ବାଲିଅନ୍ତା : ହଂସପାଳ ଓ ଜୟଦେବ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ଗୋପ ବ୍ରାଞ୍ଚ କେନାଲ ବ୍ରିଜ ଉପରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ବୟ ହେଲେ ଉକ୍ତ ଥାନା ଅଧୀନ ବ୍ରାହ୍ମଣଷଡ଼ଙ୍ଗୀ ଗ୍ରାମର ଗୋବିନ୍ଦ ନାୟକ ଓ କଟକ ଜିଲ୍ଲା କୂଳ ବରିଷଣ ଗ୍ରାମର ସତ୍ୟପ୍ରକାଶ ସ୍ବାଇଁ। ସତ୍ୟପ୍ରକାଶ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ତାଙ୍କ ସଂପର୍କୀୟ ଭାଇଙ୍କୁ ଦେଖା କରିବାକୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ବେଳେ ଗୋବିନ୍ଦ ଆଣ୍ଠୁଆରୀ ଗ୍ରାମ ଅଭିମୁଖେ ଯାଉଥିଲାବେଳେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକ ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସରେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। ବ୍ରିଜ ଉପରେ ଅନ୍ଧାର ଯୋଗୁଁ ବାରମ୍ବାର ଦୁଘର୍ଟଣା ଘଟୁଥିବା ଅଭିଯୋଗ କରି ସ୍ଥାନୀୟ ଲୋକ ହୋ ହଲ୍ଲା କରିବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ବାଲିଅନ୍ତା ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍ ଦ୍ବୟକୁ ଜବତ କରି ଥାନାକୁ ନେଇଥିଲା। ଏହାପରେ ଯାତାୟାତ ସ୍ବାଭାବିକ ହୋଇଥିଲା।
ବାଇକ୍ ଦୁର୍ଘଟଣାରେ ୨ ଯୁବକ ଗୁରୁତର
Advertisment
Follow Us