ବାପାଙ୍କ ଚିକିତ୍ସା ପାଇଁ ଦୁଇ ଝିଅ ରାଜମିସ୍ତ୍ରି କାମ କରିବା ଘଟଣା, ଚିକିତ୍ସା ଓ ପଢ଼ା ଖର୍ଚ୍ଚ ବହନ କଲେ ସମାଜସେବୀ

Advertisment
ବାପାଙ୍କ ଚିକିତ୍ସା ପାଇଁ ଦୁଇ ଝିଅ ରାଜମିସ୍ତ୍ରି କାମ କରିବା ଘଟଣା, ଚିକିତ୍ସା ଓ ପଢ଼ା ଖର୍ଚ୍ଚ ବହନ କଲେ ସମାଜସେବୀ

ବାଲିଅନ୍ତା: ମୁଖ ଗହ୍ବର କର୍କଟ ରୋଗରେ ଶଯ୍ୟାଶାୟୀ କଇଜଙ୍ଗା ଗ୍ରାମର ରାଜମିସ୍ତ୍ରି ଜୟୀରାମ ପ୍ରଧାନଙ୍କ ଚିକିତ୍ସା ଖର୍ଚ୍ଚ, ପରିବାର ଖର୍ଚ୍ଚ ଓ ତାଙ୍କ ଦୁଇ ଝିଅଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବେ ସମାଜସେବୀ ବିଜୟ କୁମାର ନାୟକ ଓରଫ୍ ବୁଟୁ। ସେ ଜୟୀରାମଙ୍କ ପରିବାରକୁ ଭେଟି ଚିକିତ୍ସା ଖର୍ଚ୍ଚ ବାବଦରେ ୨୦ ହଜାର ଟଙ୍କା ଓ ୬ ମାସର ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି। ସେହିଭଳି ପରିବାର ଚଳିବା ପାଇଁ ଓ ଦୁଇ ଭଉଣୀଙ୍କ ପାଠପଢ଼ା ପାଇଁ ପ୍ରତି ମାସରେ ୩ ହଜାର ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବିଜୟଙ୍କ ସହାୟତାର ହାତ ଏବେ ଜୟୀରାମଙ୍କ ପରିବାରକୁ ବଡ଼ ଆଶ୍ବସ୍ତି ପହଞ୍ଚାଇଛି ବୋଲି କୁହାଯାଉଛି।

ଘରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଜୟୀରାମ ରୋଗରେ ପୀଡ଼ିତ ହେବା ପରେ ବର୍ଷେ ହେଲା ତାଙ୍କ ପରିବାର ବଡ଼ ହନ୍ତସନ୍ତ ହେଉଛନ୍ତି। ଓଳିଏ ଖାଇଲେ ଆର ଓଳି ଉପାସରେ ରହିବା ଅବସ୍ଥା ଉପୁଜିଛି। ନବମ ଶ୍ରେଣୀରେ ପଢ଼ୁଥିବା ବଡ଼ ଝିଅ ଶୁଭଶ୍ରୀ ଓ ଅଷ୍ଟମ ଶ୍ରେଣୀର ସାନ ଝିଅ ଗାୟତ୍ରୀଙ୍କ ପାଠପଢ଼ାରେ ଡୋରି ବନ୍ଧା ହେବା ଭଳି ପରସ୍ଥିତି ସୃଷ୍ଟି ହୋଇଛି। ସରକାରୀ ସହାୟତା ପାଇବା ପାଇଁ ଦୁଇ ଭଉଣୀ ବାଲିଅନ୍ତା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏକାଧିକ ଥର ଗୁହାରି କରିଛନ୍ତି। ହେଲେ କିଛି ସୁଫଳ ମିଳିନାହିଁ। ତଥାପି ହତାଶ ନ ହୋଇ ଦୁଇ ଭଉଣୀ ଶୁଭଶ୍ରୀ ଓ ଗାୟତ୍ରୀ ବାପାଙ୍କ ଚିକିତ୍ସା ଲାଗି ଟଙ୍କା ଯୋଗାଡ଼ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ। ବାପାଙ୍କ ଗଜ ଓ କରଣୀ ଧରି ରାଜମିସ୍ତ୍ରି କାମ କରିବା ଆରମ୍ଭ କରିଥିଲେ। ଏ‌ଭଳି ଦୁଃଖଦ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ବିଜୟ ସହଯୋଗର ହାତ ବଢ଼ାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe