦୁଇଜଣଯାକ ଅଧମରା ହୋଇ ଯାଇଥିଲେ। ପେଟେ ପେଟେ ପାଣି ପିଇ ଦେଇଥିବାରୁ ପେଟ ଫୁଲି ଯାଇଥିଲା। ତେଣୁ ତଳୁ ଉଠି ପାରିଲେ ନାହିଁ। ଚାରିକାତ ମେଲାଇ ପଡ଼ିରହିଲେ। ସମସ୍ତେ ଭାବିନେଲେ ଯେ ଦୁଇଜଣଯାକ ମରିବା ନିଶ୍ଚିତ। ତୁରନ୍ତ ସେମାନଙ୍କୁ ଇଂଜେକ୍‌ସନ୍‌ ଦିଆଯାଇଥିଲା। ପ୍ରାୟ ୧୦ ମିନିଟ୍‌ରେ ଦୁଇଜଣଯାକ ଝାଡ଼ିଝୁଡ଼ି ହୋଇ ଉଠିଲେ ଓ ପରସ୍ପରଠାରୁ ମୁହଁ ମୋଡ଼ି ଚାଲିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe